ଅଚିହ୍ନା ମୃତ ଯାତ୍ରୀଙ୍କ ଦଶାହ କ୍ରିୟା, ୮୪ ଜଣଙ୍କ ସମୂହ ମୁଣ୍ଡନ
ସୋର : ବାହାନଗା ରେଳ ଦୁର୍ଘଟଣାରେ ମୃତ ୮୧ ଜଣ ଯାତ୍ରୀଙ୍କର ଶବ ଏ ଯାଏ ଚିହ୍ନଟ ହୋଇପାରି ନାହିଁ। ସେମାନଙ୍କ ମୃତ ଦେହର ବର୍ତ୍ତମାନ ସୁଦ୍ଧା କେହି ନାହାନ୍ତି ଦାବିଦାର। ହିନ୍ଦୁ, ମୁସଲମାନ ବା ଖ୍ରୀଷ୍ଟିଆନ, ସେମାନେ ଯେଉଁ ଧର୍ମର ହୁଅନ୍ତୁ ନା କାହିଁକି। ସେମାନଙ୍କ ଅମର ଆତ୍ମାର ସଦଗତି ପାଇଁ କିଛି ସମାଜସେବୀ ଓ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଶୁଦ୍ଧିକ୍ରିୟା ପାଳନ କରାଯାଇଛି। ଏହା ଛଡ଼ା ଆର୍ତ୍ତ ଚିତ୍କାର ମଧ୍ୟରେ ଶରୀର ଛାଡ଼ିଥିବା ସେହି ଆତ୍ମାମାନଙ୍କ ଶାନ୍ତି ପାଇଁ ଧାର୍ମିକ ପରିବେଶ ସୃଷ୍ଟି କରାଯାଇଛି। ଏଥି ପାଇଁ ବାହାନଗା ଓ ସୋର ଅଞ୍ଚଳବାସୀଙ୍କ ତରଫରୁ ଆରମ୍ଭ ହୋଇଛି ତିନି ଦିନିଆ ଧାର୍ମିକ କାର୍ଯ୍ୟକ୍ରମ। ଯେଉଁମାନେ ଦୁର୍ଘଟଣା ସମୟରେ ମୃତ ଓ ଆହତ ଯାତ୍ରୀଙ୍କୁ ବୋହିଥିଲେ, ସେମାନେ ଦଶ ଦିନରେ ମୁଣ୍ଡନ ହୋଇଛନ୍ତି। ମୃତ ଯାତ୍ରୀଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ସେମାନଙ୍କ ପରିବାର ଲୋକ ଭଳି ଯଥାବିଧି ଦଶାହ କର୍ମ କରିଛନ୍ତି।
ବାହାନଗା ରେଳ ଷ୍ଟେସନରେ ଗତ ୨ ତାରିଖରେ କରମଣ୍ଡଳ ଓ ଯଶୋବନ୍ତପୁର ହାୱଡା ଟ୍ରେନ ଦୁର୍ଘଟଣାରେ ମୃତ ଅଚିହ୍ନା ଯାତ୍ରୀଙ୍କର ରବିବାର ଯଥାବିଧି ଦଶାହ କର୍ମ କରାଯାଇଛି। ପରମ୍ପରା ଅନୁସାରେ, ବାହାନଗା ହାଇସ୍କୁଲ ପଛରେ ରହିଥିବା ପୋଖରୀ ତୁଠରେ ୮୪ ଜଣ ବ୍ୟକ୍ତି ମୁଣ୍ଡନ ହୋଇ ନୂଆ ଲୁଗା ପରିଧାନ କରିଥିଲେ। ବାହାନଗା ହାଇସ୍କୁଲ ପଡ଼ିଆରେ ଦଶାହ ଭୋଜନ କରିଥିଲେ। ନିଶାର୍ଦ୍ଧ ରାତିରେ ମାଲ ଆଟିକା ଦିଆଯାଇ ଅତୃପ୍ତ ଆତ୍ମାଙ୍କୁ ବିଦାୟ ଦିଆଯାଇଥିଲା। ପରମ୍ପରା ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ହୋଇଥିଲା। ସମାଜସେବୀ ଶରତ ରାଜ, ସୋର ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ନାୟକ, ପ୍ରଦୀପ ଜେନା, ଜିଲା ପରିଷଦ ସଦସ୍ୟା ରେବତୀ ନାୟକ ଓ ପୁରୁଷୋତ୍ତମ ସାହୁ ପ୍ରମୁଖ ଏହି କାର୍ଯ୍ୟ ପରିଚାଳନା କରିଥିଲେ।
Comments are closed.