www.samajalive.in
Saturday, December 6, 2025
14.1 C
Bhubaneswar

ବାଂଲାଦେଶ-ଶ୍ରୀଲଙ୍କା ଉଦ୍‍ଘାଟନୀ ମୁକାବିଲା

ଦୁବାଇ : ଶନିବାରଠାରୁ ଆରମ୍ଭ ହେଉଛି ଏସିଆ କପ୍‍ କ୍ରିକେଟ । ଠିକ୍‍ ୩୪ ବର୍ଷ ତଳେ ଏହି ୟୁଏଇରେ ହିଁ ଏସିଆ କପ୍‍ ଆରମ୍ଭ ହୋଇଥିଲା। ଏହାର ୧୪ଶ ସଂସ୍କରଣ ୟୁଏଇର ୨ଟି ସହର ଦୁବାଇ ଓ ଆବୁଧାବିରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଏସୀୟ ଦେଶ ଭାଗ ନେଉଛନ୍ତି। ଏସିଆର ୪ ଟେଷ୍ଟ ଖେଳୁଥିବା ଦେଶ- ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ସହ ଯୋଗ୍ୟତା ଅର୍ଜନ କରିଥିବା ହଂକଂ ଓ ଆଫ୍‍ଗାନିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁଛନ୍ତି। ୬ଟି ଦଳଙ୍କୁ ୨ଟି ଗ୍ରୁପ୍‍ରେ ରଖାଯାଇଛି। ପ୍ରତି ଗ୍ରୁପ୍‍ର ଶ୍ରେଷ୍ଠ ୨ଟି ଦଳ ସୁପର ଫୋର୍‍ ପର୍ଯ୍ୟାୟରେ ଖେଳିବେ। ସେପରି ଓଲଟପାଲଟ ନ ହେଲେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ହିଁ ସୁପର ଫୋର୍‍ରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ସୁପର ଫୋର୍‍ର ଶ୍ରେଷ୍ଠ ୨ ଦଳ ଚଳିତମାସ ୨୮ରେ ଫାଇନାଲ ଖେଳିବେ। ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‍ ଭାରତୀୟ ସମୟ ସନ୍ଧ୍ୟା ୫ଟାରୁ ଆରମ୍ଭହେବ।
ନିକଟ ଅତୀତରେ ଉପରୋକ୍ତ ୪ଟି ଏସୀୟ ଦଳଙ୍କ ମଧ୍ୟରେ ଦିନିକିଆ ମ୍ୟାଚ୍‍ରେ ଏପରି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଛି ଯେ ଏହି ଏସିଆ କପ୍‍ରେ କୌଣସି ଏକ ଦଳକୁ ଫେଭରିଟ୍‍ ବୋଲି କହିବା କଷ୍ଟକର। ତେବେ ଭାରତ-ପାକିସ୍ତାନ ମୁକାବିଲା ଏସିଆ କପ୍‍ର ମୁଖ୍ୟ ଆକର୍ଷଣ। ତେବେ ଉପରୋକ୍ତ ୪ଟି ଦଳଙ୍କ ମଧ୍ୟରୁ ପାକିସ୍ତାନ ଓ ଆଫ୍‍ଗାନିସ୍ତାନ ୟୁଏଇର ବାତାବରଣ ଓ ପିଚ୍‍ ସହ ଅଧିକ ପରିଚିତ। କାରଣ ଉଭୟ ଦଳ ୟୁଏଇରେ ସେମାନଙ୍କ ଘରୋଇ ଆନ୍ତର୍ଜାତିକ ମ୍ୟାଚ୍‍ ଖେଳିଥାଆନ୍ତି। ଏହାସହ ୟୁଏଇରେ ଉପରୋକ୍ତ ୪ଟି ଦେଶର ବେଶ୍‍ ସଂଖ୍ୟକ ଲୋକ ବାସ କରୁଥିବାରୁ ଗ୍ୟାଲେରୀରୁ ଏହି ୪ଟି ଦେଶଙ୍କୁ ଯଥେଷ୍ଟ ସମର୍ଥନ ମିଳିବ। ଶୁକ୍ରବାର ଟୁର୍ଣ୍ଣାମେଣ୍ଟର ଉଦ୍‍ଘାଟନୀ ମ୍ୟାଚ୍‍ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳାଯିବ। ଦୁଇ ବରିଷ୍ଠ ଅଲ୍‍ରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ୍‍ ଓ ମସ୍ରଫି ମୋର୍ତାଜା ଉଭୟ ଦଳର ନେତୃତ୍ୱ ନେଉଛନ୍ତି। ଏହି ଦୁଇ ଦଳଙ୍କ ମଧ୍ୟରେ ଫେଭରିଟ୍‍ ବାଛିବା କଷ୍ଟକର। ଦିନିକିଆରେ ଯେକୌଣସି ଦଳକୁ ଚକ୍‍ମାଦେବାକୁ ବାଂଲାଦେଶ ସମର୍ଥ। ଦଳରେ ସାକିବ୍‍ ଅଲ୍‍ ହାସନ୍‍ଙ୍କ ପରି ଅଲ୍‍ରାଉଣ୍ଡର, ତମିମ୍‍ ଇକ୍‍ବାଲ, ମୁସ୍‍ଫିକୁର ରହିମ୍‍, ମହମ୍ମଦୁଲ୍ଲା ଓ ଲିଟନ୍‍ ଦାସଙ୍କ ପରି ବ୍ୟାଟ୍‍ସମ୍ୟାନ୍‍ ରହିଛନ୍ତି। ପୁଣି ପେସ୍‍ ବୋଲିଂ ବିଭାଗରେ ରୁବେଲ ହୋସେନ୍‍ ଓ ମୁସ୍ତାଫିଜୁର ରେହ୍‍ମାନଙ୍କ ପରି ପେସ୍‍ ବୋଲର ଏବଂ ମେହ୍‍ଦି ହାସନ୍‍ ମିରାଜ୍‍ଙ୍କ ପରି ସ୍ପିନର ରହିଛନ୍ତି। ତା’ର ଶେଷ ଦିନିକିଆ ସିରିଜ୍‍ରେ ୱେଷ୍ଟଇଣ୍ଡିଜ୍‍କୁ ୨-୧ରେ ପରାସ୍ତ କରିଛି ବାଂଲାଦେଶ। ଏହି ସିରିଜ୍‍ରେ ବାମହାତି ଓପ୍‍ନର ତମିମ୍‍ ଇକ୍‍ବାଲ ଅପରାଜିତ ୧୩୦, ୫୪ ଓ ୧୦୩ ରନ୍‍ର ଇନିଂସ ଖେଳିଛନ୍ତି। ମୁସ୍‍ଫିକୁର ୧୧୧ ରନ୍‍ କରିଥିଲେ। ବାଂଲାଦେଶ ପାଇଁ ସର୍ବାଧିକ ୨୪୫ଟି ଦିନିକିଆ ୱିକେଟ ନେଇଥିବା ମସ୍ରଫି ମୋର୍ତାଜା ୱେଷ୍ଟଇଣ୍ଡିଜ୍‍ ବିପକ୍ଷ ସିରିଜ୍‍ରେ ସର୍ବାଧିକ ୭ଟି ୱିକେଟ ନେଇଥିଲେ। ଶ୍ରୀଲଙ୍କା ତା’ର ଶେଷ ଦିନିକିଆ ସିରିଜ୍‍ରେ ଦକ୍ଷିଣ ଆଫ୍ରିକାଠାରୁ ୨-୩ରେ ପରାସ୍ତ ହୋଇଛି। ତେବେ ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କାର ଦିନିକିଆ ରେକର୍ଡ ବହୁତ ଭଲ। ଦଳରେ ଦିନେଶ ଚାନ୍ଦିମାଲ ଓ ଆକିଲା ଧନଞ୍ଜୟ ନଥିବାରୁ ଶ୍ରୀଲଙ୍କା ସାମାନ୍ୟ ଦୁର୍ବଳ ହୋଇଯାଇଛି। ଦୁବାଇର ଧିମା ପିଚ୍‍ରେ ଅଫ୍‍ସ୍ପିନର ଦିଲରୁୱାନ୍‍ ପରେରା ବାଂଲାଦେଶ ବ୍ୟାଟିଂକୁ ଅସୁବିଧାରେ ପକାଇ ପାରନ୍ତି। ଉପୁଲ ତରଙ୍ଗା, କୁଶଳ ପରେରା ଓ ଆଞ୍ଜେଲୋ ମାଥ୍ୟୁସ୍‍ ଦଳର ବ୍ୟାଟିଂ ଦାୟିତ୍ୱ ସମ୍ଭାଳିବେ। ଏତିନିହେଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚମତ୍କାର ବ୍ୟାଟିଂ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories