ରକ୍ତ ଭଣ୍ଡାରରେ ଲାଗିବ ସ୍ୱୟଂଚାଳିତ ବର୍ଗୀକରଣ ଯନ୍ତ୍ର
ସମାଜ: ରକ୍ତ ଅଭାବରେ ଯେପରି କାହାର ମୃତ୍ୟୁ ହେବ ନାହିଁ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ରକ୍ତ ସଂଗ୍ରହ, ସଂରକ୍ଷଣ ଓ ଆଧୁନିକ ପଦ୍ଧତିିରେ ଏହାର ପରୀକ୍ଷା ଓ ବର୍ଗୀକରଣ ଦିଗରେ ଗୁରୁତ୍ବ ଦିଆଯାଉଛି। ନୂଆ ରକ୍ତଭଣ୍ଡାର, ମାନବସମ୍ବଳ ତଥା ଭିତ୍ତିଭୂମି ଉପରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ଏବେ ଏଥିରେ ସାମିଲ ହୋଇଛି ସ୍ବୟଂଚାଳିତ ବର୍ଗୀକରଣ (ଗ୍ରୁପିଂ) ତଥା କ୍ରସ ମ୍ୟାଚିଂ ଯନ୍ତ୍ର। ଯେଉଁଥିରେ ରକ୍ତ ବର୍ଗୀକରଣ ସହିତ ଦାତା ତଥା ରକ୍ତ ନେଉଥିବା ବ୍ୟକ୍ତିଙ୍କ ରକ୍ତ ନମୁନା ମେଳ କରାଯିବ। ଏହାଦ୍ବାରା ତ୍ବରିତ ତଥା ନିର୍ଭୁଲ କାର୍ଯ୍ୟ ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି।
ପୂର୍ବରୁ ରକ୍ତ ଗ୍ରୁପିଂ ଓ କ୍ରସ୍ ମ୍ୟାଚିଂ ସାଧାରଣ ପଦ୍ଧତିରେ କରାଯାଉଥିବାବେଳେ ଏଣିକି ସ୍ବୟଂଚାଳିତ ଯନ୍ତ୍ର ଜରିଆରେ କରାଯିବ। ଅନେକ ସମୟରେ ଯେଉଁ ଭୁଲ ରକ୍ତ ପ୍ରଦାନ ନେଇ ଅଭିଯୋଗ ହେଉଥିଲା ତାହା ଦୂର ହୋଇପାରିବ। ପ୍ରାରମ୍ଭରେ ରାଜ୍ୟର ୧୦ଟି ରକ୍ତଭଣ୍ଡାରରେ ଏଭଳି କାର୍ଯ୍ୟକ୍ରମ ଆରମ୍ଭ ହେବ। ବିଶେଷ କରି ଯେଉଁ ରକ୍ତ ଭଣ୍ଡାରରେ ୧୦ ହଜାର ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ହେଉଛି ସେଠାରେ ଏଭଳି ଯନ୍ତ୍ର ଦିଆଯିବ ବୋଲି ଜଣାପଡ଼ିଛି। ଖୁବଶୀଘ୍ର ଏ ଦିଗରେ ଟେଣ୍ଡର କରାଯାଇ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ରକ୍ତଭଣ୍ଡାରରେ ଏଭଳି ସୁବିଧା ଉପଲବ୍ଧ ହେବ। ସେହିପରି ଏବେ ସବୁ ରକ୍ତଭଣ୍ଡାରରେ ନାଟ୍ ପଦ୍ଧତିିରେ ପରୀକ୍ଷା କରାଯିବାକୁ ଯୋଜନା କରାଯାଇଛି। ଏବେ ୧୧ଟି ରକ୍ତ ଭଣ୍ଡାରରେ ନାଟ୍ ପଦ୍ଧତିରେ ପରୀକ୍ଷଣ କରାଯାଉଛି। ଆଗାମୀ ଦିନରେ ସବୁ ରକ୍ତଭଣ୍ଡାରରେ ନାଟ୍ ପଦ୍ଧତିରେ ପରୀକ୍ଷା କରାଯିବ। ସେହିପରି ରକ୍ତ ବର୍ଗୀକରଣ, କ୍ରସ ମ୍ୟାଚିଂ, ରକ୍ତଦାନ ଶିବିର ଆୟୋଜନ, ସୁରକ୍ଷିତ ଭାବେ ସଂଗ୍ରହ ଓ ଏହାର ସଂରକ୍ଷଣ ଉପରେ ଡାକ୍ତର ଓ ବୈଷୟିକ ବିଶେଷଜ୍ଞ ପ୍ରଶିକ୍ଷଣ ନେଉଛନ୍ତି। ଏନେଇ ବିଭିନ୍ନ ପର୍ଯ୍ୟାୟରେ ଏମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ବାରା ଏମାନେ ରକ୍ତଭଣ୍ଡାରର ସମସ୍ତ କାର୍ଯ୍ୟ ସହିତ ଅବଗତ ହୋଇପାରିବେ ଏବଂ ନିର୍ଭୁଲ ହୋଇପାରିବ। ଏବେ ରାଜ୍ୟରେ ୫୫ ଟି ରକ୍ତଭଣ୍ଡାର ସରକାରୀ ଓ ଦୁଇଟି ରେଡକ୍ରସ ଅଧୀନରେ ରହିଛି। ଏହାସହିତ ବିଭିନ୍ନ ଘରୋଇ ଡାକ୍ତରଖାନାରେ ରକ୍ତଭଣ୍ଡାର ରହିଛି। ବାର୍ଷିକ ୪.୫ ଲକ୍ଷ ୟୁନିଟ ରକ୍ତର ଆବଶ୍ୟକତା ଥିବାବେଳେ ପ୍ରାୟ ୯୦ ପ୍ରତିଶତରୁ ଅଧିକ ରକ୍ତ ସଂଗ୍ରହ କରାଯାଉଛି। ମାତ୍ର ୦.୦୧ ପ୍ରତିଶତ ସଂଗୃହୀତ ରକ୍ତର ଅବଧି ଶେଷ ଯୋଗୁଁ କୌଣସି କାର୍ଯ୍ୟରେ ଆସୁନାହିଁ। ଏବେ ଗ୍ରୀଷ୍ମ ଯୋଗୁଁ ପୂର୍ବାପେକ୍ଷା ରକ୍ତଦାନ ଶିବିର କମିଛି। ଏହାରି ଭିତରେ ରକ୍ତର ଅଭାବ ଦେଖା ଦେଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି।
Comments are closed.