ଆଠଗଡରେ ଫିକା ପଡିଲା ପୂଜା ଓ ଭସାଣି

ଆଠଗଡ : କରୋନା କଟକଣା ଯୋଗୁଁ ଚଳିତବର୍ଷ ଆଠଗଡରେ ଦୁର୍ଗାପୂଜା ଓ ଭସାଣି ଉତ୍ସବ ନିରାଡମ୍ବରରେ ପାଳିତ ହୋଇଥିଲା । ତେବେ ଦଶହରା ଦିନ ଆଠଗଡ ସହରରେ ସନ୍ଧ୍ୟା ୬ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା । ଏହି ଜନଗହଳି ମଧ୍ୟରେ ମାତ୍ର ୧୦ପ୍ରତିଶତ ଲୋକ ସଠିକ୍‍ ଢଙ୍ଗରେ ତୁଣ୍ଡି ପରିଧାନ କରିଥିବାବେଳେ ଅନ୍ୟମାନେ କେହି ତୁଣ୍ଡି ବାନ୍ଧି ନଥିଲେ । ବିଭିନ୍ନ ପୂଜା ମଣ୍ଡପରେ ସାମ୍ନାରେ ପରଦା ଟାଙ୍ଗିବାର ନିୟମ ରହିଥିଲେ ମଧ୍ୟ କେତେକ ପୂଜା ମଣ୍ଡପରେ ଏହାର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଥିଲା । ଆଠଗଡରେ ୫ଟି ସ୍ଥାନରେ ମା ଦୁର୍ଗାଙ୍କର ମୃଣ୍ମୟୀ ପ୍ରତିମା ଏବଂ ପ୍ରାୟ ୨୦ଟି ସ୍ଥାନରେ ହରପାର୍ବତୀଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଇଥିଲା । ଅଧିକାଂଶ ସ୍ଥାନରେ ମୂର୍ତ୍ତିଗୁଡିକର ଉଚ୍ଚତା ୪ଫୁଟ ମଧ୍ୟରେ ରହିଥିବାବେଳେ ଅନ୍ୟକେତେକ ସ୍ଥାନରେ ଏହାର ଉଚ୍ଚତା ଅଧିକ ଥିବା ଦେଖାଦେଇଥିଲା । ଭସାଣି ଉତ୍ସବ ଶନିବାର ହୋଇଥିବାବେଳେ ପୂର୍ବବର୍ଷଗୁଡିକ ଭଳି ସବୁ ପୂଜା ମଣ୍ଡପର ମେଢ ଗୁଡିକ ଏକତ୍ର ବାଜା, ବାଣ, ରୋଷଣିରେ ନଯାଇ ନିରାଡମ୍ବର ଭାବେ ପୃଥକ ପୃଥକ ଭାବେ ବିସର୍ଜନ ହୋଇଥିଲା। ସାପୁଆ ନଦୀର ଆଠଗଡ ସହର ଓ କନ୍ତୋଲ ଠାରେ ଏନଏସି ପକ୍ଷରୁ ନିର୍ମିତ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯାଇଥିଲା । ଆଠଗଡ ଆଇଆଇସି ଶୁଭ୍ରାଂଶୁ ଶେଖର ପରିଡାଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ସହକାରୀ ଉପଜିଲ୍ଲାପାଳ ପ୍ରିୟବ୍ରତ ଦାସ ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

Comments are closed.