ଝିଅ ଆମ ପାଇଁ ମରିଯାଇଛି : ଅଞ୍ଜୁଙ୍କ ବାପା
ନୂଆଦିଲ୍ଲୀ/ଗ୍ବାଲିୟର : ପ୍ରେମରେ ପଡ଼ି ଗତ ୨୩ ତାରିଖରେ ପାକିସ୍ତାନ ପଳାଇଥିବା ଦୁଇ ସନ୍ତାନର ଜନନୀ ଅଞ୍ଜୁଙ୍କ ବିବାହର ଦ୍ବିତୀୟ ଭିଡିଓ ବୁଧବାର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ନୁମାନ ଖାଁଙ୍କ ଦ୍ବାରା ପ୍ରସାରିତ ୪ମିନିଟ୍ର ଭିଡିଓରେ ଅଞ୍ଜୁ ପ୍ରେମିକ, ତଥାକଥିତ ସ୍ବାମୀ ନସରୁଲ୍ଲାଙ୍କ ସହ ଖାଇବର ପାଖତୁନ୍ଖାୱା ଅନ୍ତର୍ଗତ ଉପର ଦୀର୍ସ୍ଥିତ ଏକ ପାର୍କରେ ବୁଲୁଛନ୍ତି, ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଛନ୍ତି ଓ ଖୁବ୍ ଖୁସି ତଥା ସୁରକ୍ଷିତ ଥିବା କହୁଛନ୍ତି।
ଅପରପକ୍ଷରେ ଅଞ୍ଜୁ ଇସ୍ଲାମ ଧର୍ମ ଗ୍ରହଣ କରିବା ପରେ ତାଙ୍କ ନାମ ଫତିମା ରଖାଯାଇଥିବା ଓ ସେ ପ୍ରେମିକ ନସରୁଲ୍ଲାଙ୍କୁ ବିବାହ କରିଥିବା ଖବର ପ୍ରସାରିତ ହେବା ପରେ ଭାରତରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ମଧ୍ୟପ୍ରଦେଶର ଗ୍ବାଲିୟରରେ ବାସ କରୁଥିବା ତାଙ୍କ ବାପା ଗୟା ପ୍ରସାଦ କ୍ଷୋଭ ପ୍ରକାଶ ପୂର୍ବକ କହିଛନ୍ତି ଯେ ଅଞ୍ଜୁ ପାକିସ୍ତାନ ପଳାଇଥିବା ଓ ଉପର ଦୀର୍ ଅଦାଲତରେ ବିବାହ କରିଥିବା ଖବର ମିଳିବା ପରେ ତାଙ୍କଠାରୁ ପରିବାର ସଦସ୍ୟ ସମସ୍ତ ସମ୍ପର୍କ ତୁଟାଇ ଦେଇଛନ୍ତି। ଝିଅ ଏଭଳି କାମ କରିବ ବୋଲି ପରିବାରର କେହି କଳ୍ପନା କରିନଥିଲେ; ଏହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ଝିଅ ସେମାନଙ୍କ ପାଇଁ ମରି ଯାଇଛନ୍ତି ବୋଲି ଗୟା କହିଛନ୍ତି। ସୂଚନାଯୋଗ୍ୟ ଯେ ଅଞ୍ଜୁଙ୍କ ଘର ଉତ୍ତର ପ୍ରଦେଶର କାଇରଲଠାରେ ଏବଂ ବିବାହ ପରେ ସେ ସ୍ବାମୀ ଅରବିନ୍ଦ, ୧୫ବର୍ଷର ଝିଅ ଓ ୬ବର୍ଷର ପୁଅ ସହ ରାଜସ୍ଥାନର ଭିଡ୍ବାଡ଼ିଠାରେ ରହୁଥିଲେ। ପାକିସ୍ତାନୀ ପ୍ରେମିକ ନସରୁଲ୍ଲା ଜଣେ ବିଜ୍ଞାନ ସ୍ନାତକ ଓ ଔଷଧ ବିକ୍ରୟ ପ୍ରତିନିଧି। ତାଙ୍କର ୫ଭାଇଙ୍କ ମଧ୍ୟରେ ସେ ସବୁଠୁ ସାନ। ଅଞ୍ଜୁ ତାଙ୍କର ପ୍ରେମିକା ନୁହେଁ; ଜଣେ ସାଙ୍ଗ ଏବଂ ସେ ଭିସା ଅବଧି ଶେଷ ସୁଦ୍ଧା ଅଗଷ୍ଟ ୨୦ ପୂର୍ବରୁ ଭାରତ ଫେରିଯିବେ ବୋଲି ଏକ ସତ୍ୟପାଠରେ ଦର୍ଶାଇଛନ୍ତି; ଯଦିଓ ଉପର ଦୀର ପୁଲିସ ଓ ମାଜିଷ୍ଟ୍ରେଟ୍ କହିଛନ୍ତି ଯେ ଇସ୍ଲାମ ଗ୍ରହଣ ପରେ ଅଞ୍ଜୁ ନସରୁଲ୍ଲାଙ୍କୁ ବିବାହ କରିଛନ୍ତି।
Comments are closed.