ଶ୍ରୀଜଗନ୍ନାଥ ସୋସାଇଟି ୟୁକେ ଫିନେଷ୍ଟ ଗ୍ରୁପ ସହିତ ସମ୍ପର୍କ ଛିନ୍ନ କଲା
ନୂଆଦିଲ୍ଲୀ : ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ (ଏସଜେଏସୟୁକେ) ଫିନେଷ୍ଟ ଗ୍ରୁପ ସହିତ ଏହାର ସମ୍ପର୍କ ଛିନ୍ନ କରିଥିବା ଜଣାଯାଇଛି। ୟୁରୋପ ମହାଦେଶର ସାଂସ୍କୁତିକ ପ୍ରାଣକେନ୍ଦ୍ର ଲଣ୍ଡନଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ଉଦ୍ଦେଶ୍ୟରେ ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ, ଏକ ଦାତବ୍ୟ ଅନୁଷ୍ଠାନ ଭାବରେ ଗ୍ରେଟ ବ୍ରିଟେନ୍ ସରକାରଙ୍କଠାରେ ପଞ୍ଜୀକୃତ ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୦୨୩ ମସିହା ଜାନୁୟାରୀ ମାସରେ ଫିନେଷ୍ଟ ଗ୍ରୁପ ପକ୍ଷରୁ ଲଣ୍ଡନଠାରେ କଥିତ ଜଗନ୍ନାଥ ମନ୍ଦିର ୨୦୨୪ ମସିହା ସୁଦ୍ଧା ପ୍ରତିଷ୍ଠା କରିବା ପାଇଁ ୨୫ ମିଲିୟନ ପାଉଣ୍ଡ ( ପ୍ରାୟ ୨୫୦ କୋଟି ଟଙ୍କା) ର ଅନୁଦାନ ରାଶି ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଫିନେଷ୍ଟ ଗ୍ରୁପର ପ୍ରତିଷ୍ଠାତା ବିଶ୍ୱନାଥ ପଟ୍ଟନାୟକ ୨୦୨୩ ମସିହା ମଇ ମାସରେ ଲଣ୍ଡନଠାରେ ଏକ ସଭାରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଉପସ୍ଥିତିରେ ସର୍ବସାଧାରଣରେ ଏହି ମର୍ମରେ ଘୋଷଣା କରି ପୂର୍ବ ପ୍ରତିଶ୍ରୁତିକୁ ଦୋହରାଇଥିଲେ ।
ଏହି ଧରଣର ବାରମ୍ବାର ଘୋଷଣା ଓ ପ୍ରତିଶ୍ରୁତି ସତ୍ତ୍ୱେ, ଫିନେଷ୍ଟ ଗ୍ରୁପ, ବର୍ତ୍ତମାନ ସୁଦ୍ଧା ଏସଜେଏସୟୁକେକୁ କୌଣସି ପାଣ୍ଠି ହସ୍ତାନ୍ତର କରିନାହିଁ। ଫଳ ସ୍ଵରୂପ ମନ୍ଦିର ପାଇଁ ଭୂମି ଅଧିଗ୍ରହଣ ଓ ମନ୍ଦିର ନିର୍ମାଣ ନେଇ ଅହେତୁକ ବିଳମ୍ବ ଦେଖାଦେଇଛି । ସମୟ କ୍ରମେ ମନ୍ଦିର ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପାଇଁ ବିଶେଷ ଆବଶ୍ୟକତା ଥିବାରୁ ଏସଜେଏସୟୁକେ, ନିକଟରେ ଅନୁଷ୍ଠିତ ଏହାର ବୋର୍ଡ଼ ମିଟିଂରେ ଫିନେଷ୍ଟ ଗ୍ରୁପ ସହିତ ସମ୍ପର୍କରେ ପୂର୍ଣ୍ଣଛେଦ ପକେଇବାକୁ ଆନୁଷ୍ଠାନିକ ଭାବରେ ନିଷ୍ପତ୍ତି ଗ୍ରହଣ କରିଛି ।
Comments are closed.