୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ବିଦ୍ୟାଳୟର ବିକଳ ଚିତ୍ର 

ସାକ୍ଷୀଗୋପାଳ : ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ସ୍ମାର୍ଟ ବିଦ୍ୟାଳୟ ଭାବେ ମାନ୍ୟତା ପାଇବାର ଗୋଟିଏ ବର୍ଷ ଭିତରେ ସାକ୍ଷୀଗୋପାଳ ସତ୍ୟବାଦୀ  ଉଚ୍ଚ  ବିଦ୍ୟାଳୟର କାର୍ଯ୍ୟାଳୟ ଠାରୁ ଆରମ୍ଭ କରି,ଏକାଧିକ ସ୍ମାର୍ଟ କ୍ଲାସ ରୁମ, ବିଜ୍ଞାନ ଗୃହ, ପାଠାଗାର, କମ୍ପ୍ୟୁଟର ରୁମ୍, ଶିକ୍ଷକ କମନ୍ ରୁମ, ସହ ପରୀକ୍ଷା ସମୟରେ ବ୍ୟବହୃତ  ଷ୍ଟ୍ରଙ୍ଗ ରୁମ ଆଦିରୁ ଦଶରୁ ଅଧିକ ସ୍ଥାନରୁ ଉପର ଛାତରୁ ସିମେଣ୍ଟ ପ୍ଳାଷ୍ଟର  ଖସି ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଛି।  ଗତ ମାର୍ଚ୍ଚ ମାସରେ କାର୍ଯ୍ୟାଳୟରେ କାମ କରୁଥିବା ସମୟରେ ଛାତରୁ ପ୍ଳାଷ୍ଟର ଖସି କିରାଣୀ  ସୁମନ୍ତ କୁମାର ଷଡଙ୍ଗୀ ଗୁରୁତର ଆହତ ହୋଇ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଏହାର କିଛି ଦିନ ଅନ୍ତରରେ ଅଫିସ କାର୍ଯ୍ୟାଳୟରୁ ଏକ ବିରାଟ ନାଗ ସାପକୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଉଦ୍ଧାର କରିଥିଲେ।  ପୁଣି ସେହି ସ୍ମାର୍ଟ କ୍ଲାସ ରୁମରୁ ଏକ ବିରାଟ ପ୍ଳାଷ୍ଟର  ଖସି ତଳେ ଥିବା ସିଲିଂକୁ ନଷ୍ଟ କରି ଛାତ୍ର ମାନେ ବସୁଥିବା ଡେସ୍କ ଉପରେ ପଡିଥିଲା। ତେବେ ବିଦ୍ୟାଳୟ ଖୋଲି ନ ଥିବାରୁ ସେହି  ସ୍ଥାନରେ କେହି ଉପସ୍ଥିତ ନଥିଲେ। ସେହିପରି ପାଠାଗାର ଘରୁ ମଧ୍ୟ ଏକ ବିରାଟ ପ୍ଳାଷ୍ଟର ଖଣ୍ଡ ଖସିଥିବା ଦେଖିବାକୁ ମିଳିଥିଲା । ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ  ଏହି ସବୁ ବିପଦ ପୂର୍ଣ୍ଣ  ଗୃହରେ ସ୍କୁଲ କର୍ତ୍ତୃପକ୍ଷ ଏବେ ଶିକ୍ଷା ଦାନ ବନ୍ଦ କରିଥିବା ବେଳେ ବିଦ୍ୟାଳୟର ପୁରୁଣା ଆଜବେଷ୍ଟ ଘରେ ପିଲାଙ୍କୁ ଶିକ୍ଷାଦାନ ଦେବା ଯୋଗୁଁ  ସ୍ମାର୍ଟ ବିଦ୍ୟାଳୟର ଯେଉଁ ସୁବିଧା ସୁଯୋଗ ପିଲାଙ୍କ ପାଇଁ ଲକ୍ଷ୍ୟ ଥିଲା ସେଥିରୁ ସେମାନେ ବଞ୍ଚିତ ହୋଇଛନ୍ତି। ଫଳରେ ସ୍ମାର୍ଟ ଯୋଜନା ଏଠି ଫସର ଫାଟିଥିବା ଅଧ୍ୟାୟନ ରତ ଛାତ୍ର ଛାତ୍ରୀ ଅଭିଯୋଗ କରିଛନ୍ତି।
prayash
ଅନ୍ୟପକ୍ଷରେ ସେଠାରେ ଉପଯୁକ୍ତ ସଂଖ୍ୟକ ଘର ନଥିବା ଅନ୍ୟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଏଥିପାଇଁ ବିଦ୍ୟାଳୟର ଆବଶ୍ୟକତା ଦୃଷ୍ଟିରୁ  ବିଗତ ଦିନରୁ ସତ୍ୟବାଦୀ ହାଇସ୍କୁଲ ପରିସରରେ ଥିବା ଅନ୍ୟ ଏକ ଶିକ୍ଷା ଅନୁଷ୍ଠାନ (ସିଟି) ସ୍କୁଲ ଯାହା ତତ୍କାଳୀନ ସତ୍ୟବାଦୀ ହାଇସ୍କୁଲ  ପ୍ରଧାନ ଶିକ୍ଷକଙ୍କ ଅନୁମତି କ୍ରମେ ଚାଲୁଥିଲା। ତାହାର କିଛି ଘର ଏବେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନରେ  ବ୍ୟବହାର  କରିବା ପାଇଁ  ହାଇସ୍କୁଲ କର୍ତ୍ତୃପକ୍ଷ ସିଟି ସ୍କୁଲ କର୍ତ୍ତୃପକ୍ଷଙ୍କୁ କହିଥିଲେ। ଏଥିରେ ରାଜି ହୋଇ ସିଟି ସ୍କୁଲ  କର୍ତ୍ତୃପକ୍ଷ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ରୁମ ଦେଇଥିଲେ । ମାତ୍ର ଚାବି ନିଜ ଅଧିନରେ ରଖିଛନ୍ତି।
ଅନେକ ସମୟରେ ସିଟି ସ୍କୁଲର ଚାବି ଖୋଳିବା ବିଳମ୍ବ ହେବାରୁ ଛାତ୍ରଛାତ୍ରୀ ମାନଙ୍କୁ କିଛି ସମୟ ପର୍ଯ୍ୟନ୍ତ  ଅପେକ୍ଷା  କରିବାକୁ ପଡୁଛି। ଏଥିରେ  ବିରକ୍ତ ପ୍ରକାଶ କରି ପିଲାମାନେ କହିଛନ୍ତି ଆମେ ସ୍ମାର୍ଟ ସ୍କୁଲରେ ପଢୁଥିଲେ ମଧ୍ୟ ଏହି ସ୍କୁଲରେ ଆରମ୍ଭରୁ ଆମେ କୌଣସି ସୁବିଧା ସୁଯୋଗ ପାଇ ନାହୁଁ । ବିଦ୍ୟାଳୟ ଛାତରୁ ପ୍ଲାସ୍ଟର ଖସୁଥିବାରୁ ସେଠାରେ ଆମ ପାଠ ପଢା ନ ହୋଇ ପୁରୁଣା ଆଜବେଷ୍ଟ ଘରେ ହେଉଛି। ପୁଣି ସେଠାରେ ଆମେ ଯେତିକି ପିଲା ଅଛୁ ସେଠାରେ ଜାଗା ନହେବାରୁ ଆମେ ସିଟି ସ୍କୁଲ  ଘରେ ପଢ଼ୁଛୁ।

Comments are closed.