www.samajalive.in
Monday, December 15, 2025
15.1 C
Bhubaneswar

କୁସ୍ତିରେ ଭାରତକୁ ୨ୟ ସ୍ବର୍ଣ୍ଣ

ଜାକର୍ତ୍ତା : ଭାରତର ପ୍ରଥମ ମହିଳା ଭାବେ ଏସୀୟ କ୍ରୀଡ଼ାରେ କୁସ୍ତିରେ ସ୍ୱର୍ଣ୍ଣପଦକ ଜିତିଛନ୍ତି ବିନେଶ ଫୋଗାଟ୍‌। ହରିୟାଣାର ଏହି ଚମ୍ପିଆନ୍‍ ପହିଲମାନ ସୋମବାର ଚଳିତ ୧୮ଶ ଏସୀୟ କ୍ରୀଡ଼ାର ୨ୟ ଦିନରେ ତାଙ୍କ ଇଭେଣ୍ଟ ମହିଳା ୫୦ କେଜି ଫ୍ରିଷ୍ଟାଇଲ କୁସ୍ତିରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଫଳରେ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ସ୍ୱର୍ଣ୍ଣପଦକ ସଂଖ୍ୟା ୨ରେ ପହଞ୍ଚିଛି। ସୋମବାର ଫାଇନାଲରେ ବିନେଶ ଜାପାନର ୟୁକି ଇରିଙ୍କୁ ୬-୨ ପଏଣ୍ଟରେ ପରାସ୍ତ କରିଛନ୍ତି। ସୂଚନାଯୋଗ୍ୟ; ଏହି ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣପଦକ କୁସ୍ତିରୁ ହିଁ ମିଳିଥିଲା। ରବିବାର ପୁରୁଷ ଫ୍ରିଷ୍ଟାଇଲ କୁସ୍ତିର ୬୫ କେଜି ବିଭାଗରେ ବିନେଶଙ୍କ ରାଜ୍ୟ ହରିୟାଣାର ଅନ୍ୟତମ ଚମ୍ପିଆନ୍‍ ପହିଲମାନ ବଜରଙ୍ଗ ପୁନିଆ ସ୍ୱର୍ଣ୍ଣପଦକ ଜିତିଥିଲେ। ବିନେଶ ଜିତିଥିବା ସ୍ୱର୍ଣ୍ଣପଦକ ମହିଳା କୁସ୍ତିରେ ଭାରତ ପାଇଁ ପ୍ରଥମ ହୋଇଥିବା ବେଳେ ଏସୀୟ କ୍ରୀଡ଼ା ଇତିହାସରେ ମହିଳା କୁସ୍ତିରେ ମୋଟ ୫ମ ପଦକ। ପୁଣି ସୋମବାର ସୁଟିଂରେ ଭାରତର ଦୀପକ କୁମାର ଓ ଲକ୍ଷ୍ୟ ସେଓରାଁ ରୌପ୍ୟପଦକ ଜିତିଛନ୍ତି । ଏଥି ସହିତ ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଭାରତ ୨ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ସହିତ ୫ଟି ପଦକ ହାସଲ କରିଛି।
ମହିଳା ୫୦ କେଜି ଫ୍ରିଷ୍ଟାଇଲ କୁସ୍ତିରେ ୨୩ ବର୍ଷ ବୟସ୍କା ବିନେଶ ଫୋଗାଟ୍‌ ଫେଭରିଟ୍‍ ଥିଲେ। ତେବେ ତାଙ୍କୁ ଜାପାନର ୟୁକି ଇରି କଡ଼ା ମୁକାବିଲା ଦେବେ ବୋଲି ଆଶା କରା ଯାଉଥିଲା। ହେଲେ ବିନେଶ ଚମ୍ପିଆନ୍‍ଙ୍କ ପରି ପ୍ରଦର୍ଶନ କରିଥିଲେ ଏବଂ ଫାଇନାଲରେ ୟୁକି ଇରିଙ୍କୁ ସହଜରେ ହରାଇବା ସହ ତାଙ୍କର ୪ଟିଯାକ ଲଢ଼େଇକୁ ସହଜରେ ଜିତି ନେଇଥିଲେ। ଗତ ଏସୀୟ କୁସ୍ତି ଚମ୍ପିଆନ୍‍ସିପ୍‍ର ସେମିଫାଇନାଲରେ ୟୁକି ଇରିଙ୍କୁ ବିନେଶ ପରାସ୍ତ କରିଥିଲେ ହେଁ ଏଠାରେ ତାଙ୍କ ବିରୋଧରେ ଫାଇନାଲରେ ବିନେଶ ଫେଭରିଟ୍‍ ଥିଲେ। ଆକ୍ରମଣାତ୍ମକ ଢଙ୍ଗରେ ବିନେଶ ଫାଇନାଲରେ ଲଢ଼ିବା ଆରମ୍ଭ କରିଥିଲେ। ୩ ମିନିଟର ପ୍ରଥମ ରାଉଣ୍ଡରେ ବିନେଶ ୪-୦ରେ ଆଗୁଆ ରହି ସ୍ୱର୍ଣ୍ଣପଦକ ଆଡ଼କୁ ଅଗ୍ରସର ହୋଇଥିଲେ। ତେବେ ୨ୟ ରାଉଣ୍ଡରେ ଜାପାନୀ ପହିଲମାନ ୟୁକି ଲଢ଼ୁଆ ପ୍ରଦର୍ଶନ କରି ୨ ପଏଣ୍ଟ ସ୍କୋର କରିଥିଲେ। ବିନେଶ ୪-୨ରେ ଆଗୁଆ ରହି ସ୍ୱର୍ଣ୍ଣପଦକ ଆଡ଼କୁ ଅଗ୍ରସର ହେଉଥିଲେ ହେଁ ଲଢ଼େଇର ଶେଷ କେଇ ସେକେଣ୍ଡରେ ୟୁକିଙ୍କୁ ତଳେ ପକାଇ ଆଉ ୨ ପଏଣ୍ଟ ସ୍କୋର୍‍ କରିଥିଲେ।
ସୂଚନାଯୋଗ୍ୟ; ଏସୀୟ କ୍ରୀଡ଼ାରେ ଏହା ବିନେଶଙ୍କର ୨ୟ ପଦକ। ୨୦୧୪ ଇଞ୍ଚିଅନ୍‍ ଏସୀୟ କ୍ରୀଡ଼ାରେ ହରିୟାଣାର ଏହି କ୍ରୀଡ଼ାବିତ୍‍ ବ୍ରୋଞ୍ଜ୍‍ପଦକ ଜିତିଥିଲେ। ପୁଣି ଗ୍ଲାସ୍‍ଗୋ ଓ ଗୋଲ୍‍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ବିନେଶ ସ୍ୱର୍ଣ୍ଣପଦକ ଜିତିଥିଲେ।
ବିନେଶ ଚମତ୍କାର ଢଙ୍ଗରେ ତାଙ୍କ ଇଭେଣ୍ଟରେ ଅଭିଯାନ ଆରମ୍ଭ କରିଥିଲେ। ପ୍ରଥମ ରାଉଣ୍ଡରେ ଚୀନ୍‍ର ସୁନ୍‍ ୟାନନ୍‍ଙ୍କ ବିରୋଧରେ ପ୍ରାଧାନ୍ୟ ବିସ୍ତାରକରି ବିନେଶ ୮-୨ ପଏଣ୍ଟରେ ଜିତିଥିଲେ। ଏହି ବିଜୟ ସହ ଗତ ଅଲିମ୍ପିକ୍‍ସରେ ୟାନନ୍‍ଙ୍କଠାରୁ ତାଙ୍କ ପରାଜୟର ପ୍ରତିଶୋଧ ନେଇଥିଲେ ବିନେଶ। କ୍ୱାର୍ଟରଫାଇନାଲରେ ବିନେଶ ଦକ୍ଷିଣ କୋରିଆର କିମ୍‍ ହ୍ୟୁଙ୍ଗ୍‍ଜୁଙ୍କୁ ୧୧-୦ ପଏଣ୍ଟରେ ପରାସ୍ତ କରିଥିଲେ। ଏହି ମୁକାବିଲାକୁ ମାତ୍ର ୭୫ ମିନିଟରେ ବିନେଶ ଜିତି ନେଇଥିଲେ। ସେମିଫାଇନାଲରେ ଉଜ୍‍ବେକିସ୍ତାନର ଦାଓଲେତ୍‍ବାଇକ୍‍ଙ୍କୁ ସହଜରେ ୧୦-୦ ପଏଣ୍ଟରେ ପରାସ୍ତ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories