ଆଶୀର୍ବାଦ ଯୋଜନା, ଅସମ୍ପୂର୍ଣ୍ଣ ଚିହ୍ନଟ ପ୍ରକ୍ରିୟାରୁ ବହୁ ହିତାଧିକାରୀ ବଞ୍ଚିତ

ସହାୟତା ପାଇଲେଣି ୮୪୩ ଶିଶୁ, ଗୋଟିଏ ପୌରପାଳିକା ଓ ୬ଟି ବ୍ଲକରେ ଫଳ ଶୂନ

ରାଉରକେଲା : ୨୦୨୦ ଏପ୍ରିଲ ପହିଲାରୁ କରୋନା ମହାମାରୀ ଓ ଅନ୍ୟ କାରଣରୁ ପିତାମାତାଙ୍କୁ ହରାଇ ଅନାଥ ହୋଇଥିବା ଶିଶୁଙ୍କ ଲାଳପାଳନ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ଆଶୀର୍ବାଦ ଯୋଜନା’ । ଉଭୟ ପିତାମାତାଙ୍କୁ ହରାଇଥିଲେ ମାସିକ ୨୫୦୦ ଟଙ୍କା, ପିତାଙ୍କୁ ହରାଇଥିଲେ ମାଆଙ୍କୁ ଲାଳନପାଳନ ପାଇଁ ୧୫୦୦ଟଙ୍କା, ତତ୍ୱବଧାରକ ସଂସ୍ଥାରେ ଥିଲେ ମାସିକ ୧୦୦୦ଟଙ୍କା ପିଲାକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ସହାୟତା ପାଇବାକୁ ଥିବା ଶିଶୁର ଜନ୍ମ ପ୍ରମାଣପତ୍ର ଓ ପିତାମାତା ଅଥବା ଦୁହିଁଙ୍କ ମଧ୍ୟରୁ କାହାରିବି ମୃତ୍ୟୁ ହୋଇଥିଲେ ଏହାର ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଇଥିଲା । ବିଭିନ୍ନ ବ୍ଲକ ଓ ସହରରେ ଥିବା ସମନ୍ୱିତ ଶିଶୁ ବିକାଶ ଅଧିକାରୀ(ସିଡିପିଓ)ଙ୍କୁ ଏହାର ତଥ୍ୟ ସଂଗ୍ରହ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା। ସରକାର ଯୋଜନା ଆରମ୍ଭ କରିବାର ବହୁ ଦିନ ବିତିଯାଇଥିଲେ ମଧ୍ୟ ବିଭିନ୍ନ ବ୍ଲକ ଓ କେତେକ ପୌରପାଳିକାରେ ଏହି ତଥ୍ୟ ଜିଲା ଶିଶୁ ବିକାଶ ବିଭାଗ ପାଖରେ ପହଞ୍ଚି ପାରି ନାହିଁ । ସବୁଠାରୁ ବଡ଼ କଥା ହେଉଛି ସୁନ୍ଦରଗଡ଼ ଜିଲାର ବିଭିନ୍ନ ବ୍ଲକ, ପୌରପାଳିକା ଓ ରାଉରକେଲା ମହାନଗରନିଗମରେ ଏଥିପାଇଁ ବିଭାଗୀୟ ଅଧିକାରୀଙ୍କ ଜରିଆରେ ତଥ୍ୟ ସଂଗ୍ରହ କରାଯାଇଥିଲା । କିନ୍ତୁ ଅଦ୍ୟାବଧି ବିଭିନ୍ନ ବ୍ଲକର ବିଭାଗୀୟ ଅଧିକାରୀ ତଥ୍ୟ ପ୍ରଦାନ କରି ନଥିବାରୁ ସମ୍ପୃକ୍ତ ବ୍ଲକର କେହିବି ହିତାଧିକାରୀ ଏହି ଯୋଜନାରେ ଉପକୃତ ହୋଇ ନାହାଁନ୍ତି ।

ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନାଙ୍କ ସୂଚନା ଅନୁଯାୟୀ ରାଉରକେଲା ମହାନଗରନିଗମ, କୁତ୍ରା, ରାଜଗାଙ୍ଗପୁର, ନୂଆଗାଁ, ସୁନ୍ଦରଗଡ଼ ସଦର, ବଡ଼ଗାଁ, ଲାଠିକଟା, ଲେଫ୍ରିପଡ଼ା, ଟାଙ୍ଗର ପାଲୀ, ବଣାଇ ବ୍ଲକର ବିଭାଗୀୟ ଅଧିକାରୀଙ୍କ ତଥ୍ୟ ଓ ସୂଚନା ଆଧାରରେ ବର୍ତମାନ ପର୍ଯ୍ୟନ୍ତ ୮୪୩ ହିତାଧିକାରୀଙ୍କୁ ଆବଶ୍ୟକ ଅର୍ଥ ପ୍ରଦାନ କରାଯାଇଛି । କିନ୍ତୁ ବୀରମିତ୍ରପୁର ପୌରପାଳିକା, ଗୁରୁଣ୍ଡିଆ, ବାଲିଶଙ୍କରା, ସବଡେଗା,ହେମଗିରି, ଲହୁଣୀପଡ଼ା, କୁଆଁରମୁଣ୍ଡା, ବିଶ୍ରା, କୋଇଡ଼ା ବ୍ଲକରୁ ତଥ୍ୟ ଆସୁନଥିବାରୁ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ହୋଇ ପାରୁନାହିଁ । ଫଳରେ ଏହି ଅଂଚଳର ପ୍ରଭାବିତ ଶିଶୁ ଏହି ଭଳି ବଡ଼ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୦ ଓ ୨୦୨୧ କରୋନା ମହାମାରୀ ମାରାତ୍ମକ ସ୍ଥିତି ସୃଷ୍ଟି କରିଛି । କରୋନାର ପ୍ରଥମ ଲହର ଓ ଦ୍ୱୀତୀୟ ଲହରରେ ସୁନ୍ଦରଗଡ଼ ଜିଲା ବିଶେଷଭାବେ ପ୍ରଭାବିତ ହୋଇଛି । ଅଧିକାଂଶ ଶିଶୁ ସେମାନଙ୍କ ପିତାମାତାଙ୍କୁ ହରାଇଛନ୍ତି । କରୋନା ଜନିତ ମୃତ୍ୟୁ ସଂଖ୍ୟକୁ ନେଇ ବିଗତ ଦିନରେ ଅନେକ ବିତର୍କ ହୋଇଛି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଏହିଭଳି ଖବରର ପ୍ରକୃତ ତଥ୍ୟ ଓ ଚିତ୍ରକୁ ନେଇ ଅନେକ ଆଲୋଚନା ହୋଇଥିଲା। ଏଭଳି ସ୍ଥିତିରେ ଅନାଥ ଶିଶୁମାନଙ୍କ ପାଇଁ ଆଶୀର୍ବାଦ ଯୋଜନା ଆର୍ଶୀବାଦ ଭାବେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଥିଲା । ମାସେ ନୁହେଁ କିମ୍ବା ବର୍ଷେ ନୁହେଁ ୧୮ ବର୍ଷ ପର୍ଯ୍ୟନ୍ତ ଯୋଜନାରେ ସହାୟତା ପାଇଁ ବ୍ୟବସ୍ଥା ଥିବାରୁ ପ୍ରକୃତ ହିତାଧିକାରୀ ଚୟନ ଯୋଜନା ଏକ ଆହ୍ୱାନ ପାଲଟିଥିଲା । କିନ୍ତୁ ଏବେ ସ୍ଥିତିକୁ ଦେଖିଲେ ବିଭିନ୍ନ ବ୍ଲକରେ ଥିବା ବିଭାଗୀୟ ଅଧିକାରୀ କେତେ ତତ୍ପର, ତାହା ଏଥିରୁ ସ୍ପଷ୍ଟ ହେଉଛି । ଦୁର୍ଗମ ଖଣି ଅଂଚଳ କୋଇଡ଼ାରେ ତଥ୍ୟ ଶୂନ ଥିବା ବେଳେ ବୀରମିତ୍ରପୁର ପୌରପାଳିକାରୁ ତଥ୍ୟ ମିଳୁ ନାହିଁ । ବିଶ୍ରାରୁ ଲହୁଣୀପଡ଼ା ବ୍ଲକ ପର୍ଯ୍ୟନ୍ତ ଏହି ଚିତ୍ର ଓ ତଥ୍ୟ ବର୍ତ୍ତମାନ ସୁଦ୍ଧା ଶିଶୁ ବିଭାଗର ଅଧିକାରୀ ବିଭାଗୀୟ କର୍ତୃପକ୍ଷଙ୍କୁ ପ୍ରଦାନ କରିନଥିବାରୁ ଏହି ଭଳି ସରକାରୀ ଯୋଜନାକୁ କାର୍ଯ୍ୟକରିବା ପାଇଁ ସେମାନଙ୍କର ଆନ୍ତରିକତା ନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି । ଜିଲା ପ୍ରଶାସନ ଏହି ଅଧିକାରୀଙ୍କୁ ଜବାବ ମାଗିବା ସହିତ ଅଂଚଳର ତଥ୍ୟ ହାସଲ କଲେ, ଅନାଥ ଶିଶୁମାନଙ୍କ ଭାଗ୍ୟ ଭବିଷ୍ୟତରେ ଏହା ସହାୟକ ହେବ ବୋଲି ମତ ପ୍ରକାଶ ପାଉଛି ।

Comments are closed.