www.samajalive.in
Monday, December 15, 2025
14.1 C
Bhubaneswar

୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଆଶିଷ

ଆଜି ମହାରାଷ୍ଟ୍ର ବନ୍ଦ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାରେ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅକ୍ଟୋବର ୩ରେ ହୋଇଥିବା ଏହି ହିଂସା ଘଟଣାରେ ତଦନ୍ତକାରୀ ଦଳ (ଏସ୍‌ଆଇଟି) ଆଶିଷଙ୍କ ଶନିବାର ଗିରଫ କରିଥିଲା। ଦୀର୍ଘ ୧୧ ଘଣ୍ଟାର ଜେରା ପରେ ତାଙ୍କୁ ଗିରଫ କରାଯାଇଥିଲା। ପରେ ଶନିବାର ବିଳମ୍ବିତ ରାତିରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଅଦାଲତଙ୍କ ନିର୍ଦେଶକ୍ରମେ ତାଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ତେବେ ପୁଲିସ ଆଶିଷଙ୍କୁ ଜିମାରେ ନେବାକୁ ଆବେଦନ କରିଥିବାବେଳେ ସୋମବାର ଏହାର ଶୁଣାଣି ହେବ। ଲଖିମପୁର ଖେରି ହିଂସାରେ ଆଶିଷଙ୍କ ମୁଖ୍ୟ ଅଭିଯୁକ୍ତ ଭାବେ ଏତଲାରେ ଦର୍ଶାଯାଇଛି। ଅକ୍ଟୋବର ୩ରେ ଆଶିଷଙ୍କ କାର୍ ଚାପାରେ ଆନ୍ଦୋଳକାରୀ ୪ କୃଷକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଆଇପିସିର ଧାରା ୧୪୭, ୧୪୮, ୧୪୯(ଦଙ୍ଗା ସମ୍ବନ୍ଧିତ), ୨୭୯(ବେପରୁଆ ଗାଡିଚାଳନା), ୩୩୮(କୌଣସି ବ୍ୟକ୍ତିଙ୍କୁ ଜୀବନ ନେବା ପରି ଆଘାତ ଦେବା), ୩୦୪-ଏ (ଅବହେଳାରୁ ମୃତ୍ୟୁ), ୩୦୨(ହତ୍ୟା) ଓ ୧୨୦-ବି(ଅପରାଧିକ ଷଡଯନ୍ତ୍ର) ଆଧାରରେ ମାମଲା ରୁଜୁ କରାଯାଇଛି। ସୂଚନାନୁଯାୟୀ, ଆଶିଷ ଘଟଣା ସମୟ; ଅର୍ଥାତ୍‌ ଅକ୍ଟୋବର ୩ ଅପରାହ୍ଣ ୨ଟା ୩୬ରୁ ୩ଟା ୩୦ ପର୍ଯ୍ୟନ୍ତ କେଉଁଠି ଥିଲେ ତାହାର ସନ୍ତୋଷଜନକ ଜବାବ ଦେଇ ପାରି ନ ଥିଲେ; ତେବେ ତଥାକଥିତ ଦୁର୍ଘଟଣା ଘଟାଇଥିବା କାର୍‌ ତାଙ୍କର ଥିଲେ ମଧ୍ୟ ସେ ଗାଡ଼ି ଭିତରେ ନ ଥିବାର ପ୍ରମାଣ ଭିଡିଓ ଏବଂ ସତ୍ୟପାଠ ଆକାରରେ ଉପସ୍ଥାପନ କରିଥିଲେ।
ଲଖିମପୁର ଖେରି ହିଂସାକୁ ନେଇ ଦ୍ବିତୀୟ ଏତଲା ଦାୟର କରାଯାଇଛି। ଦ୍ବିତୀୟ ଏତଲାରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ଘଟଣା ଉଲ୍ଲେଖ କରାଯାଇଛି। ଏତଲା ଅନୁଯାୟୀ ଆନ୍ଦୋଳନକାରୀ କୃଷକଙ୍କ ସହିତ କେତେକ ଅସାମାଜିକ ତତ୍ତ୍ବ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ଦ୍ବିତୀୟ ଏତଲା କାହାର ନାମ ଉଲ୍ଲେଖ କରାଯାଇ ନାହିଁ। ଏଥିରେ ଦୁଇଜଣ ବିଜେପି କର୍ମୀ, କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଚାଳକ ଓ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା। ତେବେ ଦ୍ବିତୀୟ ଏତଲାରେ କୃଷକଙ୍କ ମୃତ୍ୟୁ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇ ନାହିଁ। ବିଜେପି କର୍ମୀ ସୁମିତ ଜୟସ୍ବାଲଙ୍କ ଅଭିଯୋଗ ଆଧାରରେ ଏହି ଏତଲା ରୁଜୁ ହୋଇଛି।
କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା ରବିବାର ଅଭିଯୋଗ କରିଛନ୍ତି ଯେ ଲଖିମପୁର ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉଛନ୍ତି। ସେ କହିଛନ୍ତି ଯେ ବିଜେପି ନେତା ଓ ସେମାନଙ୍କର କୋଟିପତି ବ୍ୟବସାୟୀ ବନ୍ଧୁଙ୍କ ବ୍ୟତୀତ ଦେଶରେ କେହି ସୁରକ୍ଷିତ ନୁହନ୍ତି। ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ବାରଣାସୀରେ ଆୟୋଜିତ ଏକ କୃଷକ ଶୋଭାଯାତ୍ରାରେ ଯୋଗ ଦେଇ ପ୍ରିୟଙ୍କା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତ କରୁଛନ୍ତି ଅଥଚ ଆନ୍ଦୋଳନକାରୀ କୃଷକଙ୍କ ସହିତ କଥା ହେବାକୁ ତାଙ୍କ ପାଖେ ସମୟ ନାହିଁ। ସେହିପରି ହିଂସାରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ ଭେଟିବାକୁ ମଧ୍ୟ ତାଙ୍କ ପାଖେ ସମୟ ନାହିଁ। ସେ କହିଛନ୍ତି ଯେ, କଂଗ୍ରେସ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବହିଷ୍କାର କରାଯିବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବ। ସେହିପରି ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ୍) ପକ୍ଷରୁ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି କରାଯାଇଛି। ଏସକେଏମ୍ କହିଛି ଯେ ​‌ଅକ୍ଟୋବର ୧୧ ତାରିଖ ସୁଦ୍ଧା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ପଦରୁ ବହିଷ୍କାର କରାଯିବା ସହିତ ଗିରଫ କରାଯାଉ। ନଚେତ କୃଷକ ସଂଗଠନଗୁଡିକ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ କରାଯିବ। ଲଖିମପୁର ଖେରି ହିଂସାକୁ ନେଇ ସୋମବାର ମହାରାଷ୍ଟ୍ରରେ ବନ୍ଦ ପାଳନ କରାଯିବ। ରାଜ୍ୟର କଂଗ୍ରେସ-ଶିବସେନା-ଏନସିପି ମେଣ୍ଟ ସରକାର ଏହି ବନ୍ଦ ଡାକରା ଦେଇଛି। ବନ୍ଦ ଡାକରାକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories