ଟ୍ରାଫିକ୍ ଛକରେ ରେଡ୍ ସିଗନାଲ ଦେବା ସମୟରେ ଗାଡ଼ି ଇଞ୍ଜିନ ବନ୍ଦ ରଖନ୍ତୁ
ସାରା ଭାରତର ୪୦ ଟି ସହରରେ ଏବଂ ୧୨୦ଟି ଟ୍ରାଫିକ୍ ପୋଷ୍ଟରେ ସଚେତନ କରାଯାଉଛି
ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଅବସରରେ ‘ଏଚଡିଏଫସି’ ବ୍ୟାଙ୍କର ପରିବର୍ତ୍ତନ ଦ୍ୱାରା ଏକ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଏଜି ଛକ ଟ୍ରାଫିକ୍ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ଥିମ୍ ରହିଥିଲା ‘ଟ୍ରାଫିକ୍ ଛକରେ ଇଞ୍ଜିନ ଅଫ୍’। ମୁଖ୍ୟଅତିଥି ଭାବେ ଟ୍ରାଫିକ୍ ଡ଼ିସିପି ଠାକୁର ପ୍ରସାଦ ପାତ୍ର ଏହାକୁ ଉଦଘାଟନ କରି କହିଛନ୍ତି ଯେ ଗାଡ଼ିର ଦୂଷିତ ଧୂଆଁ ପ୍ରଭାବରେ ଅନେକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥିରୁ ବର୍ତ୍ତିବା ପାଇଁ ଟ୍ରାଫିକ୍ ଛକରେ ରେଡ୍ ସିଗନାଲ ଦେବା ସମୟରେ ଗାଡ଼ି ଇଞ୍ଜିନ ବନ୍ଦ ରଖନ୍ତୁ। ଯଦ୍ୱାରା ଗାଡ଼ିରୁ ବାହାରୁଥିବା ଧୂଆଁ ପରିବେଶକୁ ବଞ୍ଚାଇବା ସହ ଆଖପାଖ ଲୋକଙ୍କୁ ଏଥିରୁ ରକ୍ଷା କରିପାରିବ। ଏହାସହ ପରିବେଶକୁ ବଞ୍ଚାଇବାକୁ ସମସ୍ତେ ଗୋଟେ ଗୋଟେ ଗଛ ଲଗାନ୍ତୁ।
ଏଚଡିଏଫସି ଓଡ଼ିଶା ଜୋନର ଭାଇସ୍ ପ୍ରେସିଡେଣ୍ଟ କ୍ଳଷ୍ଟର ହେଡ ଅନିମେଶ ବିଶ୍ୱାଳ କହିଥିଲେ ଯେ ପରିବେଶ ଦିବସ ପାଇଁ ପରିବର୍ତ୍ତନ ମାଧ୍ୟମରେ ସାରା ଭାରତର ୪୦ ଟି ସହରରେ ଏବଂ ୧୨୦ଟି ଟ୍ରାଫିକ୍ ପୋଷ୍ଟରେ ସଚେତନ କରାଯାଉଛି। ଟ୍ରାଫିକ୍ ଛକରେ ଗାଡ଼ି ଅଟକିବା କ୍ଷଣି ଇଞ୍ଜିନ ବନ୍ଦ ରଖିବାକୁ ପ୍ରତ୍ୟେକ ଗାଡ଼ି ଚାଳକଙ୍କୁ ଆହ୍ୱାନ କରାଯାଉଛି। ଏହା ସହ ଅଧିକ ଗାଡ଼ି ବ୍ୟବହାର ନକରି ପବ୍ଳିକ୍ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ଲୋକଙ୍କୁ ବୁଝାଯାଉଛି। ଏହି ଅବସରରେ ଭୁବନେଶ୍ୱରର ଏଜି, କମିଶନରେଟ୍ ଅଫିସ୍ ଏବଂ ନାଲକୋ ଛକରେ ଏକ ଷ୍ଟ୍ରିଟ୍ ପ୍ଳେ ମାଧ୍ୟମରେ ଗାଡ଼ି ଚାଳକଙ୍କୁ ସଚେତନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଟ୍ରାଫିକ୍ ଏସିପି ସ୍ୱସ୍ତିକ ପଣ୍ଡା ଏବଂ ଆଇଆଇସି ଦେବେନ୍ଦ୍ର କୁମାର ବିଶ୍ୱାଳ ଉପସ୍ଥିତ ଥିଲେ।
Comments are closed.