nua o banner

ଅରୁଣାଚଳରେ ଭାରତୀୟ ସେନାର ପାଟ୍ରୋଲିଂକୁ ସୀମାତିକ୍ରମଣ ବୋଲି ଦର୍ଶାଉଛି ଚୀନ

BSKY banner  750×100
0

କିବିତୁ : ଡୋକଲାମ୍‌ ପରେ ଚୀନ୍‌ ଏବେ ଅରୁଣାଚଳ ପ୍ରଦେଶରେ ପୁଣି ବିବାଦକୁ ଉଖୁରେଇଛି। ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି) ନିକଟ ଆସଫିଲାଠାରେ ଭାରତୀୟ ସେନା ନିୟମିତ ପାଟ୍ରୋଲିଂ କରିଆସୁଥିଲେ ମଧ୍ୟ ଚୀନ୍‌ ଆଶ୍ଚର୍ଯ୍ୟଜନକ ଭାବେ ଏହାକୁ ଭାରତୀୟ ସେନାର ‘ଅତିକ୍ରମଣ’ ବୋଲି ଅଭିହିତ କରିଛି। ତା’ଛଡ଼ା ଅଧିକ ସେନା ମୁତୟନ କରିବା ଦ୍ୱାରା ଉତ୍ତେଜନା ସୃଷ୍ଟି କରୁଛି ବୋଲି ଚୀନ୍‌ ଦର୍ଶାଇଛି। ଭାରତୀୟ ସେନା ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି ଏବଂ ଏହା ନିଜ ଅଞ୍ଚଳରେ ପାଟ୍ରୋଲିଂ କରୁଛି ଓ କରିବ ବୋଲି ଚୀନ୍‌କୁ ଜବାବ ଦେଇଛି। ଆସଫିଲା ହେଉଛି ସାମରିକ ଦୃଷ୍ଟିରୁ ସମ୍ବେଦନଶୀଳ ଉପର ସୁବାନସିରି ଅଞ୍ଚଳ ଅନ୍ତର୍ଗତ। ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଭାରତୀୟ ସୀମା ମଧ୍ୟରେ ଅବସ୍ଥିତ।
ମାର୍ଚ୍ଚ ୧୫ତାରିଖରେ କିବିତୁଠାରେ ଅନୁଷ୍ଠିତ ସୀମା ଅଧିକାରୀଙ୍କ ବୈଠକ(ବିପିଏମ୍‌)ରେ ଚୀନ୍‌ ପ୍ରଥମେ ଏହି ଅଭିଯୋଗ ଉତ୍ଥାପନ କରିଥିଲା; ଯାହାକୁ ଭାରତୀୟ ପ୍ରତିପକ୍ଷ ଅଗ୍ରାହ୍ୟ କରିଦେଇଥିଲେ। ତା’ଛଡ଼ା ‘ଅତିକ୍ରମଣ’ ଭଳି ଶବ୍ଦ ଅଯଥାର୍ଥ ବୋଲି ଦର୍ଶାଇ ଭାରତୀୟ କର୍ତ୍ତୃପକ୍ଷ ଚୀନ୍‌ ବାରମ୍ବାର ଏଠାରେ ଅନୁପ୍ରବେଶ କରୁଥିବାର ଦୃଷ୍ଟାନ୍ତ ଦେଇଥିଲେ। ଚୀନ୍‌ର ପିପୁଲ୍ସ ଲିବରେସନ୍‌ ଆର୍ମି(ପିଏଲଏ) ନିର୍ଦିଷ୍ଟ ଭାବେ ଦର୍ଶାଇଥିଲା ଯେ ଭାରତୀୟ ସେନା ଆସଫିଲାର ଫିସ୍‌ଟେଲ୍‌-୧ଠାରେ ଡିସେମ୍ବର ୨୧,୨୨ ଓ ୨୩ ତାରିଖରେ ଅତ୍ୟଧିକ ମାତ୍ରାରେ ପାଟ୍ରୋଲିଂ କରିବା ସହ ସେଠାରେ ଠୁଳ ହୋଇଥିଲେ; ଯାହା