ସରକାରଙ୍କୁ ଘେରିଲେ ବିରୋଧୀ ; ମିଲର୍ସ ଚଳାଉଛନ୍ତି ଧାନମଣ୍ଡି

ଚାଷୀଙ୍କ ଲାଗି ୨ହଜାର କୋଟିର ଆବର୍ତ୍ତନ ପାଣ୍ଠି ଗଠନ, କେନ୍ଦ୍ର ଉପରେ ଦୋଷ ଲଦିଲେ ମନ୍ତ୍ରୀ

ଭୁବନେଶ୍ବର : ଚାଷ ଓ ଚାଷୀଙ୍କ ସଶକ୍ତୀକରଣକୁ ନେଇ ରାଜ୍ୟ ସରକାର ବାହାସ୍ଫୋଟ ମାରୁଛନ୍ତି। ହେଲେ ଚାଷୀର କୋହ କହିଲେ ନସରେ। ଧାନ ସଂଗ୍ରହ ଲାଗି ସରକାରଙ୍କ ପାଖରେ ଆବଶ୍ୟକ ମଣ୍ଡି ନଥିବାବେଳେ ଟୋକନ ବ୍ୟବସ୍ଥା ଭେଳିକିରେ ପରିଣତ ହୋଇଛି। କଟଣି ଛଟଣି ଯୋଗୁଁ ଚାଷୀ ହନ୍ତସନ୍ତ ହେଉଥିବାବେଳେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ଆତ୍ମହତ୍ୟା କରୁଛନ୍ତି। ସରକାର କେବଳ କାଗଜ କଲମରେ କୃଷକଙ୍କ ପାଇଁ ସ୍ବତନ୍ତ୍ର ବଜେଟ ସାଙ୍ଗକୁ କାଳିଆ ଓ ବଳିଆ ଯୋଜନା କରୁଛନ୍ତି ବୋଲି କହୁଛନ୍ତି। ଏସବୁ ଚାଷୀର ଆଖିର ଲୁହ ପୋଛି ପାରୁନାହିଁ। ଏହି ପ୍ରସଙ୍ଗକୁ ନେଇ ଆଜି ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଥିଲେ। ଅନ୍ୟପକ୍ଷରେ ସରକାରୀ ଦଳ ପକ୍ଷରୁ କୃଷି ଓ କୃଷକଙ୍କ ପାଇଁ ରାଜ୍ୟ ସରକାର କେତେ ସମର୍ପିତ ତାହା ଦର୍ଶାଇବା ସହିତ କେନ୍ଦ୍ରୀୟ ଅବହେଳାକୁ ଦାୟୀ କରିଥିଲେ।
ଆଜି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ‘ଧାନ ପଡ଼ିଛି ମଣ୍ଡିରେ, ଲୁହ ଝରୁଛି ଚାଷୀ ଆଖିରେ’ ମୁଲତବି ଆଲୋଚନା ଆରମ୍ଭ କରି କହିଥିଲେ ଯେ, ସରକାର ଚାଷୀଙ୍କୁ ଯେଉଁ ଟୋକନ ଦେଉଛନ୍ତି ତାହା କାର୍ଯ୍ୟ‌େ‌ର ଆସୁନାହିଁ। ମିଲର୍ସଙ୍କ ସହ ସଲାସୁତୁରା ଯୋଗୁଁ ଚାଷୀକୁଳ ହନ୍ତସନ୍ତ ହେଉଛନ୍ତି। ସେ ବୌଦ୍ଧର ଜମାଘାଟି ଗ୍ରାମର ଚାଷୀ ଧରଣୀ ମେହେର କିଭଳି ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ଏବଂ ଟୋକନ ଫାସରେ ପଡି ପ୍ରାଣ ହରାଇଲେ ବୋଲି ଗୃହକୁ ଦର୍ଶାଇଇଥିଲେ। ସେ କହିଥିଲେ ଯେ, ସ୍ବର୍ଗତ ମେହେର ୫୬ କୁଇଣ୍ଟାଲ ଧାନ ବିକ୍ରି ଲାଗି ଟୋକନ ଜାନୁଆରୀ ୨୫ରେ ପାଇଥିଲେ। ଶତାଧିକ ଚାଷୀ ମଧ୍ୟ ଟୋକନ ପାଇଥିଲେ; ହେଲେ ମଣ୍ଡି ନଥିବାରୁ ସରକାର ମିଲର୍ସଙ୍କ ଉପରେ ନିର୍ଭର କରି ରହିଲେ। ଏହାରି ଭିତରେ ଟୋକନ ଅବଧି ପୂରଣ ହୋଇଗଲା। ପ୍ରାୟ ୨୩ଦିନ କାଳ ଧାନ ବିକିବା ଲାଗି ଉଦ୍ୟମ କରି ବିଫଳ ହେବାରୁ ମାନସିକ ଚାପରେ ରହି ଶେଷରେ ଧରଣୀ ମଣ୍ଡିରେ ଟଳି ପଡ଼ିଲେ। ରାଜ୍ୟ ସରକାର ତାଙ୍କ ପରିବାରକୁ ଅନୁକମ୍ପା ଦେଖାଇବା ପରିବର୍ତ୍ତେ ସେ ହୃଦ୍‌ଘାତରେ ମରିଥିବା ଦର୍ଶାଇଲେ। ତା’ର ଧାନ ବିକ୍ରି ହେଲା କି ନାହିଁ ସେ କଥା ବି ବୁଝିଲେ ନାହିଁ। ରାଜ୍ୟରେ ଗତ ୧୫ବର୍ଷ ଭିତରେ ୩୬୦୦ ଚାଷୀ ଆତ୍ମହତ୍ୟା କଲେଣି। ହେଲେ ୨୦୧୭ ପରେ ରାଜ୍ୟରେ ଆଉ ଚାଷୀ ଆତ୍ମହତ୍ୟା ରିପୋର୍ଟରେ ଦେଖିବାକୁ ମିଳୁନାହିଁ। ଯେତେ ଚାଷୀ ମରୁଛନ୍ତି ତାଙ୍କୁ ବିଭିନ୍ନ କାରଣ ଦର୍ଶାଇ ସରକାର ଟାଳି ଦେଉଛନ୍ତି। ପଡୋଶୀ ରାଜ୍ୟ ତେଲଙ୍ଗାନାରେ ଚାଷୀ ମୃତ୍ୟୁ ହେଲେ ୬ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରୁଥିବାବେଳେ ଆନ୍ଧ୍ରପ୍ରଦେଶ ୭ଲକ୍ଷ ଟଙ୍କା ଦେଉଛନ୍ତି। ଓଡ଼ିଶା ସରକାର କାହିଁକି ଚାଷୀଙ୍କ ପ୍ରତି ଏଭଳି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ତାହା ବୁଝାପଡୁନାହିଁ।
ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଥିଲେ ଯେ, ସରକାର କୋଭିଡରେ ମୃତକଙ୍କ ତଥ୍ୟ ଲୁଚାଇବା ଭଳି ଚାଷୀଙ୍କ ଆତ୍ମହତ୍ୟା ତଥ୍ୟକୁ ଲୁଚାଉଛନ୍ତି। ୨୦୨୧ରେ କେନ୍ଦ୍ରୀୟ ପ୍ରତିନିଧି ଦଳ ୪ଟି ଜିଲା ଗସ୍ତ କରି ଧାନ ସଂଗ୍ରହର ବାସ୍ତବ ଚିତ୍ର ପରଖିଥିଲା। ପ୍ରତିନିଧି ଦଳ ଯେଉଁ ସୁପାରିସ ସରକାରଙ୍କୁ କରିଥିଲେ ତା’ର କୌଣସି ଗୋଟିଏ ବି କାର୍ଯ୍ୟକାରୀ ହୋଇନାହିଁ। ଟୋକନ ଲାପ୍ସ ହେଲେ ତା’ର ଅବଧି ବଢୁନାହିଁ। ୭୦ଲକ୍ଷ ମେଟ୍ରିକ୍ ଧାନ ସଂଗ୍ରହ କରୁଥିବା‌େ‌ବେଳେ ସରକାରଙ୍କ ପାଖରେ ମାତ୍ର ୨.୭୬ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂରକ୍ଷଣର ବ୍ୟବସ୍ଥା ରହିଛି। ସରକାର ସମ୍ପୂର୍ଣ୍ଣ ଭାବେ ମିଲର୍ସଙ୍କ ଉପରେ ନିର୍ଭରଶୀଳ। ରାଜ୍ୟରେ ପୂର୍ବରୁ ୯୧୭ଟି ପିଣ୍ଡି ଥିବାବେଳେ ଏବେ ଏହା ୬୨୨କୁ ଖସି ଆସିଲାଣି। ଏ ସରକାର କେବଳ ଚାଷୀଙ୍କ ବିରୋଧୀ ସରକାର କହି ସମାଲୋଚନା କରିଥିଲେ। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗତ ବିଧାନସଭା କାଳରେ କିଭଳି ଚାଷୀଙ୍କ ପାଇଁ ବିଷପାନ କରିଥିଲେ ତା’ର ଅବତାରଣା କରିଥିଲେ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ, ସରକାର ଚାଷ ଓ ଚାଷୀଙ୍କ ପାଇଁ ସବୁ ଯୋଜନା କରୁଛୁ ବୋଲି କେବଳ ଗୋଲାପି ଚିତ୍ର ଦେଖାଉଛନ୍ତି, ବାସ୍ତବ ଚିତ୍ର କିନ୍ତୁ ନିଆରା। ରାଜ୍ୟର ଶତାଧିକ ଚାଷୀ ୨ମାସ ହେଲାଣି ଧାନ ବିକ୍ରି କରିଥିଲେ ମଧ୍ୟ ତାଙ୍କ ପ୍ରାପ୍ୟ ପାଇ ନାହାନ୍ତି। ଧରଣୀଧରଙ୍କ ୫୬ କୁଇଣ୍ଟାଲ ଧାନ ମଣ୍ଡିରେ ପଡିଛି। ୧ଲକ୍ଷ ଚାଷୀ ରାଜ୍ୟରେ ଆତ୍ମହତ୍ୟା କଲେଣି। ଜଙ୍ଗଲ ଜମି ପାଇଁ ସରକାର ଜଳକର ନେଉଚନ୍ତି। ଚାଷୀଙ୍କୁ ଏମଏସପି ମିଳୁନାହିଁ। ସରକାର ୨୦୪୦ଟଙ୍କା ଧାନ କୁଇଣ୍ଟାଲ ପିଛା ଏମଏସପି ନିର୍ଦ୍ଧାରଣ କରିଥିଲେ ହେଁ ତାହା ମିଳୁନାହିଁ। ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ୧୩୦୦ରୁ ୧୪୦୦ ଟଙ୍କାରେ ଧାନ ବିକ୍ରି କରୁଛନ୍ତି। ଏକ ହାଉସ କମିଟି ଗଠନ କରାଯାଇ ଏସବୁ ସମସ୍ୟାର ସମାଧାନ କରିବା ଲାଗି ଶ୍ରୀ ବାହିନୀପତି ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କରିଥିଲେ।
ଅନ୍ୟପକ୍ଷରେ ସରକାରୀ ଦଳ ସଭ୍ୟ ପଦ୍ମନାଭ ବେହେରା କହିଥିଲେ ଯେ, ଏହି ମୁଲତବି ପ୍ରସ୍ତାବ କେବଳ ଉଦ୍ଦେଶ୍ୟମୂଳକ। ୨୦୨୧-୨୨ରେ ୧୫ଲକ୍ଷ ୪୩ହଜାର ଚାଷୀ ଧାନ ବିକ୍ରି ପାଇଁ କରିଥିବାବେଳେ ୨୦୨୨-୨୩ରେ ୧୬ଲକ୍ଷ ୫୯ହଜାର ଚାଷୀ ଯୋଗ୍ୟ ବିବେଚିତ ହୋଇଥିଲେ। ଚଳିତବର୍ଷର ଗତକାଲି ସୁଦ୍ଧା ୧୩ଲକ୍ଷ ୯୪ହଜାର ୫୦୦ ଚାଷୀ ୬୨ଲକ୍ଷ ୧୧ହଜାର ୪୧୯ ମେଟ୍ରିକ ଟନ୍ ଧାନ ବିକ୍ରି କରିଛନ୍ତି। କେନ୍ଦ୍ର ଉପରେ ୧୧ହଜାର ୮୩୫କୋଟି ଟଙ୍କାର ଅଗ୍ରିମ ରିଆତି ବାବଦ ଅର୍ଥ ଗଡୁଛି। ରାଜ୍ୟ ସରକାର ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ୨ହଜାର କୋଟି ଟଙ୍କାର ରିଭଲଭିଂ ପାଣ୍ଠି ଗଠନ କରିଛନ୍ତି। ବିଧାୟକ ଅମର ପ୍ରସାଦ ଶତପଥୀ ‘ଜିଏଚଆଇ’ ରିପୋର୍ଟରେ ଓଡ଼ିଶାର ରାଙ୍କ ୧୦୭ରେ ରହିଛି। ଟୋକନର ବ୍ୟବସ୍ଥା ଠିକଣା ହେବାର ଆବଶ୍ୟକତା ରହିଛି। ଆଲୋଚନାରେ ବିଧାୟକ ରମେଶ ଚନ୍ଦ୍ର ବେହେରା ସରକାରୀ ପଦ‌େ‌କ୍ଷପକୁ ପ୍ରଶଂସା କରିଥିଲେ।
ବିରୋଧୀଙ୍କୁ ଜବାବ ଦେଇ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ, ୨୦୦୦ ମସିହାରେ ରାଜ୍ୟ ମାତ୍ର ୫ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ କରୁଥିବାବେଳେ ଏବେ ଏହା ୭୦ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ କରିବା ସହିତ ଏକ ଶସ୍ୟ ବଳକା ରାଜ୍ୟରେ ପରିଗଣିତ ହୋଇଛି। କୃଷି କ୍ଷେତ୍ରରେ ଜାତୀୟସ୍ତରରେ ଏକ ଅଗ୍ରଣୀ ରାଜ୍ୟ ପାଲଟିଛି ବୋଲି ଭି ଜେ ରବିଶଙ୍କର ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଏହା ଫଳରେ ଚାଷୀଙ୍କୁ ଅଭାବୀ ଧାନ ବିକ୍ରିରୁ ରକ୍ଷା କରାଯିବା ସହିତ ଓଡ଼ିଶା ଏକ ଚାଉଳ ବଳକା ରାଜ୍ୟରେ ପରିଣତ ହୋଇଛି । ରାଜ୍ୟର ଚାଷୀଙ୍କଠାରୁ ସରକାରୀ ଘୋଷିତ ଦରରେ, ନିର୍ଦିଷ୍ଟ ସମୟ ମଧ୍ୟରେ ଓ ନିର୍ଦ୍ଧାରିତ ଅମଳ ହାରରେ ସମସ୍ତ ବିକ୍ରି ଯୋଗ୍ୟ ଧାନ କ୍ରୟ, ଅବିଳମ୍ବେ ପ୍ରାପ୍ୟ ପ୍ରଦାନ ଓ ଅଭିଯୋଗ ଉପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ସହିତ ରାଜ୍ୟ ସରକାର ଧାନ ସଂଗ୍ରହ ବ୍ୟବସ୍ଥାକୁ ସ୍ବଚ୍ଛ ଓ ବ୍ୟବସ୍ଥିତ କରିଛନ୍ତି । ପ୍ରାଥମିକ କୃଷି ସମବାୟ ସମିତିମାନେ ପଞ୍ଜିକୃତ ଚାଷୀଙ୍କ ନିକଟରୁ ସିଧାସଳଖ ଧାନ ସଂଗ୍ରହ କରୁଛନ୍ତି । କେତେକ ଜିଲାରେ ଯୋଗ୍ୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ପାଣି ପଞ୍ଚାୟତଗୁଡିକୁ ମଧ୍ୟ ଧାନ ସଂଗ୍ରହରେ ସାମିଲ କରାଯାଇଛି। ପଞ୍ଜିକୃତ ଚାଷୀଙ୍କଠାରୁ ବଳକା ଧାନ ସଂଗ୍ରହ କରାଯାଉଛି । ଧାନ ବିକ୍ରି ମୂଲ୍ୟର ପ୍ରତ୍ୟକ୍ଷ ହସ୍ତାନ୍ତର ଚାଷୀଙ୍କ ବ୍ୟାଙ୍କ ଜମା ଖାତାକୁ ଅନଲାଇନ ପ୍ରକ୍ରିୟାରେ ସିଧା ସଳଖ ପଠାଯାଉଛି। ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ନିୟମିତ ବୈଠକ କରି ଧାନ ସଂଗ୍ରହରେ ଉପୁଜୁଥିବା ସମସ୍ୟାଗୁଡିକ ସମାଧାନ ପାଇଁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ରାଜ୍ୟ ସରକାର ଅନଲାଇନ ଟୋକନ ବ୍ୟବସ୍ଥା ଗ୍ରହଣ କରି ଉକ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ଓ ନିରପେକ୍ଷତା ପ୍ରଦାନ କରିଛନ୍ତି। ନିର୍ଦ୍ଧାରିତ ଅମଳ ହାରରେ ଚାଷୀ ତା’ର ସମସ୍ତ ଉତ୍ପାଦିତ ବଳକା ସରକାରଙ୍କୁ ବିକ୍ରି କରିବା ବ୍ୟବସ୍ଥା ଅବ୍ୟାହତ ରହିଛି । ଫଳରେ ଅଧିକ ସଂଖ୍ୟାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଧାନ ସଂଗ୍ରହ ବ୍ୟବସ୍ଥାରେ ପ୍ରବେଶ ପାଇଁ ପଥ ସୁଗମ କରାଯାଇଛି ।
