ଉଚ୍ଚ ବିଦ୍ୟାଳୟସ୍ତରୀୟ ଦୁଇଦିନିଆ ରାଜ୍ୟସ୍ତରୀୟ ବାସ୍କେଟ ବଲ ପ୍ରତିଯୋଗିତା
ବୌଦ୍ଧ : ବୌଦ୍ଧରେ ରାଜ୍ୟ ବିଦ୍ୟାଳୟ ସମୁହ କ୍ରୀଡା ସଂଗଠନ ଓ ଜିଲା ବିଦ୍ୟାଳୟ କ୍ରୀଡା ସଂଗଠନ ମିଳିିତ ଆୟୋଜନରେ ଦୁଇଦିନିଆ ଉଚ୍ଚ ବିଦ୍ୟାଳୟସ୍ତରୀୟ ବାସ୍କେଟ ବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଜିଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଉଦଘାଟନ କରିବା ସହିତ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟତମ ଅତିଥି ଭାବରେ ରାଜ୍ୟ କ୍ରୀଡା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ପ୍ରଧାନ,ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଏସଡିପିଓ କୈଳାଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ପ୍ରମୁଖ ଉପସ୍ଥିତ ରହି ଜିଲାରେ ବାସ୍କେଟ ବଲ ଭିତ୍ତିଭୂମି ସୃଷ୍ଟି ହେବା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଏକ ନୂଆ ଅନୁଭୂତି ଆଣିଦେବ ଏବଂ ବିଦ୍ୟାଳୟର ଶିକ୍ଷା ସହିତ କ୍ରୀଡାର ବିକାଶ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଗୁରୁତ୍ୱ ରଖେ ବୋଲି ପ୍ରକାଶ କରିବା ସହିତ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲାରୁ ୧୫ ଗୋଟି ଦଳ ଅଂଶଗ୍ରହଣ କରିଥିବାବେଳେ ବାଳିକା ବିଭାଗରେ ୬ ଗୋଟି ଦଳ ଓ ବାଳକ ବିଭାଗରେ ୯ ଗୋଟି ଦଳ ଅଂଶଗ୍ରହଣ କରିଛନ୍ତି। ଯେଉଁ ଦଳ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିବେ ସେମାନେ ଜାତୀୟସ୍ତରରେ ମହାରାଷ୍ଟ୍ରର ମୁମ୍ବାଇଠାରେ ଆୟୋଜିତ ହେବାକୁଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ପ୍ରଥମଥର ପାଇଁ ବୌଦ୍ଧ ଜିଲାରେ ରାଜ୍ୟସ୍ତରୀୟ ବାସ୍କେଟ ବଲ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାବେଳେ ଜିଲାର ଖୋଳୀମାନେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ବୌଦ୍ଧ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ନୂତନ ଭାବରେ ନିର୍ମିତ ବାସ୍କେଟ ବଲ କୋର୍ଟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଇଛି । ଜିଲା ଶିକ୍ଷା ବିଭାଗ ପକ୍ଷରୁ ଖେଳାଳୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ଖେଳ ଶିକ୍ଷକ ଜିତେନ୍ଦ୍ରିୟ ପ୍ରଧାନ ଉଦଘାଟନି ଉତ୍ସବର ମଞ୍ଚ ପରିଚାଳନା କରିଥିବାବେଳେ ଜିଲାର ସମସ୍ତ କ୍ରିଡା ଶିକ୍ଷକ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ଜିଲା କ୍ରିଡା ନିରୀକ୍ଷକ ଆନନ୍ଦ କୁମାର ବେହେରା ଧନ୍ୟବାଦ ପ୍ରଦାନ କରିଥିବାବେଳେ ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।
Comments are closed.