ସୀମାନ୍ତରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟିର କାରଣ। ଭାରତୀୟ କର୍ତ୍ତୃପକ୍ଷ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ଅଭିଯୋଗକୁ ଖଣ୍ଡନ କରିଥିଲେ। ଭାରତୀୟ ସେନା ସୀମାନ୍ତ ସମ୍ପର୍କରେ ସଚେତନ ଅଛନ୍ତି ଓ ନିଜ କାମ କରୁଛନ୍ତି ବୋଲି ଶୁଣାଇ ଦେଇଥିଲେ।
ଅରୁଣାଚଳ ସୀମାରେ ଅବସ୍ଥିତ ଏଲ୍‌ଏସିରେ ୫ଟି ବିପିଏମ୍‌ ପଏଣ୍ଟ ରହିଛି। ଏଗୁଡ଼ିକ ମଧ୍ୟରୁ ବୁମ୍‌ ଲା ଏବଂ କିବିତୁ ଅରୁଣାଚଳରେ ଥିଲାବେଳେ ଅନ୍ୟ ଦୁଇଟି ରହିଛି ଲଦାଖରେ। ସେଗୁଡ଼ିକ ହେଉଛି ଦଉଲତ ବେଗ୍‌ ଡଲ୍ଡି ଓ ଚୁସୁଲ। ଏହାଛଡ଼ା ସିକିମରେ ରହିଛି ନାଥୁ ଲା। ସୀମାନ୍ତରେ କୌଣସି ସମସ୍ୟା ଉପୁଜିଲେ ଏହି ସବୁ ବିପିଏମ୍‌ ପଏଣ୍ଟରେ ଉଭୟ ପକ୍ଷର ସେନାଧିକାରୀ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିଥାନ୍ତି। ମାର୍ଚ୍ଚ ୧୫ ବୈଠକ କିବିତୁ ଅଞ୍ଚଳରେ ଅବସ୍ଥିତ ଚୀନ୍‌ ପକ୍ଷର ଦାଇମାଇ ପୋଷ୍ଟରେ ଅନୁଷ୍ଠିତ ହୋଇଥିଲା। ଚୀନ୍‌ କର୍ତ୍ତୃପକ୍ଷ ଉପରୋକ୍ତ ଅଭିଯୋଗ ସହ ଭାରତୀୟ ସେନା ଅଧିକ ପାଟ୍ରୋଲିଂ ଦ୍ୱାରା ଏହାର ରାସ୍ତାଘାଟ ଓ ନିର୍ମାଣ ସାମଗ୍ରୀ ନଷ୍ଟ କରିଥିବା ଦର୍ଶାଇଥିଲେ। ଭାରତ ଏହାକୁ ଖଣ୍ଡନ କରିବା ସହ ଗତ ଡିସେମ୍ବରରେ ଚୀନ୍‌ର ନିର୍ମାଣକାରୀ ଦଳ ଭାରତୀୟ ସୀମା ଭିତରକୁ ଟୁଟିଂ ଅଞ୍ଚଳରେ ପ୍ରାୟ ଗୋଟିଏ କିଲୋମିଟର ପ୍ରବେଶ କରିଥିଲେ; କିନ୍ତୁ ସେମାନଙ୍କୁ ତଡ଼ି ଦିଆଯାଇଥିବା ଦର୍ଶାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଏହି ସମୟରେ ଡୋକଲାମ ପରିସ୍ଥିତି ନେଇ ଭାରତୀୟସେନା ଏଠାରେ ନିଜକୁ ପ୍ରସ୍ତୁତ କରୁଥିଲା। ଗତ ବର୍ଷ ଜୁନ୍‌ ୧୬ରୁ ଦୀର୍ଘ ୭୩ ଦିନ ଧରି ଡୋକଲାମରେ ଭାରତ ଓ ଚୀନ୍‌ ସେନା ମୁହାଁମୁହିଁ ଅବସ୍ଥାରେ ରହିଥିଲେ।

Leave A Reply