ଫସଲ ବୀମା ସଚେତନତା ଓ ବିହନ ବଣ୍ଟନ
ଆଠଗଡ : ଆଠଗଡ କୃଷି ବିଭାଗ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ଶନିବାର ପ୍ରଧାନମନ୍ତ୍ରୀ ଫସଲ ବୀମା ସଂପର୍କୀତ ଏକ ସଚେତନତା କର୍ମଶାଳା ସହିତ କୃଷକମାନଙ୍କୁ ବିଭିନ୍ନ ବିହନ ବଣ୍ଟନ କରାଯାଇଛି । ଆଠଗଡ ବ୍ଲକ କୃଷି ସୂଚନା ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ ଏବଂ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ରାଜ୍ୟର କୃଷକମାନଙ୍କର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କିପରି ଅଧିକରୁ ଅଧିକ ଚାଷୀ ଉପକୃତ ହୋଇପାରିବେ ସେ ଦିଗରେ ବ୍ୟାପକ ସଚେତନତା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତା ଯୋଗୁଁ ରାଜ୍ୟର କୃଷକମାନେ କିପରି ବିଭିନ୍ନ କ୍ଷେତ୍ରରେ ଅଧିକ ଆର୍ôଥକ ପ୍ରଗତି କରିପାରିବେ ସେ ଦିଗରେ କୃଷି ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ରିଆତି ମୂଲ୍ୟରେ ଆମ୍ବ, ନଡିଆ, ସଜନା, ଲେମ୍ବୁ, କାଜୁ, ସେପେଟା ଆଦି ବିଭିନ୍ନ ଫଳ ଗଛର ଚାରା ଯୋଗାଇ ଦିଆଯାଉଛି । ସେହିପରି ପ୍ରାଣୀ ସଂପଦ ବିଭାଗ ପକ୍ଷରୁ କୁକୁଡା ଚାଷ, ଗୋପାଳନ, ଘୁଷୁରି ପାଳନ ପାଇଁ ମଧ୍ୟ ରିଆତିର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ଏହି କର୍ମଶାଳା ଅବସରରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆଠଗଡ ଅଞ୍ଚଳରେ ୩୫ହେକ୍ଟର ଜମିରେ ଲଙ୍କା ଚାଷ ପାଇଁ ୧୭୫ଜଣ ଚାଷୀ, ୨୯ହେକ୍ଟର ଜମିରେ ଧନିଆ ଚାଷ ପାଇଁ ୨୯୦ଜଣ ଚାଷୀଙ୍କୁ ବିହନ ବଣ୍ଟନ କରା ଯାଇଥିଲା । ଏଥି ସହିତ କୃଷି ବିଭାଗ ପକ୍ଷରୁ ୧୪ହେକ୍ଟର ଜମିରେ ବିରି ଚାଷ ପାଇଁ ୭୦ଜଣ ଚାଷୀଙ୍କୁ ବିରି ବିହନ, ୧୦୦ହେକ୍ଟର ଜମିରେ ରାଶି ଚାଷ ପାଇଁ ୧୪୦ଜଣ ଚାଷୀଙ୍କୁ ବିହନ ବଣ୍ଟନ କରାଯାଇଥିଲା। ଏହି କର୍ମଶାଳାରେ ଜିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା ବ୍ଲକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ମଲ୍ଲିକ, ବ୍ଲକ କୃଷି ଅଧିକାରୀ ସନାତନ ବେହେରା, ସହକାରୀ କୃଷି ଅଧିକାରୀ ରାକେଶ କୁମାର ରାଉତ, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଷ୍ଣୁପ୍ରସାଦ ସିଂହ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଧନଞ୍ଜୟ ରାଉତ, ସହକାରୀ ସମବାୟ ନିବନ୍ଧକ ଆଲୋକ କୁମାର ବଳ, ପ୍ରଫୁଲ୍ଲ କୁମାର ପ୍ରଧାନ, ସନ୍ତୋଷ କୁମାର ଲେଙ୍କା, ରାଜ୍ୟ ବିହନ ଜୈବିକ ପ୍ରାମାଣିକ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ନିରାକାର ଲେଙ୍କା, ସମବାୟବିତ୍ ଲଳିତେନ୍ଦୁ ସେନାପତି, ପ୍ରଦୀପ୍ତ ଦାସ ପ୍ରମୁଖଙ୍କ ସମେତ ସମସ୍ତ କୃଷି କର୍ମଚାରୀ, କୃଷକ ସାଥୀ ଓ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ବହୁ କୃଷକ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।
Comments are closed.