ସୋମବାରଠାରୁ ବରଗଡ଼ରେ କିଣାଯିବ ଧାନ; ତଥାପି ଚାଷୀମାନେ ସନ୍ଦେହରେ

ବରଗଡ଼: ବରଗଡ ଜିଲାରେ ନଭେମ୍ବର ୯ ତାରିଖରୁ ଚଳିତ ବର୍ଷର ଖରିଫ ଧାନ କିଣା ଆରମ୍ଭ ହେବ। ପ୍ରଶାସନିକ ସ୍ତରରେ ତଥା ନିୟ୍‍ନ୍ତ୍ରୀତ ବଜାର କମିଟି ପକ୍ଷରୁ ଧାନ କିଣା ବିକା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ପ୍ରଶାସନ ପକ୍ଷରୁ ଟୋକନ ମାଧ୍ୟମରେ ଧାନ କିଣାବିକା ସୁରୁଖୁରୁରେ ହେବ ବୋଲି କୁହାଯାଉଥିଲେ ମଧ୍ୟ ଆଗାମୀ ଦିନରେ ଏହା କିପରି ଶୃଂଖଳିତ ହେବ ତାହାକୁ ନେଇ ଚାଷୀ ମାନେ ଏବେବି ସନ୍ଦେହରେ ଅଛନ୍ତି। ଗତ ଖରିଫ ଋତୁରେ ଯେତିକି ଧାନ ଅମଳ ହୋଇଥିଲା ଚଳିତ ବର୍ଷ ତାଠର ୁଅଧିକ ଧାନ ଅମଳ ହୋଇଛି। ଗତ ବର୍ଷ ୧ ଲକ୍ଷ ୯ ହଜାର ଚାଷୀ ପଂଜିକୃତ ହୋଇ ଧାନ କିଣା ବିକା କରିଥିବା ବେଳେ ଚଳିତ ବର୍ଷ ଏକ ଲକ୍ଷ ୩୩ ହଜାର ଚାଷୀ ଧାନ ବିକ୍ରି କରିବା ପାଇଁ ପଂଜିକୃତ ହୋଇଛନ୍ତି। ୨୦୧୯ରେ ବରଗଡ ଜିଲାରୁ ୬୩ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଥିଲା। ମାତ୍ର ଚଳିତ ବର୍ଷ ଗତ ବର୍ଷ ତୁଳନାରେ ଅଧିକ ୨୧ ହଜାର ଚାଷୀ ପଂଜିକୃତ ହୋଇଛନ୍ତି ଓ ଅଧିକ ପରିମାଣର ଧାନ ଅମଳ ହୋଇଛି। ତେଣୁ କରି ଧାନ ସଂଗ୍ରହ ଠିକ୍‍ ଭାବେ ହୋଇ ପାରିବ ନା ନାହିଁ ତାହାକ ୁନେଇ ଚାଷୀ ମାନେ ସନ୍ଦେହ ପ୍ରକାଶ କରିଛନ୍ତି।

ଚାଷୀ ନେତା ରମେଶ ମହାପାତ୍ର ନିଜର ପ୍ରତିକ୍ର୍ରିୟାରେ କହିଛନ୍ତି ଯେ ଚଳିତ ବର୍ଷ ଅଧିକ ଉତ୍ପାଦନ ହୋଇଥିବାରୁ ଧାନ ଉଠିବା ନେଇ ସନ୍ଦେହ ଦେଖା ଦେଇଛି। ସରକାର ପ୍ରତିବର୍ଷ ଧାନ ଠିକ୍‍ ସମୟରେ ଉଠିବ ଓ ୪୮ଘଣ୍ଟା ମଧ୍ୟରେ ଚାଷୀ ଧାନର ମୂଲ୍ୟପାଇବ ବୋଲି କହନ୍ତି ମାତ୍ର ସବୁବର୍ଷ ମିଲର୍ସ, ରାଜନେତା ଓ ଅଫିସରଙ୍କ ମଧୁଚନ୍ଦ୍ରିକାରେ ଚାଷୀ ପେଶି ହୋଇଯାଆନ୍ତି। ଚଳିତ ବର୍ଷ ମଣ୍ଡି ବ୍ୟବସ୍ଥା ଆରମ୍ଭରୁ ଗୋଲମାଳ ଧରିଲାଣି। ମିଲର୍ସ ମାନେ ଧାନ ବସ୍ତା ଦେବାକୁ ମନା କରିଦେଇଥିବାରୁ ଚାଷୀ କିପରି ଧାନ ବିକ୍ରି କରିବ ଓ ମଣ୍ଡିକୁ ଧାନ ଆଣିବ ତାହା ଏବେଠୁ ପ୍ରଶ୍ନବାଚୀ ସୃଷ୍ଟିକଲାଣି। ମଣ୍ଡି ବ୍ୟବସ୍ଥାକୁ ଅଧିକ ଜଟିଲ କରିଦେଲେ ଚାଷୀ ଆପଣା ଛାଏଁ ମୁହଁ ଫେରାଇନେବେ ବୋଲି ଶ୍ରୀ ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି। ସୋମବାରରୁ ମଣ୍ଡି ଗୁଡ଼ିକରେ ଧାନ କ୍ରୟ ଆରମ୍ଭ ହେବାକୁ ଥିବାବେଳେ ଚାଷୀମାନେ କେତେ ଧାନ ବିକ୍ରି କରିବେ ଓ କିପରି ଭାବରେ ବିକ୍ରି କରିବେ ସେ ବିଷୟରେ ଏ ଯାଏ ସ୍ପଷ୍ଟ ହୋଇନାହିଁ। ଯୋଗାଣ ବିଭାଗ ପକ୍ଷରୁ ପୂର୍ବବର୍ଷ ଭଳି ଧାନ କ୍ରୟ ବିକ୍ରୟ କରାଯିବ ବୋଲି କୁହାଯାଉଥିବାବେଳେ ଚଳିତବର୍ଷ କିନ୍ତୁ ପୂର୍ବବର୍ଷ ଭଳି ଅବସ୍ଥା ନାହିଁ। ଚାଷୀମାନଙ୍କ ପାଖକୁ ଆସୁଥିବା ଟୋକନକୁ ନେଇ ମଧ୍ୟ ଚାଷୀମାନେ ଦ୍ୱନ୍ଦରେ ଅଛନ୍ତି। ଚାଷୀ ଯେତିକି ଧାନ ଚାଷ କରିଛନ୍ତି ସେହି ଅନୁପାତରେ ବିକ୍ରି କରିପାରିବେ ନା ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଏକରପିଛା କେତେ ଧାନ ମଣ୍ଡିରେ ବିକ୍ରି କରାଯାଇ ପାରିବ ସେ ବିଷୟରେ କୌଣସି ପ୍ରକାର ସ୍ପଷ୍ଟ ଉତ୍ତର ମିଳୁନାହିଁ। କେତେ ଜମିରେ ଧାନ ଚାଷ ହୋଇଛି ଓ କେଉଁ ପରିମାଣର ଚାଷ ହୋଇଛି ତାହା ମଧ୍ୟ ସ୍ପଷ୍ଟ ହେଉନାହିଁ। ଯୋଗାଣ ବିଭାଗ ଅଧିକାରୀଙ୍କୁ ଏ ବିଷୟରେ ପଚାରିବାରୁ ସେ ଏ ନେଇ କୌଣସି ସ୍ପଷ୍ଟ ଉତ୍ତର ଦେଇପାରୁ ନାହାନ୍ତି। ଅନ୍ୟପକ୍ଷରେ ମଣ୍ଡି ଗୁଡ଼ିକରେ ସାନିଟାଇଜର ବ୍ୟବସ୍ଥା କରିବା ସହିତ ଧାନ କିଣାବିକା ପାଇଁ ବ୍ୟବସ୍ଥା କରାଯାଇଥିବା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କୁହାଯାଇଛି। ଚଳିବର୍ଷ ଧାନ କିଣାବିକାରେ ଚାଷୀମାନଙ୍କୁ ବିଶ୍ୱାସକୁ ନିଆଯାଉ ନଥିବା ଅଭିଯୋଗ ହେଲାଣି।

କରୋନା ସଂକ୍ରମଣରେ ଆଖି, ନାକ ଓ ପାଟିକୁ ସଂକ୍ରମଣର ବେଶୀ ଭୟ ଥିବା ଯୋଗୁ ଏ ନେଇ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ମାତ୍ର ଧାନ କ୍ରୟ ସମୟରେ ଚାଷୀମାନଙ୍କୁ ଆଖି ସ୍କେନିଂ ବାଧ୍ୟତାମୂଳକ କରାଯାଇଥିବାରୁ ଏବଂ ଗୋଟିଏ ମେସିନ୍‍ରେ ସମସ୍ତ ଚାଷୀଙ୍କ ଆଖି ସ୍କେନିଂ ହେଉଥିବାରୁ ଏହାକୁ ନେଇ ଚାଷୀ ତଥା ଚାଷୀ ସଂଗଠନମାନେ କରୋନା ସଂକ୍ରମଣର ଆଶଙ୍କା କରି ବିରୋଧ କରୁଛନ୍ତି। ଅନଲାଇନ ବ୍ୟବସ୍ଥାରେ ବିକ୍ରି କରିବା ସମସ୍ତଙ୍କ ପାଇଁ ସୁବିଧାଜନକ ବୋଲି କୁହାଯାଉଥିବାବେଳେ ଆଖି ସ୍କେନିଂ ଲକ୍‍ ଡାଉନ ପରିସ୍ଥିତିରେ ଆଉ ଏକ ସମସ୍ୟା ସୃଷ୍ଟି କରିବା ଦେଖାଦେଲାଣି। ଶୀତ ବଢ଼ିଲେ କରୋନା ସଂକ୍ରମଣର ଭୟ ଥିବା ବେଳେ ଠିକ୍‍ ଶୀତ ଆରମ୍ଭରୁ ଧାନ କିଣାବିକା ଆରମ୍ଭ ହୋଇଛି। ଗତ ରବି ଋତୁରେ ମିଲର୍ସ ମାନେ କରୋନା ଆଳ ଦେଖାଇ ଧାନ ଉଠାଇବା ନେଇ ବାହାନା ଦେଖାଇଥିଲେ। ଚଳିତ ଖରିଫ ରେ ମଧ୍ୟ ସେହି ପ୍ରକାର କୃତିମ ସମସ୍ୟା ଦେଖାଦେବା ଚାଷୀମାନେ ଆଶଙ୍କା ପ୍ରକାଶ କଲେଣି। ବରଗଡ ଜିଲାରେ ଧନୁ ଯାତ୍ରାପରେ ଧାନ କିଣାବିକା ସବୁଠୁ ବଡ କାର୍ଯ୍ୟକ୍ରମହୋଇଥିବା ବେଳେ ଚଳିତ କରୋନା ସମୟରେ ଏହା କିପରି ସମାହିତ ହେବ ତାହା କୁନେଇ ସମସ୍ତଙ୍କ ନଜର ରହିଛି।

Comments are closed.