ଆଠଗଡ: ଆଠଗଡରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ଅଭାବ ଫଳରେ ବହୁ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ଏପରିକି ଏଥିପାଇଁ ସରକାରୀ ଅନୁଷ୍ଠାନ ମଧ୍ୟ ସୁରକ୍ଷିତ ରହୁନାହିଁ। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ରହୁଥିବାରୁ ପ୍ରଶାସନିକ ଦୁର୍ବଳତା ସ୍ପଷ୍ଟ ବାରିହେଉଛି। କିଛି ଦିନ ତଳେ ଆଠଗଡ ଉପଖଣ୍ତ ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ପାଖ ପାଚେରୀକୁ ବନବିଭାଗ ବିନା ଅନୁମତିରେ ମନ ଇଛା ଭାଙ୍ଗି ପକାଇଥିଲା।
ଏଥିସହିତ ଏସଡିପିଓ କାର୍ଯ୍ୟାଳୟ ପରିସରରେ ରହିଥିବା ଗାଡି ଓ ଯନ୍ତାଂଶ ପ୍ରଭୃତି ବନବିଭାଗ ନେଇଯାଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଉପଖଣ୍ତ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଵନ ବିଭାଗ ନାମରେ ଥାନାରେ ଅଭିଯୋଗ ହୋଇଥିଲା। ଏକଥା ସମାଧାନ ନହେଉଣୁ ସେପଟେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଓ ରେଙ୍ଗାଲି ଦକ୍ଷିଣ କେନାଲ ଜଳସେଚନ ପାଇଁ ପାଇପଲାଇନ ବିଛାଇବା କାର୍ଯ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଚାଲିଛି ।
ଚଳିତ ମାସ ୭ ତାରିଖରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ମେଘା ନିକଟରେ ପୂର୍ତ୍ତ ବିଭାଗର ବିନା ଅନୁମତିରେ ରାସ୍ତା ଖୋଳି ପକାଇଥିଲେ । ଏ ବିଷୟରେ ପୂର୍ତ୍ତ ବିଭାଗର ତାଗିଦ ପରେ କାର୍ଯ୍ୟ ବନ୍ଦ ରହିଥିଲା। ଏହି କାର୍ଯ୍ୟ ଆରଡବ୍ଲ୍ୟୁଏସଏସ ମାଧ୍ୟମରେ ହେଉଥିଲେ ମଧ୍ୟ ପୂର୍ତ୍ତ ବିଭାଗ ଓ ଆରଡବ୍ଲ୍ୟୁଏସଏସ ମଧ୍ୟରେ ସମନ୍ୱୟ ରହୁନଥିବା ଦେଖାଦେଇଛି। ସେହିପରି ଏବେ କିଛିଦିନ ପୂର୍ବରୁ ସହର ଉପକଣ୍ଠସ୍ଥିତ ସାପୁଆ ନଦୀ ନିକଟରେ ସରକାରୀ କୃଷି ଫାର୍ମର ଡ୍ରେନେଜ ଭାଙ୍ଗି ଫାର୍ମ ମଧ୍ୟରେ ରେଙ୍ଗାଲି ଦକ୍ଷିଣ କେନାଲ ଜଳସେଚନ ପାଇଁ ଠିକାସଂସ୍ଥା ପାଇନ ଲାଇନ ବେଆଇନ ଭାବରେ ନେଇଥିବା ଜଣାପଡିଛି।
ଏହି ପାଇପଲାଇନ କାର୍ଯ୍ୟ ରେଙ୍ଗାଲି ଦକ୍ଷିଣ କେନାଲର ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ କେବେ ହେଲେ କ୍ଷେତ୍ର ପରିଦର୍ଶନ କରନ୍ତି ନାହିଁ। କୃଷି ଫାର୍ମର ଏହି କ୍ଷୟକ୍ଷତି ସମ୍ପର୍କରେ ବିଭାଗୀୟ ଅଧିକାରୀ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଘଟଣା ବିଷୟରେ ଦଖଲ କେନାଲର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରେ ଏଭଳି ଅଭିଯୋଗ ଆସିଛି ଏବଂ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।



