ନୂଆଦିଲ୍ଳୀ: ରାତି ୯ଟା ପରେ ଆଉ ଏଟିଏମ୍ରେ ଟଙ୍କା ଭର୍ତ୍ତି କରାଯିବ ନାହିଁ। ସହରାଞ୍ଚଳ ପାଇଁ ଏହି ସମୟ ସୀମା ଧାର୍ଯ୍ୟ କରାଯାଇଥିବା ବେଳେ ଗ୍ରାମାଞ୍ଚଳରେ ସନ୍ଧ୍ୟା ୬ଟା ଏବଂ ନକ୍ସଲ୍ ଅଧ୍ୟୁଷିତ ଅଞ୍ଚଳରେ ଅପରାହ୍ନ ୪ଟା ପରେ ଟଙ୍କା ଭର୍ତ୍ତି କରିବା ଉପରେ କଟକଣା ଜାରି କରାଯାଇଛି। ୨୦୧୯ ଫେବୃଆରୀ ୮ ତାରିଖରୁ ଏହି କଟକଣା ଲାଗୁ ହେବାକୁ ଯାଉଥିବା ବେଳେ ଏ ସମ୍ପର୍କରେ ଏଟିଏମ୍କୁ ଟଙ୍କା ପରିବହନ ଓ ପରିଚାଳନା ଦାୟିତ୍ୱରେ ଥିବା ସମସ୍ତ ସଂସ୍ଥାଙ୍କୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଜଣାଇ ଦିଆଯାଇଛି।
ଏବେ ଦେଶରେ ପ୍ରାୟ ୮୦୦୦ ଘରୋଇ ଭ୍ୟାନ୍ ଦୈନିକ ୧୫ ହଜାର କୋଟି ଟଙ୍କା ନେଣଦେଣ କରୁଛନ୍ତି। ଏଥିପାଇଁ କୌଣସି ସମୟ ନିର୍ଘଣ୍ଟ ଜାରି କରାଯାଇନାହିଁ। ବେଳେ ବେଳେ ଘରୋଇ ସଂସ୍ଥାଗୁଡ଼ିକ ରାତିରେ ମଧ୍ୟ ଟଙ୍କା ପରିବହନ କରୁଛନ୍ତି। ଏଥିଯୋଗୁଁ ଅନେକ ସମୟରେ ଲୁଟ୍ ହେଉଥିବା ଅଭିଯୋଗ ହେଉଛି। ଏହାର ନିରାକରଣ ପାଇଁ ଏଟିଏମ୍ ଓ ବ୍ୟାଙ୍କରୁ ଟଙ୍କା ପରିବହନ ଓ ପରିଚାଳନା ପାଇଁ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ୍ଲାଇନ୍ ଜାରି କରାଯାଇଛି। ଏହି ନୂଆ ଗାଇଡ୍ଲାଇନ୍ ଅନୁଯାୟୀ, ଟଙ୍କା ପରିବହନ ବେଳେ ଘରୋଇ ସଂସ୍ଥାଗୁଡ଼ିକ ଭ୍ୟାନ୍ ସହିତ ଦୁଇଜଣ ସଶସ୍ତ୍ର ଘରୋଇ ସୁରକ୍ଷା କର୍ମୀ, ଦୁଇ ଜଣ ଏଟିଏମ୍ କୋଷାଧ୍ୟକ୍ଷ ନିୟୋଜିତ କରିବେ। ଜଣେ ସୁରକ୍ଷା କର୍ମୀ ଡ୍ରାଇଭରଙ୍କ ପାଖରେ ଆଗ୍ ସିଟ୍ରେ ଓ ଅନ୍ୟଜଣକ ପଛ ସିଟ୍ରେ ରହିବେ। ଲୋଡିଂ ଅନ୍ଲୋଡିଂ କିମ୍ବା ଖାଇବା ସମୟରେ ଜଣେ ଅତିକମ୍ରେ ଭ୍ୟାନ୍ ନିକଟରେ ପହରା ଦେବେ। ସୁରକ୍ଷା କର୍ମୀମାନଙ୍କର ସବିଶେଷ ତଥ୍ୟ ଓ ପୂର୍ବ ରେକର୍ଡ ପୁଲିସ ପାଖରେ ରହିବା ଜରୁରୀ। ଭ୍ୟାନ୍ଗୁଡ଼ିକରେ ଜିପିଏସ୍ ସିଷ୍ଟମ ଓ ସିିସିଟିଭି ଯୁକ୍ତ ହେବ ଓ କୌଣସି ଭ୍ୟାନ୍ ଗୋଟିଏ ଥରକେ ୫ କୋଟି ଟଙ୍କାରୁ ଅଧିକ ନେଇ ଯାଇପାରିବେ ନାହିଁ। ସେଥିରେ ଅଗ୍ନିନିର୍ବାପକ ବ୍ୟବସ୍ଥା ଓ ଜରୁରୀକାଳୀନ ଆଲୋକ ବ୍ୟବସ୍ଥା ରହିବ। ଟଙ୍କା ବାକ୍ସଗୁଡ଼ିକରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ରହିବ।
ରାତି ୯ଟା ପରେ ଏଟିଏମ୍ରେ ଟଙ୍କା ଭର୍ତ୍ତି ହେବ ନାହିଁ
Popular Categories



