ଦୟନୀୟ ରାସ୍ତା ଅବସ୍ଥା ପାଇଁ ବସ ସେବା ବାଧାପ୍ରାପ୍ତ
ଲୋକେ ହେଉଛନ୍ତି ହିନସ୍ତା
ଗୁରୁଡିଝାଟିଆ : ପୁରୁଣା କଟକ-ସମ୍ବଲପୁର ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି । କଖଡି ଠାରୁ କାପ୍ତାବରାଇ ଛକ, ଚମ୍ପାପୁର ଠାରୁ ଦହିସରା ପର୍ଯ୍ୟନ୍ତ ରାସ୍ତାଟି ଖାଲଖମାରେ ପରିଣତ ହୋଇଯିବା ସହ ଠିକାଦାର ଅଧାପନ୍ତରିଆ କରି ମାଟି ପକାଇ ରଖିଥିବାରୁ ଯାନବାହନ ଚଳାଚଳରେ ଗୁରୁତର ଅବସ୍ଥା ସୃଷ୍ଟି ହୋଇଛି । ପ୍ରତ୍ୟେକ ଦିନ ଏକାଧିକ ମାଲବୋଝେଇ ଟ୍ରକ ରାସ୍ତାରେ ଦବି ଯାଇ ପଡିରହୁଛି । ଯାହାଫଳରେ କି ଅନ୍ୟ ଗାଡିଗୁଡିକ ଯାଇପାରୁନାହିଁ । ପ୍ରକାଶ ଯୋଗ୍ୟ ପୁରୁଣା କଟକ-ସମ୍ବଲପୁର ରାସ୍ତାର ନୂଆପାଟଣା ଠାରୁ ଆଠଗଡ ପର୍ଯ୍ୟନ୍ତ ସଂପ୍ରସାରଣ କାର୍ଯ୍ୟକୁ ଠିକାଦାର କାର୍ଯ୍ୟାଦେଶ ପାଇ କାମ କରୁଅଛି । ହେଲେ ଠିକାଦାରଙ୍କ ଅପରିଣାମଦର୍ଶିତା ଯୋଗୁଁ ରାସ୍ତାରେ ଗାଡି ଚଳାଚଳ ଘୋର ବାଧାପ୍ରାପ୍ତ ହେଉଛି । ବିଶେଷତଃ ରାସ୍ତାକୁ ଉଚ୍ଚା କରିବା ନିମନ୍ତେ ଗୋଟିଏ ପାଶ୍ୱର୍ରେ ମାଟି ପକାଯାଇଥିବା ବେଳେ ଅନ୍ୟ ପାଶ୍ୱର୍ଟି ଖାଲ ହୋଇ ରହିଛି । ଅସରାଏ ବର୍ଷା ହେଲେ ମାଟି ପଡିଥିବା ସ୍ଥାନମାନଙ୍କରେ ରାସ୍ତା ଦବିଯାଇ ଭାରୀଯାନଗୁଡିକ ଫସି ରହୁଛି । ଏପରିକି ଢେଙ୍କାନାଳ ଅଞ୍ଚଳରୁ ଆଠଗଡ କଖଡି ଦେଇ ୩ଟି ବସ ଦୈନିକ ଭୂବନେଶ୍ୱରକୁ ଚଳପ୍ରଚଳ କରୁଥିଲା। ବର୍ଷାଦିନେ ରାସ୍ତାର ବିପର୍ଯ୍ୟସ୍ତ ଅବସ୍ଥା ଯୋଗୁଁ ଭାରୀଯାନ ଫସି ରହୁଥିବାରୁ ୩ଟି ଯାକ ବସ ସେବା ବନ୍ଦ ହୋଇ ଯାଇଛି। ଏହାଦ୍ୱାରା ଗ୍ରାମାଞ୍ଚଳର ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ବସ ଯୋଗେ କଟକ ଭୂବନେଶ୍ୱରକୁ ନ ଯାଇପାରି ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଛନ୍ତି । ରାସ୍ତାର ଅବସ୍ଥା ଏପରି ହୋଇଛି ଯେ ବିଦ୍ୟାର୍ଥୀମାନେ ସାଇକେଲ ଯୋଗେ ମଧ୍ୟ ଯାଇଆସି ପାରୁନାହାନ୍ତି । ରାସ୍ତା ଓ କୋଠାବାଡି ବିଭାଗ ପକ୍ଷରୁ କାର୍ଯ୍ୟାଦେଶ ନେଇ ଠିକାଦାରୀ ସଂସ୍ଥା ରାସ୍ତା ସଂପ୍ରସାରଣ କାର୍ଯ୍ୟ କରୁଛି । କ’ଣ ପାଇଁ ବର୍ଷାଦିନ ଅବ୍ୟବହିତ ପୂର୍ବରୁ ରାସ୍ତାରେ ମାଟି ପକା କାର୍ଯ୍ୟ ସଂପନ୍ନ କଲାନାହିଁ ବୋଲି ସାଧାରଣ ଜନତା ପ୍ରଶ୍ନ କରିଛନ୍ତି । ବର୍ଷାଦିନେ ରାସ୍ତାରେ ମାଟି ପକାଇ ଗାଡି ଚାଳକ ଓ ସାଧାରଣ ଜନତାଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି । ତୁରନ୍ତ ଏହାର ବିହିତ ପଦକ୍ଷେପ ନେବା ପାଇଁ ଦାବି ହୋଇଛି । ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ବେହେରାଙ୍କୁ ଘଟଣା ସଂପର୍କରେ ପଚାରିବାରୁ ସେ ଦୁଃଖ ପ୍ରକାଶ କରିବା ସହ ପାଗ ହେଲେ ରାସ୍ତାର ଖାଲଖମା ଏପରିକି ଯେଉଁ ସ୍ଥାନରେ ମାଟି ଦବି ଯାଇଛି ସେଥିରେ ସୁଧାର ଅଣାଯିବ ବୋଲି କହିଥିଲେ।
Comments are closed.