ଯବାନଙ୍କୁ ସାମାଜିକ ଗଣମାଧ୍ୟମରୁ ଦୂରେଇ ରଖି ହେବନି : ବିପିନ ରାୱତ

0

ନୂଆଦିଲ୍ଲୀ : ସେନା ଯବାନଙ୍କୁ ସାମାଜିକ ଗଣମାଧ୍ୟରୁ ଦୂରେଇ ରଖିବା ପରାମର୍ଶକୁ ସେନା ମୁଖ୍ୟ ବିପିନ ରାୱତ ଅଗ୍ରାହ୍ୟ କରିଛନ୍ତି। ସେନା ଯବାନଙ୍କୁ ସାମାଜିକ ଗଣମାଧ୍ୟମରୁ ଦୂରେଇ ରଖାଯାଇ ପାରିବ ନାହିଁ ବୋଲି ମଙ୍ଗଳବାର ସେ ପ୍ରକାଶ କରିଛନ୍ତି। ‘ସାମାଜିକ ଗଣମାଧ୍ୟମ ଏବଂ ସଶସ୍ତ୍ର ବଳ’ ଶୀର୍ଷକ ଏକ ପାଠଚକ୍ରରେ ଯୋଗଦେଇ ରାୱତ ଏହା କହିଛନ୍ତି। ସେ କହିଛନ୍ତି ଯେ ଯବାନଙ୍କୁ ସାମାଜିକ ଗଣମାଧ୍ୟମରୁ ଦୂରରେ ରଖିବା ପାଇଁ ଆମକୁ ପରାମର୍ଶ ମିଳିଛି। ଆମର ବିରୋଧୀ ମନୋବେଜ୍ଞାନିକ ଲଢେଇ ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର କରୁଛନ୍ତି। ତେଣୁ ସେନା ଯବାନମାନେ ଏବେକାର ଦୁନିଆର ସାମାଜିକ ଗଣମାଧ୍ୟମକୁ ଠିକ୍‍ ଭାବେ ବ୍ୟବହାର କରି ଶିଖିବା ଆବଶ୍ୟକ। ଆମେ ଏହା ସହ ତାଳ ଦେଇ ଚାଲି ନ ପାରିଲେ ପଛରେ ରହଯିବା। ଏସବୁକୁ ଦେଖିଲେ ଯବାନଙ୍କୁ ସାମାଜିକ ଗଣମାଧ୍ୟମଠାରୁ ଦୂରରେ ରଖି ହେବ ନାହିଁ। ଯବାନଙ୍କୁ ଅନୁଶାସନ ସହ ସ୍ମାର୍ଟଫୋନ୍‍ ବ୍ୟବହାର ପାଇଁ ଅନୁମତି ଦେବା ଉଚିତ୍‍। ଏହାସହ ସେ ପ୍ରଶ୍ନ କରିଥିଲେ ଯେ ଆପଣ କ’ଣ ଯବାନ ଏବଂ ତାଙ୍କ ପରିବାରକୁ ସ୍ମାର୍ଟଫୋନ୍‍ ରଖିବାକୁ ମନା କରିପାରିବେ। ଯଦି ଆପଣ ଏଭଳି କରିପାରିବେ ନାହିଁ, ତେବେ ସେମାନଙ୍କୁ ଏହାର ବ୍ୟବହାର କରିବାକୁ ଅନୁମତି ଦିଆଯାଉ। ଯବାନ ଅନୁଶାସନ ମଧ୍ୟରେ ରହି ଏହାର ବ୍ୟବହାର କରିବେ। ମନୋବୈଜ୍ଞାନିକ ଲଢେଇରେ ଏହା ଆମ ପାଇଁ ଉପକାରୀ ସାବ୍ୟସ୍ତ ହେବ।

Leave A Reply