ବଟି ନ ଦେବାରୁ ଛୁରାମାଡ଼, ଜଣେ ଗୁରୁତର
ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ରେଳବାଇ କଲୋନୀରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଜଣଙ୍କ ଏକ କମ୍ପାନୀର ସୁପରଭାଇଜର ଆରପି ସିଂହ। ଦାଦା ବଟିକୁ ନେଇ ଏଭଳି ଘଟଣା ଘଟିଥିବା ଆଲୋଚନା ହେଉଛି। ଉକ୍ତ କର୍ମଚାରୀଙ୍କ ଶରୀରରେ ଛୁରା ଓ ଭଙ୍ଗା କାଚ ବୋତଲ ମାଡ଼ ହୋଇଥିବା କୁହାଯାଉଛି । ବେକ ପଛପଟରେ ମଧ୍ୟ ଗଭୀର ଆଘାତ ହୋଇଛି । ଗୁରୁତର ଅବସ୍ଥାରେ ଶ୍ରୀ ସିଂହଙ୍କୁ ପ୍ରଥମେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଦିନ ଦ୍ବିପ୍ରହରରେ ରାସ୍ତା ଉପରେ ଏଭଳି ମରଣାନ୍ତକ ଆକ୍ରମଣର ଭିଡିଓ ଓ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି । ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଶ୍ବେତପଦ୍ମା ସେଠ୍ କହିଛନ୍ତି । ଏହି ଘଟଣାରେ ୪ଜଣ ଯୁବକ ସାମିଲ ଥିବା ସାଧାରଣରେ ଆଲୋଚନା ହେଉଛି ।
Comments are closed.