www.samajalive.in
Sunday, December 7, 2025
13.1 C
Bhubaneswar

ଜରି, ବୋତଲ ଦେଲେ ମିଳିବ ଅର୍ଥ

-ପ୍ରଥମ ପର୍ଯ୍ୟାୟରେ ୫ ନିଗମ ସହ ଶ୍ରୀକ୍ଷେତ୍ର ସାମିଲ
-ଜନସାଧାରଣଙ୍କ ମତାମତ ପରେ ଜାରି ହେବ ମାର୍ଗଦର୍ଶିକା
-ନିୟମ ଉଲ୍ଲଘଂନ ପାଇଁ କଠୋର ଜୋରିମାନା

ଭୁବନେଶ୍ୱର : ଆଗାମୀ ଦିନରେ ପରିବେଶରେ ସନ୍ତୁଳନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପ୍ଲାଷ୍ଟିକ୍‍ ବ୍ୟାନ୍‍ ନିଷ୍ପତ୍ତିକୁ ଠିକଣା ଭାବେ କାର୍ଯ୍ୟକାରୀ କରିବା ଲାଗି ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ଲୋକେ ଜରି ଓ ପ୍ଲାଷ୍ଟିକ୍‍ର ବ୍ୟବହାର ଯେଭଳି ଠିକଣା ଭାବେ କରିବେ ଏବଂ ଏହାର ପୁନଃବିନ୍ୟାସ କରାଯାଇପାରିବ ସେନେଇ ପରିବେଶ ସୁରକ୍ଷା ଆଇନ ୧୯୮୬ ଅନୁଯାୟୀ ଜନସାଧାରଣଙ୍କୁ ଏକ ୧୫ଦିନିଆ ନୋଟିସ୍‍ ଜାରି ହେବ। ସେଥିରେ ସାଧାରଣ ଲୋକେ ଏହି ସମସ୍ୟା ନେଇ ତାଙ୍କର ସୁଚିନ୍ତିତ ମତାମତ ଦେବେ। ଏନେଇ ଆସନ୍ତା ସପ୍ତାହରେ ଜନସାଧାରଣଙ୍କୁ ନୋଟିସ୍‍ ଦିଆଯିବ। ୨ସପ୍ତାହ ମଧ୍ୟରେ ସେମାନଙ୍କ ମତାମତକୁ ନେଇ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହେବ। ଏଦିଗରେ ଜନସାଧାରଣଙ୍କୁ ସଚେତନ କରିବାପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ। ତେବେ ମାର୍ଗଦର୍ଶିକାରେ ଜରି ଓ ପ୍ଲାଷ୍ଟିକ୍‍ ସଂଗ୍ରହ ପାଇଁ ସଂପୃକ୍ତ ନିର୍ମାତା ସଂସ୍ଥା ଓ ଡିଲରମାନଙ୍କ ମଧ୍ୟରେ ଚୁକ୍ତିନାମା କରାଯିବାକୁ ବାଧ୍ୟ କରାଯିବ। ଯାହାଫଳରେ ବିବାହ, ବ୍ରତ ଓ ଯାନିଯାତ ସମୟରେ ଯେଭଳି ଜରି ଓ ପ୍ଲାଷ୍ଟିକ ବୋତଲ ଏଣେତେଣେ ନପଡେ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟିଦିଆଯିବ। ମାର୍ଗଦର୍ଶିକା ଅନୁଯାୟୀ ଯେଉଁମାନେ ସରକାରଙ୍କ ନିର୍ଦିଷ୍ଟ ନୀତି ନିୟମକୁ ଖିଲାପ କରି ପରିବେଶ ପ୍ରଦୂଷଣ କରିବେ ସେମାନଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ଆଜି ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଗୁରୁବାର ସଚିବାଳୟରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ସମେତ ପର୍ଯ୍ୟଟନ କ୍ଷେତ୍ର ଶ୍ରୀକ୍ଷେତ୍ରରେ ପ୍ଲାଷ୍ଟିକ୍‍ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବାପାଇଁ ନିଷ୍ପତ୍ତି ନିଆଯାଇଛି। ବୈଠକର ସୂଚନା ଅନୁଯାୟୀ ଏଣିକି ଓମ୍‍ଫେଡ଼ ଜରି ଓ ପ୍ଲାଷ୍ଟିକ୍‍ ବୋତଲ ଲୋକେ ଏଣେତେଣେ ଫିଙ୍ଗା ଫୋଫଡା କରିପାରିବେ ନାହିଁ। ଜରି ଓ ପ୍ଲାଷ୍ଟିକ ବୋତଲ ସମେତ ପ୍ଲାଷ୍ଟିକ ବ୍ୟବହୃତ ଉପକରଣକୁ ପୁନଃ ବିନିଯୋଗ କରିବାପାଇଁ ଘରକୁ ଘର ବୁଲି ସଂଗ୍ରହ କରାଯିବ। ଏହାବଦଳରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ବିନିମୟର ମୂଲ୍ୟ ପ୍ରଦାନ କରାଯିବ। ତେବେ କେତେ ପରିମାଣର ଜରି ଓ ପ୍ଲାଷ୍ଟିକ୍‍ ବୋତଲ ପିଛା ବିନିମୟ ପ୍ରଦାନ କରାଯିବ ତାହା ଖୁବ୍‍ଶୀଘ୍ର ସ୍ଥିର ହେବ। ଏନେଇ ଜନସାଧାରଣଙ୍କ ମତାମତ ଲୋଡାଯିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଛନ୍ତି।
ଏହି ଅବସରରେ ଉନ୍ନୟନ କମିଶନର ଆର୍‍ ବାଲ୍‍କ୍ରିଷ୍ଣନ କହିଥିଲେ ଯେ ଏହି ପାଞ୍ଚଟି ମହାନଗର ଓ ପୁରୀରେ ପ୍ଲାଷ୍ଟିକ୍‍ ବ୍ୟାନ୍‍ ବେଳେ ସରକାରଙ୍କ ପକ୍ଷରୁ ଯେଉଁ ନୀତି ନିୟମ ଲାଗୁ କରାଯିବାକୁ ରହିଛି ତାହା ଯେଭଳି ଠିକଣା ଭାବେ କାର୍ଯ୍ୟାନ୍ୱୟନ ହେବ ଏବଂ ବାସ୍ତବରେ ନିଗମ ଓ ସହର ପ୍ଲାଷ୍ଟିକ ମୁକ୍ତ ହୋଇପାରିବ ସେଦିଗରେ କୌଣସି ଅବହେଳା ହେବା କଥା ନୁହେଁ। ପରିବେଶ ସୁରକ୍ଷା ଆଇନ ୧୯୮୬ ଅନୁଯାୟୀ ତୁରନ୍ତ ମାର୍ଗଦର୍ଶିକା ଜାରି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନ କାନ୍ତ ପାଣ୍ଡେ, କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ଓ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦେଶକ ଡ. କେ ମୃଗେସନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories