ରୋଗୀଙ୍କ ସଂପର୍କୀୟ ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଡାକ୍ତରଖାନାର ୪ର୍ଥ ଶ୍ରେଣୀ କର୍ମଚାରୀ ଗିରଫ

ଆଠଗଡ: ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ସଂପର୍କୀୟ ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଡାକ୍ତରଖାନାର ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଏଥିରେ ସଂପୃକ୍ତି ଥିବାରୁ ଗିରଫ କରାଯାଇ ଅଦାଲତ ଚାଲାଣ କରାଯାଇଛି। ଘଟଣାରୁ ପ୍ରକାଶ ଯେ କନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ରାଉତରାପୁର ଗ୍ରାମର ବାଉରୀବନ୍ଦୁ ରାଉତ ଜ୍ୱରରେ ଆକ୍ରାନ୍ତ ହେବାରୁ ୨ଦିନ ଧରି ଆଠଗଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସୋମବାର ଭୋର ପ୍ରାୟ ୪ଟା ବେଳେ ତାଙ୍କ ପତ୍ନୀ ଦାନ୍ତଘଷିବା ଲାଗି ପିଜୁଳି ଗଛରୁ ଡାଳ ଭାଙ୍ଗୁଥିବାବେଳେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ଆନନ୍ଦ ନାଏକ ମହିଳାଙ୍କୁ ଏକୁଟିଆ ଦେଖି ଅସଦାଚରଣ କରିଥିଲେ। ସଂପୃକ୍ତ ମହିଳା ଏ ସଂପର୍କରେ ଡାକ୍ତରଖାନାର ଅଧିକ୍ଷକଙ୍କୁ ଜଣାଇବା ପରେ ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର କାର୍ଯ୍ୟରତ ୨ଜଣ ସୁରକ୍ଷାକର୍ମୀଙ୍କ ବୟାନ ଆଧାରରେ ସଂପୃକ୍ତ ସଫେଇ କର୍ମଚାରୀଙ୍କ ବିରୋଧରେ ଆଠଗଡ ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

kalyan agarbati

Comments are closed.