ଅଟ୍ଟାଳି ଜଗନ୍ନାଥଙ୍କ ବାହୁଡା ଯାତ୍ରା ସମ୍ପନ୍ନ

ଆଠଗଡ : ଆଠଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ନବଦିନାତ୍ମକ ଘୋଷଯାତ୍ରା ଶେଷ କରି ସୋମବାର ସ୍ୱମନ୍ଦିର ଅଭିମୁଖେ ବାହୁଡିଛନ୍ତି । ଅନୁକୂଳ ପାଗରେ ପ୍ରାୟ ୧୫ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟରେ ବାହୁଡା ଯାତ୍ରା ଶେଷ ହୋଇଛି । ତେବେ ଛୋଟିଏ ଏକ ଦୁର୍ଘଟଣାକୁ ଛାଡିଦେଲେ ଏହି ବାହୁଡା ଯାତ୍ରା ମୋଟାମୋଟି ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ସମ୍ପନ୍ନ ହୋଇଛି । ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ବଡପଣ୍ଡା ଓ ଅନ୍ୟ ସେବାୟତଙ୍କ ସହଯୋଗରେ ଆଡପ ମଣ୍ଡପରେ ଶ୍ରୀଜୀଉଙ୍କର ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ପରେ ଅପରାହ୍ନ ପ୍ରାୟ ୩.୩୦ ରେ ଗୋଟି ପହଣ୍ଡିରେ ଶ୍ରୀଜଗନ୍ନାଥଙ୍କୁ ରଥ ଉପରେ ବିଜେ କରାଯାଇଥିଲା । ରଥ ଉପରେ ସମସ୍ତ ନୀତି ସମ୍ପନ୍ନ ହେବା ପରେ ରାଜପୁରୋହିତ ଛେରାପହଁରା କରିଥିଲେ ।  ୫ ଟାରେ ରଥଟଣା ଆରମ୍ଭ ହୋଇ ପ୍ରାୟ ୬.୩୦ ଟା ସୁଦ୍ଧା ରଥଗଡାସ୍ଥିତ ରଥଖଳାରେ ଦୁଇଟିଯାକ ରଥ ପହଞ୍ଚିଥିଲା । ୨୦ ମଣ୍ଡଳ ସଂକୀର୍ତ୍ତନ ଦଳର କୀର୍ତ୍ତନ ଓ ହରିବୋଲ ହୁଳହୁଳି ମଧ୍ୟରେ ଅଟ୍ଟାଳି ଜଗନ୍ନାଥଙ୍କ ବଡ ରଥଟିକୁ ସବୁ ବର୍ଗର ଶ୍ରଦ୍ଧାଳୁ ଏବଂ ଜଗନ୍ନାଥ ବଲ୍ଲଭ ମଠର ସାନରଥକୁ କେବଳ ମହିଳା ଭକ୍ତ ଅତି ଆନନ୍ଦର ସହ ଟାଣିଥିଲେ ।

ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଓ ତହସିଲଦାର କ୍ଷେତ୍ରମୋହନ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଯାତ୍ରା ପରିଚାଳନାରେ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ସମରେନ୍ଦ୍ର  ଭଟ୍ଟ, ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା, ରଥଯାତ୍ରା ପରିଚାଳନା କମିଟି ସଦସ୍ୟମାନେ ପରିଚାଳନା କରିଥିଲେ । କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ, ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଓ ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ନେତୃତ୍ବରେ ବହୁ ସଂଖ୍ୟକ ପୁଲିସ, ଗୋପବନ୍ଧୁ ବିଜ୍ଞାନ କଲେଜ ଓ ମହିଳା କଲେଜର ଏନସିସି, ଏନଏସଏସ ଓ ସ୍କାଉଟ-ଗାଇଡର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ଶାନ୍ତିଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣରେ ସହଯୋଗ କରିଥିଲେ । ତେବେ ରଥଟଣାବେଳେ ଜଣେ  ବାଳିକା ସାମାନ୍ୟ ଆହତ ହୋଇଥିବାବେଳେ ଅନ୍ଯ ଜଣେ ବାଳିକା ଅତ୍ୟଧିକ ଭିଡରେ ସଜ୍ଞାହୀନ ହୋଇପଡିଥିବା ଜଣାପଡିଛି । ଜଣଙ୍କୁ ଅସ୍ଥାୟୀ ଆଶୁ ଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରି ଛାଡି ଦିଆଯାଇଥିଲା । ସଜ୍ଞାହୀନ ହୋଇପଡିଥିବା ବାଳିକାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଇଥିଲା ।

ଭାଇ-ଭଉଣୀ ଝଗଡାକୁ ନେଇ ଭଉଣୀର ଆତ୍ମହତ୍ୟା

Comments are closed.