ସେ କହିଥିଲେ ଯେ, ଧାନ ସଂଗ୍ରହ ବର୍ଷ ୨୦୨୧ ଖରିଫରେ ପ୍ରଥମଥର ପାଇଁ ଚାଷୀ ପଞ୍ଜୀକରଣ ସମୟରେ ଚାଷୀମାନେ ପ୍ରଦାନ କରିଥିବା ଚାଷ ସମ୍ବନ୍ଧୀୟ ତଥ୍ୟକୁ ସାଟେଲାଇଟ ମାଧ୍ୟମରେ ଯାଞ୍ଚ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡ଼ା ଓ କୋରାପୁଟରେ ନମୁନା ପ୍ରକଳ୍ପ ଭାବେ ବିଭାଗ ତରଫରୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ବ୍ୟବସ୍ଥା ୧୭ଟି ଜିଲାରେ ଲାଗୁ କରାଯାଇଥିଲା । ଚଳିତ ବର୍ଷ ଖରିଫରେ ରାଜ୍ୟର ସମସ୍ତ ଜିଲା ପାଇଁ ଲାଗୁ କରାଯାଇଛି। ଅଦ୍ୟାବଧି କ୍ରୟ କରାଯାଇଥିବା ୬୨ଲକ୍ଷ ୧୧ହଜାର ୪୧୯ ମେଟ୍ରିକ ଟନ ଧାନ ମଧ୍ୟରୁ ୯୫ହଜାର ୩୮ ମେଟ୍ରିକ ଟନ ଧାନ ମଣ୍ଡିରୁ ‘କ‌ଷ୍ଟମ ମିଲିଂ’ ପାଇଁ ହସ୍ତାନ୍ତର ପ୍ରକ୍ରିୟା ଚାଲୁ ରହିଛି। ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଓଡିଶା ଯୋଗାଣ ନିଗମକୁ ଦାୟିତ୍ବ ପ୍ରଦାନ କରାଯାଇଛି। ଚଳିତ ଖରିଫରେ ଧାନ ଓ ଚାଉଳ ସଂଗ୍ରହ ପାଇଁ ଓଡିଶା ଯୋଗାଣ ନିଗମ ଅଦ୍ୟାବଧି ୨୪ହଜାର ୪୦୦କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଋଣ ଭାର ବହନ କରିଛି । ଭାରତ ସରକାରଙ୍କ ଦ୍ବାରା ସ୍ବାକ୍ଷରିତ ବୁଝାମଣାପତ୍ର ଅନୁସାରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଧାନ ଓ ଚାଉଳ ସଂଗ୍ରହ କାର୍ଯ୍ୟର ଖର୍ଚ୍ଚ ଭରଣା କରିବା ପାଇଁ ପ୍ରତି ତ୍ରୈମାସିକ ଅଗ୍ରୀମ ସବ୍‌ସିଡି ପ୍ରଦାନ କରିବା କଥା କିନ୍ତୁ ଏହା ନିୟମିତ ଭାବରେ କରାଯାଉନାହିଁ। ଭାରତ ସରକାରଙ୍କ ଠାରୁ ରିଆତି ଅର୍ଥ ରାଶି ଠିକଣା ସମୟରେ ହସ୍ତଗତ ନହେଲେ ମଧ୍ୟ ବ୍ୟାଙ୍କ ଋଣ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ରାଜ୍ୟ ଯୋଗାଣ ନିଗମ ସର୍ବଦା ପ୍ରୟାସରତ। ରାଜ୍ୟ ସରକାର ଧାନ ସଂଗ୍ରହ ବ୍ୟବସ୍ଥାକୁ ସ୍ବଳ୍ପ, କ୍ରିୟାଶୀଳ ଏବଂ ଚାଷୀ-ଅନୁକୂଳ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।

Comments are closed.