ଭୂମିହୀନଙ୍କୁ ଉଚ୍ଛେଦ ପ୍ରତିବାଦରେ ବିକ୍ଷୋଭ
ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ହରିଅନ୍ତା ପଞ୍ଚାୟତର ତେରୁଆଁ ଗ୍ରାମର ୧୬ ନମ୍ବର ୱାର୍ଡ଼ରେ ଇଷ୍ଟକୋଷ୍ଟ ରେଳବାଇ ଜମି ଉପରେ ଆଜକୁ ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ବସବାସ କରୁଥିବା ଭୂମିହୀନ ଶ୍ରମଜୀବୀ ପରିବାର ଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ରେଳବାଇ କର୍ତ୍ତୃପକ୍ଷ ନୋଟିସ ଜାରୀ କରିଥିବାରୁ ସେହି ଶ୍ରମଜୀବୀ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ସେମାନଙ୍କୁ ସେମାନେ ରହୁଥିବା ସ୍ଥାନରୁ ଉଚ୍ଛେଦ କରିବା ପୂର୍ବରୁ ଉଚିତ୍ ଭାବେ ଥଇଥାନ କରିବା ପାଇଁ ରାଜ୍ୟ ସରକାର ଓ ଇଷ୍ଟକୋଷ୍ଟ ରେଳବାଇ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାପାଇଁ ସେମାନେ ଦାବି କରିଛନ୍ତି। ବସ୍ତି ବାସିନ୍ଦା ମହାସଂଘର କଟକ ଜିଲା ଶାଖା ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବସ୍ତି ବାସିନ୍ଦା ମାନେ ବୁଧବାର ଦିନ ଶୋଭାଯାତ୍ରାରେ ଯାଇ ଟାଙ୍ଗୀ-ଚୌଦ୍ୱାର ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସିପିଆଇ(ଏମ୍) କଟକ ଜିଲା ସମ୍ପାଦକ ବଦ୍ରୀ ନାରାୟଣ ଦାଶ, ରବି ନାରାୟଣ ମଲ୍ଲିକ, ବିଷ୍ଣୁ ବେହେରା, ବସ୍ତି ବାସିନ୍ଦା ମହାସଂଘର ଅଜିତ୍ ଲେଙ୍କା, ରଶ୍ମୀ ରଂଜନ ତ୍ରିପାଠୀ, ରମେଶ ବେହେରା ପ୍ରମୁଖ ଉଦବୋଧନ ଦେଇ ଏହି ବସ୍ତି ବାସିନ୍ଦା ମାନେ ଭୂମି ହୀନ ଶ୍ରମଜୀବୀ, ଆଦିବାସୀ, ଦଳିତ, ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବା ଏବଂ ଦୀର୍ଘ ୬୦ବର୍ଷ ଧରି ଏହି ସ୍ଥାନରେ ରହୁଥିବାରୁ ସେମାନଙ୍କୁ ଉଚ୍ଛେଦ କରାଗଲେ ସେମାନଙ୍କ ଜୀବନ ଜୀବିକା ଅନ୍ଧକାରମୟ ହୋଇଯିବ ବୋଲି ଅଭିଯୋଗ କରିଥିଲେ। ଏହି ଲୋକମାନେ ଭୋଟ ପରିଚୟପତ୍ର ଓ ରାସନ୍ କାର୍ଡ଼ ପାଇଥିବା ବେଳେ ସେମାନଙ୍କୁ ବାସଗୃହ ଓ ଜୀବନ ଜୀବିକା ଯୋଗାଇଦେବା ରାଜ୍ୟ ସରକାର ଓ ରେଳବାଇ କତ୍ତୃପକ୍ଷଙ୍କ ଉତ୍ତର ଦାୟିତ୍ୱ ବୋଲି ଆନ୍ଦୋଳନକାରୀ ମାନେ ଦାବି କରି ଥଇଥାନ ନ କରିବା ପର୍ଯ୍ୟନ୍ତ ସେମାନଙ୍କୁ ସେହି ସ୍ଥାନରୁ ଉଚ୍ଛେଦ ନ କରିବାକୁ ଦାବି କରିଥିଲେ। ଆନ୍ଦୋଳନକାରୀଙ୍କ ତରଫରୁ ଏ ସମ୍ପର୍କିତ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା। ତେରୁଆଁ ଗ୍ରାମର ନୁରବାନ୍ ବିବି, ରିଜିଆ ବିବି, ଆୟୁବ୍ ଖାନ୍, ସେକ୍ ରବୁଲ, ସେକ୍ ଆଲମ୍, ମହମ୍ମଦ ସକିଲ, ଆନନ୍ଦ ମୁଣ୍ଡା, ମିନତୀ ଜେନା, ସେକ୍ ମୁସ୍ତାଫା, ସେକ୍ ନାଜିର ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।
Comments are closed.