ନୂଆଦିଲ୍ଲୀ: ଓଡ଼ିଶାରେ ପ୍ରବେଶ କରିଛନ୍ତି ବାଂଲାଦେଶୀ ଆତଙ୍କବାଦୀ। ବାଂଲା ଆତଙ୍କବାଦୀ ସଂଗଠନ ଜମାତ-ଉଲ୍-ମୁଜାହିଦ୍ଦିନର ସଦସ୍ୟଙ୍କ ଗତିବିଧି ଓଡ଼ିଶାରେ ବୃଦ୍ଧି ପାଇଛି ବୋଲି କହିଛନ୍ତି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଡିଜି ଯୋଗେଶ ଚନ୍ଦ୍ର ମୋଦୀ। ନୂଆଦିଲ୍ଲୀରେ ଚାଲିଥିବା ଏନଆଇଏ ସମ୍ମିଳନୀରେ ଡିଜି ଏଭଳି ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି, କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ବାଂଲାଦେଶ ଆତଙ୍କାବାଦୀ ସଂଗଠନ ଜମାତ-ଉଲ-ମୁଜାହିଦ୍ଦିନର ଗତିବିଧି ବୃଦ୍ଧି ପାଇଛି। ୩ଟି ରାଜ୍ୟରେ ସେମାନଙ୍କ ଉପସ୍ଥିତି ଅଧିକ ରହିଛି। ସେହି ରାଜ୍ୟଗୁଡ଼ିକ ହେଲା ଓଡ଼ିଶା, ଆସାମ ଏବଂ ଝାଡ଼ଖଣ୍ଡ। ଏହାବ୍ୟତୀତ ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳରେ ବି ସେମାନଙ୍କ ଗତିବିଧି ରହିଥିବା ଜଣାପଡ଼ିଛି। ଦେଶରେ ୧୨୫ ସନ୍ଦିଗ୍ଧଙ୍କ ସୂଚନା ତଦନ୍ତକାରୀ ସଂସ୍ଥାକୁ ଦିଆଯାଇଛି ବୋଲି ଡିଜି କହିଥିଲେ।



