ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବ୍ଲକସ୍ତରୀୟ ପ୍ରସ୍ତୁତି ବୈଠକ 

ଆଠଗଡ:  ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ବାତ୍ୟାର ରୂପ ନେଇ ଓଡିଶାର ପାରାଦ୍ବୀପ ଓ ପୁରୀ ମଧ୍ୟରେ ଆସନ୍ତା ୨୩ ବିଳମ୍ବିତ ରାତିରୁ ୨୪ ତାରିଖ ସକାଳ ମଧ୍ଯରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ବାତ୍ୟା ‘ଦାନା’ର ପ୍ରଭାବ କଟକ ସମେତ ରାଜ୍ୟର ୧୪ଟି ଉପକୂଳବର୍ତ୍ତୀ ତଥା ଆଭ୍ୟନ୍ତରୀଣ ଜିଲ୍ଲା ଉପରେ ପଡିବାର ଆଶଙ୍କା ରହିଥିବାରୁ ରାଜ୍ଯ ସରକାର ଏହି ସବୁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ଓ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଠଗଡ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ଭାବ୍ଯ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ମଙ୍ଗଳବାର ଏକ ବ୍ଲକସ୍ତରୀୟ ପ୍ରସ୍ତୁତି ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ବିଡ଼ିଓ ବିଜୟ କେତନ ଚୌଧୁରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ କଟକ ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ତହସିଲଦାର କ୍ଷେତ୍ରମୋହନ ସ୍ବାଇଁ, ସିଡିପିଓ ନିବେଦିତା ରାୟ, ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଭୁପ୍ରସାଦ ଖାଡ଼ଙ୍ଗାଙ୍କ ସମେତ ଅନ୍ଯ ପଦାଧିକାରୀ ଉପସ୍ଥିତ ରହି ପ୍ରସ୍ତୁତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଯଦି ବାତ୍ୟାର ବେଗ ଅଧିକ ରହେ ତେବେ ପରିସ୍ଥିତିର କିପରି ମୁକାବିଲା କରାଯିବ ଏବଂ ଲୋକଙ୍କ ଧନଜୀବନ କିପରି ରକ୍ଷା କରାଯିବ ସେଥିପାଇଁ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ଯେଉଁ ମାନେ ତଳିଆ ଅଞ୍ଚଳରେ ତଥା କଚ୍ଚା ଘରେ ରହୁଛନ୍ତି ପବନର ଭୟାବହତାକୁ ଦେଖି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଆଠଗଡ ବ୍ଲକରେ ୨ ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ୩୦ ଟି ବିଦ୍ୟାଳୟକୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ରୂପେ ଚିହ୍ନଟ କରାଯାଇଛି। ଅଧିକ ଆବଶ୍ୟକ ପଡିଲେ ପ୍ରତ୍ୟେକ ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମର ଅଙ୍ଗନବାଡି କେନ୍ଦ୍ର, କୋଠଘର ଏବଂ ପ୍ରାଥମିକ ବିଦ୍ୟାଳୟଗୁଡିକୁ ଅସ୍ଥାୟୀ ଆଶ୍ରୟ ସ୍ଥଳ ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଅଗ୍ନିଶମ, ବିଦ୍ୟୁତ, ପାନୀୟଜଳ ଓ ଅନ୍ଯ ଅତ୍ୟାବଶ୍ୟକ ସେବା ଯୋଗାଣକାରୀ ବିଭାଗଗୁଡିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଆଶ୍ରୟସ୍ଥଳୀରେ ପାନୀୟ ଜଳ ଓ ଆଲୋକର ବ୍ୟବସ୍ଥା କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଗର୍ଭବତୀ ମହିଳାଙ୍କ ପାଇଁ ସୁବ୍ୟବସ୍ଥା କରାଯାଇଛି। ଆବଶ୍ୟକ ସ୍ଥଳେ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସିଡିଓ ଶ୍ରୀ ରାୟ ସୂଚନା ଦେଇଥିଲେ। ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କ୍ଷେତ୍ର କର୍ମଚାରୀ ଉପସ୍ଥିତ ଥିଲେ। ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ରଶ୍ମି ରେଖା ନାୟକ ଓ ବ୍ଲକର ଅନ୍ଯ କର୍ମଚାରୀ ବୈଠକ ପରିଚାଳନାରେ ସହଯୋଗ କରିଥିଲେ ।
ସାମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ସ୍ଥାନୀୟ ଵିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବିଜେଡି ଦଳୀୟ କାର୍ଯ୍ୟାଳୟ ସୂର୍ଯ୍ୟ ଭଵନଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଶ୍ରୀ ସ୍ବାଇଁ ଅସୁସ୍ଥତା କାରଣରୁ ଚିକିତ୍ସାଧୀନ ଥିବାରୁ ଏ ନେଇ ଭୁବନେଶ୍ବରରୁ ଆଭାସି ମାଧ୍ୟମରେ ଆଠଗଡ ଓ ତିଗିରିଆ ବ୍ଲକର ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ଲୋକ ପ୍ରତିିନିଧି ମାନଙ୍କ ସହ ଆଲୋଚନା କରିଥିଲେ। ବାତ୍ୟା ସମୟରେ ଦଳୀୟ କାର୍ଯ୍ୟାଳୟ ଠାରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବା, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଶାସନକୁ ସହାୟତା କରିବା ସହିତ ଏହି ସମୟ ମଧ୍ୟରେ ଦଳ ପକ୍ଷରୁ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗ୍ରାମରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ଲାଗି ପଦକ୍ଷେପ ନିଆଯିବ ବୋଲି ବିଧାୟକ କହିଥିଲେ । ପରେ ବିଧାୟକ ସ୍ଵାଇଁଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ଓ ତିଗିରିଆ ବ୍ଲକର ଅଧ୍ୟକ୍ଷା ମିନତୀ ଆଚାର୍ଯ୍ୟ, ସଂଧ୍ୟା ରାଣୀ ନାୟକ, ଏନ୍ଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ସଞ୍ଜୟ ମଲ୍ଲିକ,ସଭ୍ୟା ଶାନ୍ତିଲତା ବେହେରା, ମିନତୀ ଗାଗରାଇ, ସସ୍ମିତା ରାଉତ, ବିଧାୟକଙ୍କ ଵ୍ଲକ ପ୍ରତିନିଧି ତଥା ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନୀଲ ପରିଡା, ସଂଗଠକ ପ୍ରକାଶ ରାଉତ, ରଞ୍ଜନ କୁମାର ଆଚାର୍ଯ୍ୟ, ବ୍ଲକ ଵିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ସମେତ ଦଳୀୟ ପ୍ରତିନିଧି ଉପ-ଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ସାମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଆଲୋଚନା କରିଥିଲେ ।

Comments are closed.