ବଲାଙ୍ଗିର: ବଲାଙ୍ଗିର ଜିଲାରେ ଉଦାହରଣ ସାଜିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧୀକାରି। ସମୟସୀମା ଭିତରେ ସରକାରୀ ସହାୟତାରେ ଘର ତୋଲିବା ସହିତ ଘର କାନ୍ଥରେ କରୋନା ସଚେତନତା ବାର୍ତ୍ତା ଦେଇଛନ୍ତି। ଯେଉଁଥିପାଇଁ ଏହି ହିତାଧିକାରୀ ମାନଙ୍କୁ ଜିଲା ପ୍ରଶାସନ ମଧ୍ୟ ପ୍ରଶଂସା କରିଛି। ଏହି ହିତାଧିକାରୀ ମାନେ ଲୋଇସିଂହା ବ୍ଲକର ବିଭିନ୍ନ ପଞ୍ଚାୟତର ବୋଲି ଜଣାପଡ଼ିଛି। ଅନେକ ସରକାରୀ ସହାୟତା ହଡପ କରୁଥିବା ନେଇ ଅଭିଯୋଗ ହେଉଥିବା ବେଳେ ଏହି ହିତାଧିକାରୀ ମାନେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତା ବିଷୟ ଉଠିଲେ ସବୁବେଳେ ବଲାଙ୍ଗିର ଜିଲା ପ୍ରଶାସନ ଓ ଲୋଇସିଂହା ବ୍ଲକ ଚର୍ଚ୍ଚାରେ ରହିଥାଏ। ଜିଲାର ଏହି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନେକ ଚଞ୍ଚକତା ହେଉଥିବା ଅଭିଯୋଗ ହୋଇଥାଏ। କିନ୍ତୁ କରୋନା ଭଳି ଏକ ବିପରୀତ ପରିସ୍ଥିତିରେ ସମୟସୀମା ଭିତରେ ସରକାରୀ ଯୋଜନା ଟଙ୍କାକୁ ସୁବିନିଯୋଗ କରି ଘର ନିର୍ମାଣ କରିଛନ୍ତି। ଏହା ସହିତ ଘରକାନ୍ଥରେ ସଚେତନତା ବାର୍ତ୍ତା ଦେଇ ହିତାଧିକାରୀ ମାନେ ଏବେ ଉଦାହରଣ ସୃଷ୍ଟି କରିଛନ୍ତି। ସୂଚନା ଅନୁସାରେ ଲୋଇସିଂହା ଝାରମୁଣ୍ଡା ପଞ୍ଚାତର ହିତାଧିକାରୀ ମୋହନ ଚରଣ ଦାଶ। ପୂର୍ବରୁ ଝାଟିମାଟି ଘରେ ରହୁଥିବା ପକ୍କାଘର ସାତ ସପନ ହୋଇରହିଥିଲା। କିନ୍ତୁ ୨୦୧୯-୨୦ ଆର୍ଥିିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି କାର୍ଯ୍ୟାଦେଶ ଦିଆଯାଇଥିଲା। ସମୟସୀମା ଭିତରେ ଘର ନିର୍ମାଣ କରିଥିଲେ ମୋହନ। ଏହା ସହିତ ନିଜ କାନ୍ଥରେ ରଙ୍ଗ ଲଗାଇ କରୋନା ସଚେତନତା ବାର୍ତ୍ତା ଦେଇଛନ୍ତି। ସେହିପରି ଆଉ ଜଣେ ହିତାଧିକାରୀ ହେଉଛନ୍ତି ହୀରାପୁର ପଞ୍ଚାୟତ ଟେଭାଡୁଙ୍ଗୁରୀର ସପନ ବଗର୍ତ୍ତି। ସେ ମଧ୍ୟ ସମୟସୀମ ଭିତରେ ଘର ତିଆରି କରିଛନ୍ତି। ନିଜ କାନ୍ଥରେ କରୋନା ସଚେତନତା ଚିତ୍ର ଆଙ୍କି ଲୋକଙ୍କୁ ସଚେତନ କରାଇଥିବା ଦେଖିବାକୁ ମିଲିଛି। ଏହିଭଳି ଭାବେ ଲୋଇସିଂହା ବ୍ଲକର ତଲିଉଡାର ପଞ୍ଚାୟତର ବୁରୋମୁଣ୍ଡା, ମାଗୁରବେଡା ପଞ୍ଚାୟତର ହିତାଧିକାରୀ ମାନେ ନିଜ ଘରେ କରୋନା ସଚେତନତା ଚିତ୍ର ଆଙ୍କି ଲୋକଙ୍କୁ ସଚେତନ କରାଇଥିବା ଦେଖିବାକୁ ମିଲିଛି। ସରକାରୀ ସହାୟତା ନେଇ ହିତାଧିକାରୀ ମାନେ ଘର ତିଆରି ନକରି ଟଙ୍କା ହଡପ କରୁଥିବା ବେଳେ ଏହି ହିତାଧିକାରୀ ମାନେ ଏବେ ଉଦାହରଣ ପାଲଟିଛନ୍ତି। ହିତାଧିକାରୀ ମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ପ୍ରଶଂସା କରାଯାଇଥିବା ବେଳେ ଏହା ଅନ୍ୟ ହିତାଧିକାରୀ ମାନଙ୍କୁ ଟଙ୍କା ସୁବିନିଯୋଗ କରି ନିଜ ପାଇଁ ଏକ ସୁନ୍ଦର ଘର ତିଆରି କରିବା ଦିଗରେ ପ୍ରେରଣା ଯୋଗାଇବ ବୋଲି ଜିଲା ପ୍ରଶାସନ ସୂଚନା ଦେଇଛି।



