MEllora 950×100

ବାଙ୍କୀ ଏନ.ଏ.ସିରେ ୫୬ତମ ସର୍ବଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବାଙ୍କୀ : ବୁଧବାର ଦିନ ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୫୬ତମ ସର୍ବଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟାଳୟ ପରିସରରେ ଗଣେଶ ବିଗ୍ରହ ମୂର୍ତ୍ତୀ ସ୍ଥାପନ ଓ ପ୍ରତିଷ୍ଠା,ପୌରାଞ୍ଚଳରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ,ନଗରପାଳଙ୍କ ଦ୍ୱାରା କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯିବା ପରେ ଉପଖଣ୍ଡ ଚିକିତ୍ସାଳୟ,ଉପକାରାଗାର ଓ ହରିହରଭେଟ ଠାରେ ଥିବା ଶିଶୁ ଯତ୍ନ କେନ୍ଦ୍ରରେ ଏନ.ଏ.ସି ପକ୍ଷରୁ ଫଳ ବଣ୍ଟନ କରାଯାଇଛି। ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯଥାକ୍ରମେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ନୂତନ ଭାବରେ ନିର୍ମାଣ କରାଯାଇଥିବା ନୂତନ ଦୋକାନ ଗୃହ(ଭେଣ୍ଡିଂ ଜୋନ) ଓ ରଣପୁର ଠାରେ ମାଇକ୍ରୋକମ୍ପୋଷ୍ଟିଂ ସେଣ୍ଟରକୁ ଲୋକାର୍ପିତ କରିଛନ୍ତି। ପରେପରେ ୧୧ଟା ୩୦ମିନିଟ୍ ସମୟରେ ସ୍ଥାନୀୟ ମହାରଣା କଲ୍ୟାଣ ମଣ୍ଡପ ପରିସରରେ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଏକ ସାଧାରଣ ସଭା ଓ ବିବିଧ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଛି।
ନଗରପାଳ ମାଣିକ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉପନଗରପାଳ ସନ୍ତୋଷ କୁମାର ରଣା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ମୁଖ୍ୟ ଅତିଥି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ,ବିଶିଷ୍ଠ ଅତିଥି ଓଡିଶା ପୌର କର୍ମଚାରୀ ମହାସଂଘର ସଭାପତି ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ,ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଯୋଗଦେଇ ବାଙ୍କୀ ଏନ.ଏ.ସିକୁ ଓଡିଶାର ୧ନଂ ଏନ.ଏ.ସି ଭାବରେ ଗଢି ତୋଳିବା ପାଇଁ ସମସ୍ତ ପାରିଷଦ ଓ କର୍ମଚାରୀ ମାନଙ୍କର ସକ୍ରୀୟ ସହଯୋଗକୁ ଆହ୍ୱାନ କରିଥିଲେ।
ଏନ.ଏ.ସିର ସୁଦୃଢୀକରଣ ପାଇଁ ଦୃଢ ଇଚ୍ଛାଶକ୍ତି ପାରିଷଦ ଓ କର୍ମଚାରୀଙ୍କ ସହଯୋଗରେ ବାଙ୍କୀ ସହରର ସର୍ବାଙ୍ଗୀନ ଉନ୍ନତି ହେବ ବୋଲି ବିଧାୟକ ବକ୍ତବ୍ୟରେ ପ୍ରକାଶ କରିଥିଲେ। ବାଙ୍କୀ ଏନ.ଏ.ସି ନିର୍ବାହୀ ଅଧିକାରୀ ତଥା ତହସିଲଦାର ସତ୍ୟରଞ୍ଜନ ପଣ୍ଡା ସାଧାରଣ ସଭାରେ ବିସ୍ତୃତ ବିବାରଣୀ ପାଠ କରିଥିଲେ। ଚଳିତବର୍ଷ ବିଶୁଦ୍ଧ ପାନୀୟଜଳ ଯୋଗାଣ କ୍ଷେତ୍ରରେ ଏନ.ଏ.ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମୁକ୍ତା ଯୋଜନା ମାଧ୍ୟମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ୨କୋଟି ୮୧ଲକ୍ଷ ୯୦ହଜାର ଟଙ୍କା ବିନିଯୋଗ କରି ବର୍ଷାଜଳ ସଂରକ୍ଷଣ,ପରିଶ୍ରାଗାର ନିର୍ମାଣ,ମିଶନଶକ୍ତିଗୃହ,ପରିଚୟ ଗୃହ,ମିନି ପାର୍କ,ରାସ୍ତା ନିର୍ମାଣ ଓ ଉନ୍ନତ ସହରୀକରଣ ପରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଥିବା ବିବରଣୀରେ ପ୍ରକାଶ ପାଇଛି। ପାରିଷଦ ସନାତନ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲା ବେଳେ ସାଂସଦ ପ୍ରତିନିଧି ସୌମେନ୍ଦ୍ର ମିଶ୍ର,ଜିଲ୍ଲାପରିଷଦ ସଦସ୍ୟ ମିନତୀ ମହାପାତ୍ର,ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲଙ୍କ ସମେତ ବିଭିନ୍ନ ପାରିଷଦ ମାନେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା ଗତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ର ସନ୍ଦୀପ କୁମାର ବେହେରା,ଶ୍ରେଷ୍ଠ ପାରିଷଦ ରାଜେନ୍ଦ୍ର ମହାପାତ୍ର,ଶ୍ରେଷ୍ଠ ନର୍ସ ରଶ୍ମିରେଖା ମହାପାତ୍ର,ଶ୍ରେଷ୍ଠ ଅଗ୍ନିଶମ ଅଧିକାରୀ ସରୋଜ କୁମାର ସାମଲ,ଶ୍ରେଷ୍ଠ ପୁଲିସ ମଧୁସ୍ମିତା ବେହେରା,ଏନ.ଏ.ସିର ଶ୍ରେଷ୍ଠ କର୍ମଚାରୀ ବିମାନ କୁମାର ଦଳାଇ,ଶ୍ରେଷ୍ଠ ଟାକ୍ସ କଲେକଟର ନାରାୟଣ ମହାପାତ୍ର,ଶ୍ରେଷ୍ଠ ୪ର୍ଥ ଶ୍ରେଣୀ କର୍ମଚାରୀ ପ୍ରସନ୍ନ କୁମାର ରାଉତ,ଶ୍ରେଷ୍ଠ ଝାଡୁଦାର କିଶାନ ନାଏକ,ଶ୍ରେଷ୍ଠ ସ୍ୱଚ୍ଛ ସୁପରଭାଇଜର ପ୍ରମିଳା ପୃଷ୍ଟି,ଶ୍ରେଷ୍ଠ କନେଷ୍ଟବଳ ପ୍ରାଣକୃଷ୍ଣ ପ୍ରଧାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଛି। ଆଗାମୀ ଦିନରେ ବାଙ୍କୀରେ ଏକ ବସଷ୍ଟାଣ୍ଡ ଓ ସହରକୁ ଏଲଇଡି ଆଲୋକ ବ୍ୟବସ୍ଥା କରାଯିବା ପାଇଁ ଘୋଷଣା କରାଯାଇଛି।

Comments are closed.