ଆଠଗଡ଼: ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଓ ପୂର୍ତ୍ତ ବିଭାଗର ଉଦାସିନତା ଯୋଗୁଁ ପୁରୁଣା କଟକ-ସମ୍ବଲପୁର ରାସ୍ତାକାମ ସରିବାର ନାଁ ଧରୁନାହିଁ। ଦୀର୍ଘଦିନ ହେଲା ଏହି ରାସ୍ତା ଖୋଳାଖୋଳି କରି କାମ ଶେଷ କରାଯାଉନଥିବା ଯୋଗୁଁ ଉକ୍ତ ରାସ୍ତା ମରଣଯନ୍ତା ପାଲଟିଛି। ବାରମ୍ବାର ଏହି ରାସ୍ତାରେ ଦୁର୍ଘଟଣାମାନ ଘଟୁଛି। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାର ସେ ଦିଗରେ ବେଫିକର ରହୁଛନ୍ତି। ଫଳରେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହି ରାସ୍ତାର କନ୍ତୋଲ ନିକଟ ସାପୁଆ ପୋଲର ପାଖାପାଖି ରାସ୍ତାକଡକୁ ଠିକାସଂସ୍ଥା ଖୋଳାଖୋଳି କରି କାମ ନ କରି ଛାଡ଼ି ଦେଇଥିବା ଯୋଗୁଁ ସେଠାରେ ଗତ କିଛିଦିନ ମଧ୍ୟରେ ୪ରୁ ୫ ଟି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ କିଛି ଲୋକ ଆହତ ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏ ବାବଦରେ ଠିକାସଂସ୍ଥାର କର୍ମଚାରୀ ଓ ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିଲାନାହିଁ। ତେଣୁ ସୋମବାର ସ୍ଥାନୀୟ ଲୋକମାନେ ସେଠାରେ ଠିକାସଂସ୍ଥାର ଦୁଇଟି ଟ୍ରକ ରାସ୍ତା ମଝିରେ ଅଟକାଇ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ। ଯାହାଫଳରେ କିଛି ସମୟ ସେହି ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଆଠଗଡ଼ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଦିନେଶ କୁମାର ସାହୁ ଓ ସହକାରୀ ଯନ୍ତ୍ରୀ ଇଂ ପ୍ରମୋଦ କୁମାର ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ଠିକାସଂସ୍ଥାକୁ କହି ଯୁଦ୍ଧକାଳୀନ ଭିତ୍ତିରେ ସେହି ରାସ୍ତାର ମରାମତି କରିବା ପରେ ରାସ୍ତା ଅବରୋଧ ହଟିଥିଲା।
ମରଣଯନ୍ତା ପାଲଟିଛି ପୁରୁଣା କଟକ-ସମ୍ବଲପୁର ରାସ୍ତା: ରାସ୍ତାରୋକ ପରେ ଚେତିଲା ପୂର୍ତ୍ତ ବିଭାଗ
Popular Categories



