www.samajalive.in
Saturday, December 6, 2025
16.1 C
Bhubaneswar

ମାଟିରେ ଗାତ ଖୋଳି ପ୍ରସ୍ତୁତ ହେଉଛି ମଦ; ଚଢ଼ାଉ ସମୟରେ କେହି ନଥାନ୍ତି ଦାବିଦାର

ବଡ଼ସାହି: ମହାମାରୀ କରୋନା ସଂକ୍ରମଣ ପ୍ରାରମ୍ଭ ତଥା ମାର୍ଚ୍ଚ ମାସରୁ ଅବକାରୀ ବିଭାଗର ନିଷ୍କ୍ରିୟତାର ସୁଯୋଗରେ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଚୋରା ଦେଶୀ ମଦ ପ୍ରସ୍ତୁତି ଠାରୁ ବେପାର ବେଧଡ଼କ ଚାଲିଛି। ଏସବୁ ଅଞ୍ଚଳରେ ବିଭିନ୍ନ ରସାୟନ ତଥା ବିଷାକ୍ତ ସାମଗ୍ରୀରେ ମଦ ପ୍ରସ୍ତୁତ ହେଉଛି। ବଣ ଜଙ୍ଗଲ ଓ ନଦୀ ପଠାଗୁଡ଼ିକ ସମେତ ମାଟିରେ ଗାତ ଖୋଳି ମଦ ପ୍ରସ୍ତୁତ ହେଉଛି; ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଯେତିକି ବିପଦଜନକ ତା’ଠାରୁ ଅଧିକ। ଅବକାରୀ ଓ ପୁଲିସ ବିଭାଗ ଚଢ଼ଉ ସମୟରେ ଜବତ ମଦ ଓ ପ୍ରସ୍ତୁତ ପାଇଁ ଉଦ୍ଦିଷ୍ଟ ସାମଗ୍ରୀର ଦାବିଦାର କେହି ନଥାନ୍ତି। ଚୋରାମଦ ଚାଲାଣ ପରେ ଗାଁଗୁଡ଼ିକରେ ଘରେଘରେ ବେଆଇନ ଭାବେ ବିକ୍ରି ହେଉଛି। ଅଳ୍ପ ବୟସରେ ଯୁବଗୋଷ୍ଠୀ ପ୍ରତ୍ୟେହ ସେବନ କରି ଅକାଳ ମୃତ୍ୟୁର ଶିକାର ହେଉଛନ୍ତି।
ବେତନଟୀ ଅବକାରୀ କାର୍ଯ୍ୟାଳୟ ଅଧୀନରେ ରହିଛି ବଡ଼ସାହି ବ୍ଲକ। ୩୦ଟି ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକ ଜିଲାରେ ସର୍ବବୃହତ୍ତ। ଶିମିଳିପାଳ ପାଦଦେଶରୁ ପଡ଼ୋଶୀ ବାଲେଶ୍ୱର ପର୍ଯ୍ୟନ୍ତ ଏହାର ସୀମା ପରିବ୍ୟାପ୍ତ। ୨୨୪ରାଜସ୍ୱ ଗ୍ରାମରେ ୨.୫ଲକ୍ଷରୁ ଉଦ୍ଧ୍ୱର୍ ଜନସଂଖ୍ୟା ଥିଲେ ହେଁ ଶତକଡ଼ା ୮୮ରୁ ଊର୍ଦ୍ଧ୍ବ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକ ବସବାସ କରନ୍ତି। ସମସ୍ତେ ପ୍ରାୟ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ବେଳେ ଚାଷକାର୍ଯ୍ୟ ସାଙ୍ଗକୁ ଦିନମଜୁରିଆ ଓ ପାରମ୍ପାରିକ ବୃତ୍ତିଧାରୀ ଅନ୍ୟମାନଙ୍କ ସଂଖ୍ୟା ତୁଳନାରେ ଅଧିକ। ସେମାନଙ୍କ ମଧ୍ୟରେ ଅର୍ଦ୍ଧାଧିକ ପ୍ରତିଦିନ ମଦ ପାନ କରିଥାନ୍ତି। ପ୍ରଥମେ ପ୍ରଥମେ ଥକ୍କା ମେଣ୍ଟାଇବା ପାଇଁ ସନ୍ଧ୍ୟା ସମୟରେ କର୍ମଠ ପୁରୁଷ ମଦ ପିଉଥିବା ବେଳେ ବର୍ତ୍ତମାନ ତାହା ସମସ୍ତଙ୍କ ନିଶାରେ ପରିଣତ ହୋଇଛି। ସକାଳ ହେଲେ ମଦଭାଟି, ରାତି ବେଳକୁ ବି ମଦଭାଠି ଯିବା ସେମାନଙ୍କ ଦୈନନ୍ଦିନ କାର୍ଯ୍ୟକ୍ରମରେ ପରିଣତ ହୋଇଛି। