‘ଅନ୍ୱେଷା’ ଯୋଜନାରେ ୧୦୦ସିଟ୍ ପାଇଁ ୧୬୬୯ ଆବେଦନକାରୀ
ଏପ୍ରିଲ ଦ୍ୱିତୀୟ ସପ୍ତାହରେ ନାମଲେଖା
କେନ୍ଦୁଝରଗଡ଼: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଶିଶୁଙ୍କୁ ମାଗଣାରେ ଇଂରାଜୀ ମାଧ୍ୟମ ଶିକ୍ଷା ଲାଭ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ୱେଷା ଯୋଜନାରେ ସମ୍ପୂର୍ଣ୍ଣ ମାଗଣାରେ ଶିକ୍ଷାଦାନ କରାଯାଇ ଆସୁଛି। ଏହି ଯୋଜନାରେ ଚଳିତବର୍ଷ କେନ୍ଦୁଝର ଜିଲାର ୩୦୦ଶିଶୁଙ୍କୁ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ମାର୍ଚ୍ଚ ୨୨ ତାରିଖ ଆବେଦନର ଶେଷ ଦିବସ ଥିବାବେଳେ ମୋଟ ୧୬୬୯ଜଣ ଆବେଦନ କରିଥିବା ଜଣାପଡ଼ିଛି। ସରକାରଙ୍କ ନିୟମାନୁଯାୟୀ ୭୦ପ୍ରତିଶନ ଅନୁସୂଚିତ ଜନଜାତି ଓ ୩୦ପ୍ରତିଶତ ଅନୁସୂଚିତ ଜାତି ବର୍ଗର ୫ବର୍ଷରୁ ଊର୍ଦ୍ଧ୍ବ ଓ ୭ବର୍ଷରୁ କମ୍ ବୟସ୍କ ଶିଶୁଙ୍କୁ ଲଟେରୀ ମାଧ୍ୟମରେ ଚୟନ କରାଯାଇ ନାମ ଲେଖା ନିମନ୍ତେ ଆବେଦନପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜିଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ କହିଛନ୍ତି। ଆବେଦନ ଯାଞ୍ଚ ପରେ ଯୋଗ୍ୟ ଆବେଦନକୁ ଜିଲାସ୍ତରୀୟ ଚୟନ କମିଟି ଅଧ୍ୟକ୍ଷ ଜିଲାପାଳ, ସଂଯୋଜକ ଜିଲା ମଙ୍ଗଳ ଅଧିକାରୀ ଓ ସଦସ୍ୟ ଜିଲା ଶିକ୍ଷା ଅଧିକାରୀ, ଜିଲା ସମାଜମଙ୍ଗଳ ଅଧିକାରୀ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କେନ୍ଦୁଝର ଓ ଚମ୍ପୁଆର ପ୍ରକଳ୍ପ ପ୍ରଶାସକଙ୍କ ଉପସ୍ଥିତିରେ ଲଟେରୀ ମାଧ୍ୟମରେ ଚୟନ କରାଯାଇ ଅପ୍ରେଲ ଦ୍ୱିତୀୟ ସପ୍ତାହ ସୁଦ୍ଧା ନାମ ଲେଖାଯିବ ବୋଲି ଜିଲା ମଙ୍ଗଳ ଅଧିକାରୀ ଶ୍ରୀ ଦେଓ କହିଛନ୍ତି। ଚଳିତବର୍ଷ ଆବଶ୍ୟକ ସିଟ୍ ଠାରୁ ୨୦ପ୍ରତିଶତ ଯୋଗ୍ୟ ଆବେଦନକାରୀଙ୍କୁ ୱେଟିଂ ଲିଷ୍ଟ କରାଯାଇ ପରବର୍ତ୍ତୀ ସମୟରେ ସିଟ୍ ଖାଲି ପଡ଼ିଲେ ନାମଲେଖା ସୁଯୋଗ ଦିଆଯିବ ବୋଲି ମଙ୍ଗଳ ଅଧିକାରୀ ଶ୍ରୀ ଦେଓ କହିଛନ୍ତି। ସୂଚନାଯୋଗ୍ୟ ଯେ,ଏହି ଯୋଜନାରେ କେନ୍ଦୁଝର ସହରରେ ଅବସ୍ଥିତ ନିର୍ମଳା କନଭେଣ୍ଟ ସ୍କୁଲ, ସେଣ୍ଟ ଜାଭିୟର୍ସ ସ୍କୁଲ, ଡିଏଭି ପବ୍ଲିକ ସ୍କୁଲ, ଗ୍ରୀନଫିଲ୍ଡ ସ୍କୁଲ ପଳାଶପଙ୍ଗା, ଶ୍ରୀ ଗୁରୁକୁଳ ଇଂଲିଶ ମିଡିୟମ ସ୍କୁଲ ଗଦାଧରପୁର, ପ୍ରାଣବ୍ଲକଭ ଇଂଲିଶ ମିଡିୟମ ସ୍କୁଲ ଘସିପୁରା ଏବଂ ଚମ୍ପୁଆର କେରଳ ଇଂଲିଶ ମିଡିୟମ ସ୍କୁଲ ଓ ଚନ୍ଦ୍ରଶେଖର ଇଂଲିଶ ମିଡିୟମ ସ୍କୁଲ ଓ ଗାୟତ୍ରୀ ସେଣ୍ଟ୍ରାଲ ଏକାଡେମୀରେ ହଷ୍ଟେଲରେ ରଖାଯାଇ ସମ୍ପୂର୍ଣ୍ଣ ମାଗଣାରେ ଶିକ୍ଷାଦାନ ଦିଆଯାଇ ଆସୁଛି।
Comments are closed.