ଭାରତକୁ ଆଉ ୨ ପଦକ : ରୌପ୍ୟ ଜିତିଲେ ସୁଶୀଳା ଦେବୀ, ବିଜୟ ଯାଦବଙ୍କୁ ବ୍ରୋଞ୍ଜ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୮କୁ ବୃଦ୍ଧି
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ସୋମବାର ଆଉ ୨ଟି ପଦକ ଜିତିଛି । ଜୁଡୋରେ ଭାରତ ଏହି ୨ଟି ପଦକ ଜିତିଛି । ୪୮ କେଜି ବର୍ଗରେ ସୁଶୀଳା ଦେବୀ ରୌପ୍ୟ ପଦକ ଜିତିଥିବାବେଳେ ୬୦କେଜି ବର୍ଗରେ ବିଜୟ କୁମାର ଯାଦବ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହ ଭାରତର ମୋଟ ପଦକ ସଂଖ୍ୟା ୮କୁ ବୃଦ୍ଧି ପାଇଛି।
ଫାଇନାଲରେ ସୁଶୀଳା ଦକ୍ଷିଣ ଆଫ୍ରିକାର ମିଚେଲା ହ୍ବାଇଟ୍ବୋଇଙ୍କଠାରୁ ପରାସ୍ତ ହୋଇଥିଲେ। ସୁଶୀଳା ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ। ସୋମବାର ଫାଇନାଲରେ ସୁଶୀଳା ମୂଳରୁ ରକ୍ଷଣାତ୍ମକ ଢଙ୍ଗରେ ଖେଳିବା ଆରମ୍ଭ କରିଥିଲେ। ତାଙ୍କୁ ଗୋଟିଏ ପେନାଲ୍ଟି ମିଳିଥିଲା। ତେବେ ପରବର୍ତ୍ତୀ ସମୟରେ ସୁଶୀଳା ଭଲ ପ୍ରଦର୍ଶନ କରି ପ୍ରତିପକ୍ଷଙ୍କୁ ଗୋଟିଏ ପେନାଲ୍ଟି ଦେବାକୁ ସକ୍ଷମ ହୋଇଥିଲେ। ତେବେ ହ୍ବାଇଟ୍ବୋଇ ଏକ ଚମତ୍କାର ଥ୍ରୋ କରି ସୁଶୀଳାଙ୍କୁ ଧରାଶାୟୀ କରି ସ୍ବର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଥିଲେ। ସେମିଫାଇନାଲରେ ସୁଶୀଳା ମରିସସ୍ର ପ୍ରିସିଲା ମୋରାଣ୍ଡଙ୍କୁ ପରାସ୍ତ କରିଥିଲେ। କ୍ବାର୍ଟରରେ ସୁଶୀଳା ମାଲାୱିର ହାରିୟଟ୍ ବୋନ୍ଫେସ୍ଙ୍କୁ ହରାଇଥିଲେ।
ପୁରୁଷ ୬୦ କିଗ୍ରା ବର୍ଗ ଜୁଡୋରେ ୨୬ ବର୍ଷ ବୟସ୍କ ବିଜୟ କୁମାର ଯାଦବ କାଂସ୍ୟ ପଦକ ଜିତି ପାରିଛନ୍ତି। ବିଜୟ କାଂସ୍ୟପଦକ ମୁକାବିଲାରେ ସାଇପ୍ରସ୍ର ପେଟ୍ରୋସ୍ କ୍ରିଷ୍ଟୋଡୌଲାଇଡ୍ସଙ୍କୁ ମାତ୍ର ୫୮ ସେକେଣ୍ଡରେ ପରାସ୍ତ କରିଛନ୍ତି। ୱାଜାରି ଜରିଆରେ ବିଜୟ ଯାଦବ ବିଜୟୀ ହୋଇଥିଲେ। ସୁଶୀଳାଙ୍କ ରୌପ୍ୟ ଓ ବିଜୟଙ୍କ କାଂସ୍ୟକୁ ମିଶାଇ ଭାରତ ଏଯାବତ୍ ୮ଟି ପଦକ ଜିତିପାରିଛି। ପୂର୍ବରୁ ବିଜୟ ରିପେଚେଜ୍ ରାଉଣ୍ଡରେ ସ୍କଟ୍ଲାଣ୍ଡର ଡାଇଲନ୍ ମନ୍ରୋଙ୍କୁ ୱାଜାରି ଜରିଆରେ ପରାସ୍ତ କରିଥିଲେ। କ୍ବାର୍ଟରଫାଇନାଲରେ ପରାସ୍ତ ହେବା ପରେ ବିଜୟ ରିପେଚେଜ୍ ରାଉଣ୍ଡରେ ଜିତିି କାଂସ୍ୟପଦକ ମୁକାବିଲାର ସୁଯୋଗ ପାଇଥିଲେ। ପୁରୁଷ ୬୬ କେଜି ବର୍ଗରେ ଭାରତର ଯଶଲିନ୍ ସିଂହ ସୈନି କାଂସ୍ୟପଦକ ପାଇଁ ମ୍ୟାଚ୍ରେ ଅଷ୍ଟ୍ରେଲିଆର ନାଥାନ୍ କାଜ୍ଙ୍କଠାରୁ ପରାସ୍ତ ହୋଇଥିଲେ। ପୂର୍ବରୁ ପୁରୁଷ ୬୬ କେଜି ବର୍ଗରେ ଭାରତର ଯଶଲିନ୍ ସେମିଫାଇନାଲରେ ପହଞ୍ଚିଥିଲେ ହେଁ ସ୍କଟ୍ଲାଣ୍ଡର ଫିନ୍ଲେ ଆଲାନ୍ଙ୍କଠାରୁ ପରାସ୍ତ ହୋଇ ଯାଇଥିଲେ। ମହିଳା ୭୫ କିଗ୍ରା ବର୍ଗରେ ଭାରତର ସୁଚିକା ତରିୟାଲ ମଧ୍ୟ କାଂସ୍ୟ ପଦକରୁ ବଞ୍ଚିତ ହୋଇଛନ୍ତି। କାଂସ୍ୟ ପଦକ ମୁକାବିଲାରେ ସୁଚିକାଙ୍କୁ ମରିସସ୍ର କ୍ରିଷ୍ଟିଆନ୍ ଲେଜେଣ୍ଟିଲ ପରାସ୍ତ କରିଛନ୍ତି। ସୁଚିକା ରିପେଚେଜ୍ ରାଉଣ୍ଡରେ ଜରିଆରେ କାଂସ୍ୟ ପଦକ ମୁକାବିଲାରେ ପହଞ୍ଚିଥିଲେ।
Comments are closed.