ବାରିପଦା: ମେଲୋଡି ଜଗତର ଅନ୍ୟତମ କୁଇନ ଭାବେ ପରିଚିତ ସୋନାଲି ବାରିକଙ୍କ ଝୁଲନ୍ତା ମୃତଦେହ ରହୁଥିବା ଭଡାଘରୁ ପୁଲିସ ଉଦ୍ଧାର କରିଛି। ମୟୂରଭଞ୍ଜ ଜିଲା ଭଞ୍ଜପୁର ଥାନା ଅଧୀନ ସ୍ଥାନୀୟ ୨୩ ନମ୍ବର ୱାର୍ଡ ତକତପୁର ଭିଆରପି କଲୋନୀରେ ସୋନାଲି ଏକ ଭଡା ଘରେ ରହୁଥିଲେ। ରବିବାର ଅପରାହ୍ନରେ ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ପୁଲିସ କଲୋନୀ ଘରୁ ସୋନାଲିଙ୍କ ମୃତଦେହ ଜବତ କରିଥିଲା। ତେବେ ଘରର ଝରକା ଓ କବାଟ ଖୋଲା ଥିବା ଏବଂ ତାଙ୍କ ପାଦ ଭୂମିରେ ଲାଗିଥିଲା ବୋଲି କୁହାଯାଉଛି। ଏଣୁ ସେନାଲି ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା ପରେ କେହି ମୃତୁଦେହକୁ ଟାଙ୍ଗି ଦେଇଛି ସେ ନେଇ ସ୍ପଷ୍ଟ ହୋଇନାହିଁ। ତେବେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ମା’ ବୈଶାଖୀ ଅଭିଯୋଗ କରିଛନ୍ତି। ଯୁବତୀ ଜଣକ ତାଙ୍କ ସାଙ୍ଗସାଥୀଙ୍କ ସହିତ ବିଭିନ୍ନ ମେଲୋଡି ଦଳରେ କାର୍ଯ୍ୟ କରି ଆସୁଥିଲେ। ତାଙ୍କ ନିଜଘର ବଡସାହି ବ୍ଲକ ଅସ୍ତଝରଣ ଗ୍ରାମରେ ଏବଂ ସେ ବାରିପଦାର ଏହି ଭଡା ଘରେ ରହିଥିଲେ। ଏ ସମ୍ପର୍କରେ ଭଞ୍ଜପୁର ଥାନାରେ ୧୨/୨୫ ନମ୍ବରରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ଓ ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛନ୍ତି। ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ସୋନାଲିଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତଦେହ ବ୍ୟବଚ୍ଛେଦର ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।
Popular Categories



