ଜାମ୍ମୁ କାଶ୍ମୀରକୁ ପାଲେଷ୍ଟାଇନରେ ପରିଣତ କରିଦେଇଛନ୍ତି ମୋଦୀ: ମଣିଶଙ୍କର ଆୟାର

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି ଚିଦମ୍ବରମଙ୍କ ଏବଂ ମନ୍ତ୍ରୀ ମଣିଶଙ୍କର ଆୟାର ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

prayash

ତାମିଲନାଡୁରେ ରବିବାର ଏକ କାର୍ଯ୍ୟକ୍ରମରେ ପି ଚିଦମ୍ବରମ କହିଥିଲେ ଯେ ଜାମ୍ମୁ କାଶ୍ମୀର ମୁସଲମାନ ବହୁଳ ହୋଇଥିବାରୁ ମୋଦୀ ସରକାର ସେଠାରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଜାମ୍ମୁ କାଶ୍ମୀର ହିନ୍ଦୁ ବହୁଳ ହୋଇଥିଲେ ମୋଦୀ ସରକାର ଏଭଳି ନିଷ୍ପତ୍ତି ନେଇନଥାନ୍ତେ। ଏହାକୁ ନେଇ ବିବାଦ ଥମି ନଥିବାବେଳେ ମଣିଶଙ୍କର ନିଆଁରେ ଘିଅ ଢାଳିବା ସଦୃଶ ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।
ମଣିଶଙ୍କର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହା ଜାମ୍ମୁ କାଶ୍ମୀରକୁ ପାଲେଷ୍ଟାଇନରେ ପରିଣତ କରିଦେଇଛନ୍ତି। ମୋଦୀ ଏବଂ ଶାହା ନିଜ ଗୁରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁଙ୍କଠାରୁ ଏହି ଶିକ୍ଷା ପାଇଛନ୍ତି ବୋଲି ମଣିଶଙ୍କର ଦାବି କରିଛନ୍ତି।
ଜାମ୍ମୁ କାଶ୍ମୀର ପୁନର୍ଗଠନ ବିଧେୟକକୁ ନେଇ ‘ଦି ଇଣ୍ଡିଆନ ଏକ୍ସପ୍ରେସ’ରେ ମଣିଶଙ୍କରଙ୍କ ଏକ ସ୍ତମ୍ଭ ପ୍ରକାଶ ପାଇଛି। ଏହି ସ୍ତମ୍ଭରେ ସେ କହିଛନ୍ତି ଯେ ମୋଦୀ ଏବଂ ଶାହା ଭାରତର ଉତ୍ତର ସୀମାକୁ ପାଲେଷ୍ଟାଇନରେ ପରିଣତ କରିଦେଇଛନ୍ତି। ସେମାନେ ଏହି କାମକୁ ରୂପ ଦେବା ପାଇଁ ପ୍ରଥମେ ଘାଟିରେ ପାକିସ୍ତାନ ଆକ୍ରମଣର ମିଥ୍ୟା କାହାଣୀ ଗଢିଥିଲେ ଓ ସେଠାରେ ଅତିରିକ୍ତ (ପାଖାପାଖି ୩୫ ହଜାର) ସୁରକ୍ଷା କର୍ମୀଙ୍କୁ ମୁତୟନ କରିଥିଲେ। ଏହି ସ୍ତମ୍ଭରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ନିଷ୍ପତ୍ତିକୁ ମଣିଶଙ୍କର କଡ଼ା ନିନ୍ଦା କରିଛନ୍ତି। ଇସ୍ରାଏଲ ଗତ ୭୦ ବର୍ଷ ଧରି ପାଲେଷ୍ଟାଇନ ଉପରେ ଅତ୍ୟାଚାର କରିଆସୁଛି। ପାଲେଷ୍ଟାଇନକୁ ଯୁଦ୍ଧ ଦ୍ୱାରା ବାରମ୍ବାର ଦବା ଯାଇଛି, ମାତ୍ର ପରେ ସେମାନେ ପୁଣି ଠିଆହୋଇ ଲଢିଛନ୍ତି। ନେତାନ୍ୟାହୁଙ୍କଠାରୁ ମୋଦୀ-ଶାହା ଏହି ଶିକ୍ଷା ଲାଭ କରିଛନ୍ତି ଓ ଜାମ୍ମୁ କାଶ୍ମୀରକୁ ପାଲେଷ୍ଟାଇନରେ ପରିଣତ କରିଛନ୍ତି।
ଆୟାରଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ବିଜେପି କଡ଼ା ସମାଲୋଚନା କରିଛି। କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଆବାସ ନକବୀ କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦକୁ ନେଇ ସାରା ଦେଶ ଉତ୍ସବ ପାଳନ କରୁଛି। କାଶ୍ମୀର ଏବଂ ଲଦାଖରେ ଖୁସିର ମାହୋଲ ଅଛି। ହେଲେ କେତେକ ବିଳାପ ଓ କ୍ରନ୍ଦନ କରୁଛନ୍ତି।

kalyan agarbati

Comments are closed.