ଆଡପ ମଣ୍ଡପରେ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କ ଶେଷ ଦର୍ଶନ 

ଆଠଗଡ଼: ବାହୁଡା ଯାତ୍ରାର ପୂର୍ବଦିନ ନବମୀ ତିଥିରେ ଆଡପ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଆଠଗଡ଼ର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବଙ୍କୁ ନବମୀ ସନ୍ଧ୍ୟାରେ ଆଡପ ମଣ୍ଡପରେ ଶେଷ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା।

ଶ୍ରୀ ଜଗନ୍ନାଥଙ୍କର ବେଶ ଓ ଆଳତି ପୂର୍ବରୁ ଏବଂ ଆଳତି ବେଳେ ଓ ଆଳତି ପରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଲକ୍ଷ୍ମୀବଜାରସ୍ଥିତ ଗୁଣ୍ଡିଚା ମନ୍ଦିରରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସଂକୀର୍ତ୍ତନ ଗୁରୁ ଅଜୟ ଦାସଙ୍କ ପରିଚାଳନାରେ ସ୍ଥାନୀୟ ସଂକୀର୍ତ୍ତନ କଳାକାରମାନେ ପ୍ରତିଦିନ ଗୁଣ୍ଡିଚା ମନ୍ଦିରରେ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କ ସମମୁଖରେ ଭଜନ ଓ କୀର୍ତ୍ତନ କରିଥିଲେ ।

ଗତ ୮ଦିନ ଧରି ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କର ବିଭିନ୍ନ ବେଶ ଓ ନୀତିକାନ୍ତି ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର, ବଡପଣ୍ଡା ଶରତ କୁମାର ପଣ୍ଡା, ସ୍ୱାଗତ କୁମାର ପଣ୍ଡା ଓ ଅନ୍ୟ ସେବାୟତଙ୍କ ସହାୟତାରେ ସଂପନ୍ନ କରିଥିଲେ । ଆସନ୍ତା କାଲି ବାହୁଡା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡାଙ୍କ ସୂତ୍ରରୁ ପ୍ରକାଶ।

Comments are closed.