ଆଠଗଡ: ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଆଠଗଡ ମଧ୍ୟ ଦେଇଯାଇଥିବା ସାପୁଆ ନଦୀରେ ମଙ୍ଗଳବାର ଆସିଥିବା ବନ୍ୟାଜଳ ଏଠାରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି କରିଛି। ବୁଧବାର ସନ୍ଧ୍ୟାସୁଦ୍ଧା ବନ୍ୟାଜଳ ଅନେକ ଗ୍ରାମ ଓ ସହରାଞ୍ଚଳର ସାହିବସ୍ତିରୁ ଖସିଥିବାବେଳେ ଲୋକଙ୍କ ଦୁର୍ଦଶା କିନ୍ତୁ କମିନାହିଁ। ଯେଉଁସବୁ ଗ୍ରାମାଞ୍ଚଳ ବା ସହରାଞ୍ଚଳର ଲୋକଙ୍କ ଘରେ ବନ୍ୟାଜଳ ପଶିଥିଲା ଏବେ ସେ ସବୁ ଘରେ ମାଟି, କାଦୁଅ ଭରି ହୋଇରହିଥିବାରୁ ଅନେକ ଲୋକଙ୍କ ଘରେ ରୋଷେଇବାସ କରାଯାଇନପାରି ଶୁଖିଲା ଖାଦ୍ୟ ହିଁ ସେମାନଙ୍କ ଆହାର ପାଲଟିଛି। କେତେକ ରାସ୍ତାରେ ବନ୍ୟାଜଳ ଏବେବି ପ୍ରବାହିତ ହେଉଥିବାରୁ ଯାତାୟତ ସମ୍ଭବପର ହୋଇନାହିଁ।
ବିଶେଷକରି ମାଧବପୁର ଓ ଦହିସରା ମଧ୍ୟବର୍ତ୍ତୀ ଢାଉରଙ୍ଗ ପୋଲ ଏବଂ ଉଭୟ ପାର୍ଶ୍ବର ସଂଯୋଗୀ ରାସ୍ତାରେ ପ୍ରାୟ ୩ଫୁଟ ଉଚ୍ଚ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପୁରୁଣା କଟକ-ସମ୍ବଲପୁର ରାସ୍ତାର ରାସ୍ତାରେ ଯୋଗାଯୋଗ ବିଚ୍ଚିନ୍ନ ହୋଇରହିଛି। ଫଳରେ ମାଧବପୁର ଓ ଧବଳେଶ୍ୱର ଦେଇ କଟକ ଯିବାଲାଗି ସେହି ରାସ୍ତାରେ ସମ୍ଭବପର ହେଉନାହିଁ। ଆସନ୍ତାକାଲି ସୁଦ୍ଧା ପାଣି ରାସ୍ତା ଉପରୁ କମିବାର ଆଶା କରାଯାଉଛି। ସାପୁଆର ଚଳିତ ବନ୍ୟାରେ ଆଠଗଡ ଅଞ୍ଚଳର ୬ଟି ପଞ୍ଚାୟତ ଅନ୍ତର୍ଗତ ୧୯ଟି ଗ୍ରାମର ୧୬୨୩୫ଲୋକ ପ୍ରଭାବିତ ହୋଇଥିବାବେଳେ କେତେକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ଫଳରେ ପ୍ରାୟ ୬୯୮୦ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ, ସ୍କୁଲଘର ଓ କୋଠଘରକୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ବୁଧବାର ପାଣି ଘେରରେ ରହିଥିବା ଦହିସରାର ଗୋଟିଏ ଗାଁ ଏବଂ ବାଇଲୋ ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି।
ଏହି ବନ୍ୟାରେ ପ୍ରାଥମିକ ଆକଳନ ଅନୁଯାୟୀ ପ୍ରାୟ ୩ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ଏବେବି ହଜାର ହଜାର ଏକର ଧାନଜମିରେ ବନ୍ୟାଜଳ ଭରପୁର ହୋଇ ରହିଥିବାବେଳେ ଶତାଧିକ ଏକର ଜମିରେ ପରିବା ଫସଲ ସଂପୂର୍ଣ୍ଣ ଉଜୁଡି ଯାଇଛି। ପାଣି ଛାଡିବା ପରେ କୃଷି କ୍ଷେତ୍ରର କ୍ଷୟକ୍ଷତି ଆକଳନ କରାଯିବ ବୋଲି ଜିଲ୍ଲା କୃଷି ଅଧିକାରୀ ଜଗବନ୍ଧୁ ମିଶ୍ର ପ୍ରକାଶ କରିଛନ୍ତି। ସେହିପରି ଏହି ବନ୍ୟାରେ ବହୁ ଚାଳ ଓ କଚ୍ଚାଘର କ୍ଷତିଗ୍ରସ୍ତ ହୋଇଥିବା ନେଇ ଅନେକ ଅଭିଯୋଗ ଆସୁଛି।
ତହସିଲ ପକ୍ଷରୁ ପାଣି ଛାଡିବା ପରେ ସେହିସବୁ କ୍ଷତିଗ୍ରସ୍ତ ବାସଗୃହ ସଂପର୍କରେ ଆକଳନ କରାଯିବ ବୋଲି ତହସିଲଦାର ତପନ କୁମାର ଖୁଣ୍ଟିଆ କହିଛନ୍ତି। ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ବନ୍ୟା ଓ ତାର ପରବର୍ତ୍ତୀ ସ୍ଥିତି ସଂପର୍କରେ ଆଠଗଡ ଉପଖଣ୍ଡର ୪ଟି ଯାକ ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନଙ୍କ ସହ ଆଲୋଚନା କରି କ୍ଷୟକ୍ଷତି ସଂପର୍କରେ ରିପୋର୍ଟ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଛନ୍ତି।