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦଭାଟିରେ ଲୋକଙ୍କ ଭିଡ଼ ଜମୁଥିବା ପରିଲକ୍ଷିତ ହେଉଛି। କଷ୍ଟଲବ୍ଧ ଉପାର୍ଜନ ମଦ ପଛରେ ଉଡୁଥିବା ବେଳେ ଧାରକରଜ ଏପରିକି ଘରର ଜିନିଷପତ୍ର ବିକ୍ରିକରି ମଦ ପିଇବାକୁ କେହି ପଛାଉ ନାହାନ୍ତି। ମଦର ଚାହିଦାକୁ ଲକ୍ଷ୍ୟ କରି ବଡ଼ସାହି ବ୍ଲକରେ ଗୋଟିଏ ସରକାରୀ ଦେଶୀ ମଦଭାଟି, ୪ଟି ବିକ୍ରୟକେନ୍ଦ୍ର ଓ ୪ଟି ବିଦେଶୀ ଠିପିବନ୍ଦ ମଦଦୋକାନ ଚାଲିଅଛି। ତେବେ ତାଲାବନ୍ଦ ଓ ସଟଡ଼ାଉନ ଭଳି ସ୍ଥିତିରେ କଟକଣା ପାଇଁ ଦୋକାନ ବନ୍ଦ ଯୋଗୁ ଚୋରା ବେପାର ବେଧଡ଼କ ଚାଲିଛି। ବ୍ଲକର ଦେଉଳିଆ, ଚନ୍ଦନପୁର, ଉଠାଣୀନୂଆଗାଁ, ଶିଆଳିଘାଟୀ, ପାଉଁଶିଆ, ଦୁର୍ଗାପୁର, ଯଦୁନାଥପୁର, ଟଙ୍ଗାଶୋଳ, ଖାନୁଆ, କୋଚିଳାଖୁଣ୍ଟା, କେନ୍ଦୁଡ଼ିଆ, ତାଳପଦା, ଜାରକାଣୀ, ପ୍ରତାପପୁର, ବୀରେଶ୍ୱରପୁର, ସାନକେରକୋ ଓ ନାଉପାଳ ଆଦି ପଞ୍ଚାୟତରେ ଚୋରା ଦେଶୀ ମଦ ପ୍ରସ୍ତୁତି ବେଧଡ଼କ ଚାଲିଛି। ମଦ ପ୍ରସ୍ତୁତି ପରେ ତାହା ପଡ଼ୋଶୀ ବ୍ଲକ ତଥା ଜିଲାକୁ ଚୋରା ଚାଲାଣ ହେଉଛି।
ମାଣତ୍ରୀ ପଞ୍ଚାୟତର ଗୌଡ଼ଗାଁ ଓ ଚନ୍ଦନପୁର ପଞ୍ଚାୟତର ବିଦ୍ୟାଧରଖୁଣ୍ଟା ଆଦିବାସୀ ସାହିରେ ପ୍ରତିବର୍ଷ ୩/୪ଜଣ ରୋଜଗାରକ୍ଷମ ବ୍ୟକ୍ତି ଅକାଳରେ ମୃତ୍ୟୁ ମୁଖରେ ପଡୁଛନ୍ତି। ଚୋରା କାରବାର ରୋକିବା ତଥା ମଦ୍ୟପଙ୍କୁ ମଧ୍ୟ ଗିରଫ କରାଯିବା ନିୟମ ଥିଲେ ହେଁ ତାହା ବାସ୍ତବରେ କାର୍ଯ୍ୟକାରୀ ହେଉନାହିଁ। ଅବକାରୀ ବିଭାଗ ସମ୍ପୂର୍ଣ୍ଣ ନିଷ୍କ୍ରିୟତା ତାଙ୍କର ବିଗତ ୩ମାସର ରେକର୍ଡ଼ ପ୍ରମାଣ କରୁଛି। ଏହି ସମୟ ସୀମା ମଧ୍ୟରେ ବ୍ଲକ ଅଞ୍ଚଳରେ ମାତ୍ର ୨ଟି କେସ ହୋଇଥିବା ବେଳେ ଅଭିଯୁକ୍ତ ଦୁହେଁ ଜାମିନରେ ଆସି ପୁର୍ନବାର କାରବାରରେ ଲିପ୍ତ। ସେହିପରି ବଡ଼ସାହି ଓ ବୈଶିଙ୍ଗା ପୁଲିସର କରୋନା ପାଇଁ ଅତିରିକ୍ତ ଦାୟିତ୍ୱ ଦୃଷ୍ଟିରୁ ଆଭ୍ୟନ୍ତରୀଣ ଅଞ୍ଚଳରେ ପେଟ୍ରୋଲିଂ ଧିମା ପଡ଼ିଛି। ଯାହାର ଫାଇଦା ବେପାର ଓ ମଦ୍ୟପଙ୍କୁ ସୁହାଇଛି। ସାମାଜିକ ଦୂରତା ଦୂରରେ ଥାଉ ମଦ ପିଇପିଇ ମଦ୍ୟପଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ଘଟୁଛି। ଫଳରେ ବିଭିନ୍ନ ରୋଗରେ ମୃତ୍ୟୁମୁଖରେ ପଡୁଛନ୍ତି। କରୋନା ପାଇଁ ନିଶାନିବାରଣ ଅଭିଯାନ ମଧ୍ୟ ଗ୍ରାମ ମହିଳାଙ୍କ ଦ୍ୱାରା ବନ୍ଦ ପଡ଼ିଛି। ଅବକାରୀ ବିଭାଗ ସ୍ୱତନ୍ତ୍ର ଭାବେ ଚୋରାକାରବାର ରୋକିବା ପାଇଁ କାର୍ଯ୍ୟ କରୁଥିବା ବେଳେ ଏଠାକାର ନିଷ୍କ୍ରିୟତା ସେମାନେ କୋମାରେ ଥିବା ଭଳି ଅନୁଭୂତ ହେଉଛି। ବିଭାଗର ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories