୭ରୁ ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ଶୁକ୍ରବାରଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ ଖର୍ଚ୍ଚ ଦାବି ଆଲୋଚନା ସହିତ ବ୍ୟୟମଞ୍ଜୁରୀ ବିଧେୟକ ପାରିତ ହେବ। ଏହି ଲମ୍ବା ଅବଧି ଭିତରେ ଗୃହରେ ଏକାଧିକ ପ୍ରସଙ୍ଗକୁ ନେଇ ଶାସକ ବିଜେପିକୁ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ବେଶ୍ ସରଗରମ ହେବା ସମ୍ଭାବନା ରହିଛି। ପ୍ରତିବର୍ଷ ମାର୍ଚ୍ଚ ୫ରେ ପାଳନ ହୋଇ ଆସୁଥିବା ପଞ୍ଚାୟତିରାଜ ଦିବସ ଚଳିତ ବର୍ଷ ବନ୍ଦ କରାଯିବା ଘଟଣାକୁ ନେଇ ସରକାରଙ୍କୁ ବିଜେଡି ଘେରିବାର ସମ୍ଭାବନା ରହିଛି। କଂଗ୍ରେସ ମଧ୍ୟ ଆଇନଶୃଙ୍ଖଳା, ଏସଆଇ ପରୀକ୍ଷା ପରିଚାଳନା ଦାୟିତ୍ବ ପ୍ରଦାନରେ ଦୁର୍ନୀତିକୁ ପ୍ରସଙ୍ଗ କରିପାରେ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଫେବୃଆରୀ ୧୩ରୁ ୨୧ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପ୍ରଥମ ପର୍ଯ୍ୟାୟ ସ୍ବଳ୍ପକାଳୀନ ଅଧିବେଶନରେ ସରକାର ୨୦୨୫-୨୬ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୯୦ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ। ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ବଜେଟ ଉପରେ ଆଲୋଚନା ଶେଷ ହେବା ପରେ ବାଚସ୍ପତି ଗୃହକୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଏବେ ପଞ୍ଚାୟତିରାଜ ଦିବସ ପାଳନ ବନ୍ଦକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ୧୯୯୩ ମସିହାରୁ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳନ ହୋଇ ଆସୁଛି। ୨୦୨୪ରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ଘଟିବା ସହିତ ବିଜେପି ସରକାର ଗଠନ କରିଛି। ସରକାର ପଞ୍ଚାୟତିରାଜ ଦିବସ ପାଳନ ଏପ୍ରିଲ ୨୪ରେ ହେବ ବୋଲି ଘୋଷଣା କରିବା ସହିତ ଛୁଟି ମଧ୍ୟ ବାତିଲ କରିଦେଇଛନ୍ତି। ରାଜ୍ୟ ସରକାରଙ୍କ ଏ ପ୍ରକାର ନିଷ୍ପତ୍ତିକୁ ବିରୋଧୀ ବିଜେଡି ହଜମ କରିପାରିନାହିଁ। ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ ବିଜେପିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଅସହିଷ୍ଣୁ ହୋଇ ବିଜେପି ଜନମାନସରୁ ବିଜୁବାବୁଙ୍କୁ ହଜାଇ ଦେବାକୁ ହୀନ ଚକ୍ରାନ୍ତ ଚଳାଇଛନ୍ତି। ରାଜ୍ୟବାସୀଙ୍କ ହୃଦୟରୁ କେବେବି ସରକାର ବିଜୁବାବୁଙ୍କୁ ହଟାଇ ପାରିବେନି ବୋଲି ସେ କହିଛନ୍ତି। ବରିଷ୍ଠ ବିଧାୟକ ଗଣେଶ୍ବର ବେହେରା ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ତିନି ଦଶନ୍ଧିରୁ ଅଧିକ ସମୟ ଧରି ମାର୍ଚ୍ଚ ୫ରେ ପାଳିତ ହୋଇ ଆସୁଥିବା ପଞ୍ଚାୟତିରାଜ ଦିବସକୁ ସରକାର ପାଳନ ନ କରିବା ହୀନମନ୍ୟତାର ପରିଚୟ। ଏଭଳି ନିଷ୍ପତ୍ତି ଦୁର୍ଭାଗ୍ୟଜନକ। ଏହି ପ୍ରସଙ୍ଗ ଦଳ ଗୃହରେ ଉଠାଇବା ସହିତ ସରକାରଙ୍କୁ ଜବାବ ମାଗିବ। ବିଜେଡି ଏଭଳି ଅଭିଯୋଗର ଦୃଢ଼ ଜବାବ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ। ୨୦୦୩ରୁ ଦେଶରେ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ହୋଇଆସୁଛି। ରାଜ୍ୟ ସରକାର କିନ୍ତୁ ମାର୍ଚ୍ଚ ୫ରେ ଏହି ଦିବସ ପାଳନ କରୁଥିଲେ। ଏଣିକି ଏପ୍ରିଲ ୨୪ରେ ରାଜ୍ୟ ସରକାର ଏହି ଦିବସ ପାଳନ କରିବେ ବୋଲି ସେ କହିଛନ୍ତି। ପ୍ରବାଦ ପୁରୁଷଙ୍କ ପ୍ରତି ତାଙ୍କ ଦଳର ଯଥେଷ୍ଟ ସମ୍ମାନ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ୟ ମହାପୁରୁଷଙ୍କ ପରି ବିଜୁବାବୁଙ୍କ ଜୟନ୍ତୀ ପାଳନ କରାଯାଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାର ଏସଆଇ ପରୀକ୍ଷା ପାଇଁ ଦିନଧାର୍ଯ୍ୟ କରିଛନ୍ତି। ଏହି ଦାୟିତ୍ବ ଏକ କଳା ତାଲିକାଭୁକ୍ତ କମ୍ପାନୀକୁ ଦିଆଯାଇଛି। ଏଥିରେ ବ୍ୟାପକ ଦୁର୍ନୀତି ହୋଇଛି। ଏହି ପ୍ରସଙ୍ଗ କଂଗ୍ରେସ ଗୃହରେ ଉଠାଇବ ବୋଲି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ କହିଛନ୍ତି। ବିରୋଧୀଙ୍କ ସବୁ ପ୍ରସଙ୍ଗରେ ସରକାର ଉତ୍ତର ଦେବାକୁ ପ୍ରସ୍ତୁତ ଅଛନ୍ତି। ରାଜ୍ୟବାସୀଙ୍କ ସମସ୍ୟା ଗୃହରେ ଆଲୋଚନା ହେବା ଆବଶ୍ୟକ। ଏଥିପାଇଁ ବିରୋଧୀ ଦଳ ସରକାରଙ୍କୁ ସହଯୋଗ କରିବା ଦରକାର ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
Comments are closed.