ପିପିଲି : ଜଣେ ମାଆ ଉପରେ ପୁଅ କରିଥିବା ମରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ପିପିଲି ସହକାରୀ ଦୌରାଜଜ୍ ନିବେଦିତା ପଣ୍ଡା ଆଜି ଅଭିଯୁକ୍ତ ପୁଅ ବୈକୁଣ୍ଠ ବେହେରା (୨୩)କୁ ଦୋଷୀ ସାବ୍ୟସ୍ତ କରିବା ସହ ତାକୁ ଦୁଇବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନାଯୋଗ୍ୟ, ଡେଲାଙ୍ଗ ଥାନା ଅନ୍ତର୍ଗତ ପଟନପୁର ଗ୍ରାମର ସଂଯୁକ୍ତା ବେହେରାଙ୍କ ଉପରେ ତାଙ୍କ ପୁଅ ବୈକୁଣ୍ଠ ଗତ ୨୦୧୯ ମସିହା ସେପ୍ଟେମ୍ବର ୧୦ ତାରିଖ ରାତିରେ ମରଣାନ୍ତକ ଆକ୍ରମଣ କରିଥିଲା। ଉକ୍ତ ଦିନ ସଂନ୍ଧ୍ୟା ସମୟରେ ବୈକୁଣ୍ଠ ନିଜ ଶ୍ୱଶୁର ଘରକୁ ଯିବାପାଇଁ ମାଆ ସଂଯୁକ୍ତାଙ୍କ ଠାରୁ ୫ଶହ ଟଙ୍କା ମାଗିନେଇଥିଲା। କିନ୍ତୁ ସେ ଶ୍ୱଶୁର ଘରକୁ ନଯାଇ କିଛି ଘଣ୍ଟା ପରେ ଘରକୁ ଫେରିଥିଲା ଓ କବାଟ ବାଡେଇ ମାଆ ସଂଯୁକ୍ତାଙ୍କୁ ଡାକିଥିଲା। ସଂଯୁକ୍ତା କବାଟ ଖୋଲିବା କ୍ଷଣି ଅଭିଯୁକ୍ତ ବୈକୁଣ୍ଠ ତାଙ୍କ ମୁଣ୍ଡକୁ ଏକ କଟୁରୀରେ ଅତର୍କିତ ଆକ୍ରମଣ କରିଥିଲା। ଏହାପରେ ସେ ନିଜ ବାପା ବେଣୁଧର ବେହେରା ଓ ମାଆକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଆକ୍ରମଣରେ ସଂଯୁକ୍ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କୁ ତୁରନ୍ତ ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ଏ ସଂପର୍କରେ ପରଦିନ ବେଣୁଧର ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ବିଭିନ୍ନ ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ କରିଥିଲା ଓ ପରବର୍ତ୍ତି ସମୟରେ ଅଭିଯୁକ୍ତ ବୈକୁଣ୍ଠକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ମାମଲାର ଅଭିଯୋଗ ଫର୍ଦ୍ଦ କୋର୍ଟରେ ଦାଖଲ କରିଥିଲା।
ପିପିଲି ସହକାରୀ ଦୌରାଜଜ୍ ନିବେଦିତା ପଣ୍ଡା ଏହି ମାମଲାର ବିଚାର କରି ଆଜି ଅଭିଯୁକ୍ତ ବୈକୁଣ୍ଠକୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଦେଇଛନ୍ତି। ଭାରତୀୟ ଦଣ୍ଡବିଧି ଆଇନର ୩୨୪ ଦଫାରେ ଅଭିଯୁକ୍ତକୁ ଦୁଇବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ସୁଧିର କୁମାର ମହାନ୍ତି ଓ ରବିନ୍ଦ୍ର ନାଥ ନାୟକ ପରିଚାଳନା କରୁଥିଲେ।



