ଶ୍ରମିକଙ୍କୁ ମିଳୁନି ସହୟତା, ଜିଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ

ବଲାଙ୍ଗିର : ଶ୍ରମିକଙ୍କୁ ମିଲୁନାହିଁ ସରକାରୀ ଯୋଜନାର ସହାୟତା। ରାଜ୍ୟ ସରକାର ଆରମ୍ଭ କରିଥିବା ବିଭିନ୍ନ ଯୋଜନାମାନଙ୍କରେ ମିଲୁଥିବା ଶ୍ରମିକଙ୍କ ସହାୟତା ଦଲାଲମାନେ ହଡପ କରୁଥିବା ନେଇ ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକରେ ବହୁ ଶ୍ରମିକ ଏହି ଯୋଜନାରେ ପାଇବାକୁ ଥିବା ସହାୟତାରୁ ବଞ୍ଚିତ ରହିଥିବାବେଳେ ମଙ୍ଗଳବାର ସେମାନେ ଜିଲା ଶ୍ରମ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସାଲେବରଟ ଗାଁର ଅରପ ଜାଲ। ନିଜ ଝିଅକୁ ୨ ବର୍ଷ ତଳେ ବିବାହ କରାଇଥିଲେ। ସେହିପରି ସେହି ଗାଁର କୀର୍ତ୍ତି ପୁଟେଲ ଗତ ୩ ବର୍ଷ ତଳେ ତାଙ୍କ ଝିଅ ବାହା ହୋଇଥିଲେ। ଉଭୟ ଜଣେ ଜଣେ ପଞ୍ଜିକୃତ ଶ୍ରମିକ ହୋଇଥିବାବେଳେ ସରକାରୀ ଯୋଜନାରେ ସେମାନଙ୍କୁ ମିଳିବାକୁ ଥିବା ସହାୟତା ଏପଯ୍ୟନ୍ତ ପାଇନଥିବା ଅଭିଯୋଗ କରିଛନ୍ତି। ସହାୟତା ପାଇଁ ଉଭୟ ସ୍ଥାନୀୟ ବିଡିଓଙ୍କଠାରେ ଆବେଦନ କରିଥିବାବେଳେ ଏପର୍ଯ୍ୟନ୍ତ ସହାୟତା ରାଶି ପାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ଗାଁର ଅନ୍ୟ ଶ୍ରମିକମାନେ ମଧ୍ୟ ଶ୍ରମ କାର୍ଯ୍ୟାଳୟରେ ପଞ୍ଜିକରଣ କରିଥିବାବେଳେ ସେମାନେ ମଧ୍ୟ ଯୋଜନା କୈାଣସି ସୁବିଧା ପାଉନଥିବା ଅଭିଯୋଗ କରିଛନ୍ତି। ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରିବା ପରେ ସେମାନଙ୍କ ଅଭିଯୋଗ ଉପରେ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସେମାନେ ଜିଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିବା ପ୍ରକାଶ କରିଛନ୍ତି। ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଯୋଗୁ ଯୋଜନାର ସହାୟତା ଶ୍ରମିକମାନଙ୍କୁ ମିଳୁନଥିବାବେଳେ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି। ତେବେ ସେମାନଙ୍କ ଅଭିଯୋଗ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଜିଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.