ବିକଳ୍ପ ବ୍ୟବସ୍ଥା ଶୀଘ୍ର : ମୁଖ୍ୟ ପ୍ରଶାସକ

ହୋଇପାରୁନି ଦାରୁବ୍ରହ୍ମଙ୍କ ଶ୍ରୀମୁଖ ସିଂହାର

ପୁରୀ :  ଶ୍ରୀମନ୍ଦିର ରତ୍ନ ସିଂହାସନରେ ହୋଇପାରୁନାହିଁ ଦାରୁବ୍ରହ୍ମଙ୍କ ଶ୍ରୀମୁଖ ସିଂହାର। କେଉଁଦିନ ଶ୍ରୀଜୀଉଙ୍କ ଏହି ନୀତି କରାଯିବ ସେଥିନେଇ ଦତ୍ତ ମହାପାତ୍ର ସେବକ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଦେଖା ଦେଇଥିବା ବିବାଦ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ଉଭୟ ନିଜ ଜିଦ୍‌ରେ ଅଟଳ ରହିଥିବାରୁ ମହାପ୍ରଭୁଙ୍କ ବନକଲାଗି ଅଟକି ରହିଛି। ବୁଧବାର ଶ୍ରୀଜୀଉଙ୍କ ବନକଲାଗି କରିବାକୁ ମନ୍ଦିର ପ୍ରଶାସନର ଦୁଇ ଦୁଇଥର ନିର୍ଦେଶ ସତ୍ତ୍ୱେ ତାହାକୁ ଅମାନ୍ୟ କରି ଚାଲିଛି ଦତ୍ତ ମହାପାତ୍ର ନିଯୋଗ। ବୁଧବାର ପରିବର୍ତ୍ତେ ଗୁରୁବାର ବନକଲାଗି କରିବାକୁ ସେମାନେ ଅଡ଼ି ବସିଛନ୍ତି। ତେଣୁ ସେମାନଙ୍କ ବିରୋଧରେ ଖୁବ୍‌ଶୀଘ୍ର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ବୁଧବାର ବନକଲାଗି ହୋଇ ନପାରିଲେ ଗୁରୁବାର କରାଯିବ ବୋଲି ବାମଦେବ ସଂହିତା ପୁସ୍ତକରେ ଉଲ୍ଲେଖ ରହିଛି। ଗୁରୁବାର ଶ୍ରୀଜୀଉଙ୍କ କେତେକ ବିଶେଷ ନୀତି ରହିଥିବାରୁ ବୁଧବାର ବନକଲାଗି କରିବାକୁ ଗତ ୧୮ ତାରିଖ ଦିନ ଦତ୍ତ ମହାପାତ୍ରଙ୍କୁ ନିର୍ଦେଶ ଦିଆଯାଇଥିଲା। ଏହାସତ୍ତ୍ୱେ ସେମାନେ ମନ୍ଦିର ପ୍ରଶାସନ ନିର୍ଦେଶ କାର୍ଯ୍ୟକାରୀ ନକରି ଗୁରୁବାର ବନକଲାଗି କରିବାକୁ ଜିଦ୍‌ ଧରିଥିଲେ। ତେଣୁ ଦତ୍ତ ମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ନିଯୋଗ ସମ୍ପାଦକ ମଙ୍ଗଳବାର ଦେଇଥିବା ଲିଖିତ ଜବାବରେ ଗୁରୁବାର ବନକଲାଗି ପାଇଁ ଯୁକ୍ତି ବାଢ଼ିଥିଲେ। ସେମାନଙ୍କ ଯୁକ୍ତିକୁ ଅଗ୍ରାହ୍ୟ କରାଯିବା ସହ ବୁଧବାର ଶ୍ରୀଜୀଉଙ୍କ ବନକଲାଗି ସେବା କରିବାକୁ ନିର୍ଦେଶ ଦିଆଯାଇଥିଲା। ଏହାସତ୍ତ୍ୱେ ଦତ୍ତ ମହାପାତ୍ର ସେବକମାନେ ଦ୍ୱିତୀୟ ଥର ପାଇଁ ମନ୍ଦିର ପ୍ରଶାସନର ନିର୍ଦେଶ ଅବମାନନା କରିବା ସହ ଶ୍ରୀଜୀଉଙ୍କ ସେବାରେ ଜାଣିଶୁଣି ଅବହେଳା କରିଛନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ବନକଲାଗି (ଶ୍ରୀମୁଖ ସିଂହାର) ସାମଗ୍ରୀ ପ୍ରସ୍ତୁତ କରି ରଖାଯାଇଛି। ଗୁରୁବାର ପରିବର୍ତ୍ତେ ବୁଧବାର ଶ୍ରୀଜୀଉଙ୍କ ବନକଲାଗି ନୀତି କରାଯିବାକୁ ଗତ ମେ ୨୮ରୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦେଶନାମା ଜାରି କରିଥିଲା। ତେଣୁ ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ଦତ୍ତ ମହାପାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।
ଦତ୍ତ ମହାପାତ୍ର ସେବକ ଯଦି ଏହି ନୀତି ନକରନ୍ତି ଶୁଦ୍ଧ ସୁଆର ସେବକଙ୍କ ଦ୍ୱାରା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଦତ୍ତ ମହାପାତ୍ର ସେବକ ନିଯୋଗ ସମ୍ପାଦକ ମଦନ ମୋହନ ଦତ୍ତ ମହାପାତ୍ର ଏବଂ ସଞ୍ଜୟ ଦତ୍ତ ମହାପାତ୍ର କହିଛନ୍ତି ଗୁରୁବାର ଶ୍ରୀଜୀଉଙ୍କ ବନକଲାଗି କରିବାକୁ ସେମାନେ ପ୍ରସ୍ତୁତ ଅଛନ୍ତି। ୨୦୧୮ରେ ଅନୁଷ୍ଠିତ ମନ୍ଦିର ପ୍ରଶାସନ ବୈଠକରେ ମାସକୁ ଚାରିଦିନ ଗୁରୁବାର ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର କରାଯିବାକୁ ସ୍ଥିର କରାଯାଇଥିଲା। ମନ୍ଦିର ପ୍ରଶାସନ ଅନୁମତି ଦେଲେ ସେମାନେ ଗୁରୁବାର ଶ୍ରୀଜୀଉଙ୍କ ବନକଲାଗି କରିବେ ବୋଲି ନିଯୋଗ ସମ୍ପାଦକ ମଦନ ମୋହନ ଗଣମାଧ୍ୟମକୁ କହିଛନ୍ତି। ଦତ୍ତ ମହାପାତ୍ର ସେବକ ଏବଂ ମନ୍ଦିର ପ୍ରଶାସନ ମଧ୍ୟରେ ଏଭଳି ଟଣାଓଟରା ଯୋଗୁ ଦାରୁବ୍ରହ୍ମଙ୍କ ବନକଲାଗି ନୀତି ଅଟକି ରହିଛି। ଏଥିଯୋଗୁ କୋଟି କୋଟି ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Comments are closed.