ପୌର ନିର୍ବାଚନ : ୪ ନଗରପାଳ ଓ ୫୩ ପାରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଆଠଗଡ : ଆଠଗଡ ଏନଏସି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହେବା ସହ ନିର୍ବାଚନରେ ନିୟୋଜିତ କର୍ମଚାରୀ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚି ଯାଇଛନ୍ତି । ଗୁରୁବାର ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ୪ଜଣ ନଗରପାଳ ପ୍ରାର୍ଥୀ ଏବଂ ଅନ୍ୟଟିରେ ୫୩ ଜଣ ପାରିଷଦ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ କରିବେ ଆଠଗଡ ସହରାଞ୍ଚଳର ୧୮ଟି ୱାର୍ଡର ୧୩୯୩୭ଜଣ ମତଦାତା । ଆଠଗଡ ଏନଏସିର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ନିର୍ବାଚନରେ ନିୟୋଜିତ ଶତାଧିକ କର୍ମଚାରୀ ବୁଧବାର ସକାଳେ କାର୍ଯ୍ୟରେ ଯୋଗଦେବାପରେ ସେମାନଙ୍କୁ ଇଭିଏମ ଓ ଭୋଟ ଗ୍ରହଣରେ ବ୍ୟବହାର ହେବାକୁ ଥିବା ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇ ବୁଥ ଗୁଡିକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା। ଶେଷ ମୁହୂର୍ତ୍ତରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନଙ୍କୁ ସଂପୃକ୍ତ କଲ୍ୟାଣ ମଣ୍ଡପ ମଧ୍ୟରେ ଇଭିଏମ୍‍ର କାର୍ଯ୍ୟକାରିତା ଏବଂ ଭୋଟ ଗ୍ରହଣ ପରିଚାଳନା ସଂପର୍କରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଏବଂ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ବିରେନ୍ଦ୍ର କୋରକରା ପ୍ରଶିକ୍ଷଣ ଦେଇଥିଲେ।

ସେହିପରି ଆଠଗଡ ଆଇଆଇସି ବାମଦେବ ସ୍ୱାଇଁ ଓ ଉପଖଣ୍ଡ ପୁଲିସ ଅଧିକାରୀ ବିଜୟ କୁମାର ବିଶି ନିର୍ବାଚନରେ ନିୟୋଜିତ ହେବାକୁ ଥିବା ପୁଲିସ କର୍ମଚାରୀଙ୍କୁ ସେମାନଙ୍କର ଦାୟିତ୍ୱ ସଂପର୍କରେ ବୁଝାଇବା ସହ ବିଭିନ୍ନ ବୁଥକୁ ଯିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଆଠଗଡ ଏନଏସିର ୧୮ଟି ୱାର୍ଡ ପାଇଁ ୯ଟି ଶିକ୍ଷାନୁଷ୍ଠାନରେ ୧୮ଟି ବୁଥ କରାଯାଇଥିବାବେଳେ ରାସରସିକପୁର ସ୍କୁଲରେ ପିଙ୍କ୍‍ ବୁଥ ଏବଂ ସରକାରୀ ବାଳିକା ହାଇସ୍କୁଲରେ ଆଦର୍ଶ ବୁଥ କରାଯାଇଥିବା ନିର୍ବାଚନ ଅଧିକାରୀ ତଥା ତହସିଲଦାର ପ୍ରିୟବ୍ରତ ଦାସ ପ୍ରକାଶ କରିଛନ୍ତି । ନିର୍ବାଚନକୁ ଅବାଧ, ନିରପେକ୍ଷ, ତ୍ରୁଟିଶୂନ୍ୟ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସଂପନ୍ନ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ନିର୍ବାଚନ ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଏହାଛଡା ସମସ୍ତ ବୁଥରେ ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜ ଏବଂ ମାଧବପୁରସ୍ଥିତ ଜିମସାର ନର୍ସିଂ କଲେଜର ମୋଟ ୩୬ଜଣ ଜାତୀୟ ସେବା ଯୋଜନା (ଏନଏସଏସ) ସ୍ୱେଚ୍ଛାସେବୀଙ୍କୁ ଭୋଟରଙ୍କୁ ସହାୟତା ପାଇଁ ନିୟୋଜିତ କରାଯାଇଥିବା ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳାଙ୍କ ସୁତ୍ରରୁ ପ୍ରକାଶ। ଭୋଟ ଗ୍ରହଣ ସରିବା ପରେ ବିଭିନ୍ନ ବୁଥରୁ ପୋଲିଂ ଦଳ ଇଭିଏମ ଗୁଡିକୁ ଆଣିବା ପରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପର ଉପରମହଲାରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଷ୍ଟଙ୍ଗରୁମରେ ସେଗୁଡିକୁ କଡା ପୁଲିସ ସୁରକ୍ଷା ମଧ୍ୟରେ ରଖାଯିବାର ବ୍ୟବସ୍ଥା କରାଯାଇଛି।

Comments are closed.