ୱାର୍କର ମାନ୍ୟତା ଦାବିରେ ଅଙ୍ଗନବାଡ଼ି କର୍ମୀଙ୍କ ବିଶାଳ ବିକ୍ଷୋଭ

0

ଭୁବନେଶ୍ୱର : ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ୱାର୍କର ମାନ୍ୟତା ଦାବିରେ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଗାନ୍ଧିମାର୍ଗରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଗର୍ଭବତୀ ଓ ପ୍ରସୂତି ମହିଳା ତଥା ଶିଶୁର ବିକାଶ ନିମନ୍ତେ ରାଜ୍ୟରେ ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ ମିନି ଅଙ୍ଗନବାଡ଼ି କର୍ମୀ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବନିମ୍ନ ସୁବିଧାରୁ ବଞ୍ଚିତ କରି ରଖିଛନ୍ତି। ଗତ ଅକ୍ଟୋବର ମାସରେ ଅଙ୍ଗନବାଡ଼ି କର୍ମଚାରୀ ୟୁନିୟନ୍‍ ସଂଯୁକ୍ତ ମୋର୍ଚ୍ଚା ତରଫରୁ ଅନୁଷ୍ଠିତ ଦିବାରାତ୍ର ଧାରଣା ଫଳରେ ମୁଖ୍ୟମନ୍ତ୍ରୀ ୨ ହଜାର ଟଙ୍କା ଭତ୍ତା ବୃଦ୍ଧି, ଅନ୍ୟାନ୍ୟ ଦାବି ଘୋଷଣା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଘୋଷିତ ଭତ୍ତାବୃଦ୍ଧି ନିମନ୍ତେ ବିଭାଗୀୟ ନିର୍ଦେଶାନାମା ପ୍ରକାଶ ପାଇଥିଲେ ମଧ୍ୟ ଅନ୍ୟାନ୍ୟ ଦାବିଗୁଡିକ ଉପରେ କୌଣସି ବିଧିବଦ୍ଧ ନିର୍ଦେଶନାମା ପ୍ରକାଶ ପାଇନାହିଁ। ଯେଉଁ ଦାବିଗୁଡିକ ଉପରେ ସହମତି ହୋଇଥିଲା, ସେଗୁଡିକ ହେଲା୬୦ ବର୍ଷ ବୟସ ପରିବର୍ତ୍ତେ ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି,ଏସ୍‍ ଏନ୍‍ପିର ଦର ସଂଶୋଧନ, ପ୍ରକଳ୍ପ ବୈଠକ, ଗ୍ରୀଷ୍ମକାଳୀନ ଛୁଟି, ସୁପରଭାଇଜର ପଦୋନ୍ନତି ୫୦ ପ୍ରତିଶତକୁ ବୃଦ୍ଧି. ସହାୟକାମାନଙ୍କୁ ଅଙ୍ଗନବାଡ଼ି କର୍ମୀ ଭାବେ ନିୟୁକ୍ତି ପାଇଁ ଅଭିଜ୍ଞତା ସମୟସୀମା କୋହଳ, ମିଳିତ ଜମାଖାତାରୁ ୱାର୍ଡ଼ମେମ୍ବର, କର୍ପୋରେଟରମାନଙ୍କୁ ବାଦ୍‍ଦେବା ଇତ୍ୟାଦି ଦାବି କରାଯାଇଛି। କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ଇଏସ୍‍ଆଇ, ପ୍ରୋଭିଡେଣ୍ଟ୍‍ ଫଣ୍ଡ୍‍ ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରାଯାଇନାହିଁ। ଏହା କେନ୍ଦ୍ର ସରକାରଙ୍କର ଯୋଜନା ହୋଇଥିଲେ ମଧ୍ୟ ଭତ୍ତାବୃଦ୍ଧି ନକରି ଏହି କର୍ମଜୀବି ମହିଳାମାନଙ୍କର ଶ୍ରମ ଶୋଷଣ କରାଯାଉଛି ବୋଲି ମୋର୍ଚ୍ଚା ଅଭିଯୋଗ କରିଛି। ଅଙ୍ଗନବାଡ଼ି କର୍ମୀ, ମିନି କର୍ମୀ ଓ ସହାୟିକାଙ୍କୁ ସରକାରୀ ମାନ୍ୟତା, ସର୍ବନିମ୍ନ ଭତ୍ତା ମାସିକ ୧୮ହଜାର ଟଙ୍କା ସର୍ବନିମ୍ନ ପେନ୍‍ସନ ୩ ହଜାର ଟଙ୍କା ଓ ଯୋଜନାରେ ସ୍ଥାୟୀକରଣ ଏବଂ ଘରୋଇକରଣ ବନ୍ଦ ସମ୍ବଳିତ ଦାବି ରାଜ୍ୟପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଉପସ୍ଥାପନ କରାଯାଇଛି। ପୂର୍ବାହ୍ନରେ ରେଳଷ୍ଟେସନରୁ ଏକ ଶୋଭାଯାତ୍ରା ବାହାରି ଲୋୟର ପିଏମଜିଠାରେ ପହଞ୍ଚିବାପରେ ଅଙ୍ଗନବାଡ଼ି କର୍ମଚାରୀ ୟୁନିୟନ୍ ସଂଯୁକ୍ତ ମୋର୍ଚ୍ଚାର ଆବାହକ ବିଜୟ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିକ୍ଷୋଭ ସମାବେଶରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ଡଃ ସୌରୀବନ୍ଧୁ କର, ସିଆଇଟିୟୁର ରାଜ୍ୟ ସଭାପତି ଲମ୍ବୋଦର ନାୟକ, ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘର ଆବାହକ ପ୍ରଶାନ୍ତ ପାଢ଼ୀ, ରାଧାରମଣ ଷଡ଼ଙ୍ଗୀ, ସୁର ଜେନା, ଜୟନ୍ତ ଦାସ, ହରପ୍ରିୟା ସ୍ୱାଇଁ, ପ୍ରତିଭା ପାଲ୍, ବିଷ୍ଣୁପ୍ରିୟା ଜେନା, ମମତାଜ୍ ଖୁଣ୍ଟିଆ, ପ୍ରତିଭା ପରିଡ଼ା, ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଦୁଇଟି ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଓ ରାଜ୍ୟପାଳଙ୍କ ଜରିଆରେ ରାଜଭବନଠାରେ ଦାବି ଉପସ୍ଥାପନ କରିଥିବା ବେଳେ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ତାଙ୍କ ସଚିବାଳୟ ପ୍ରକୋଷ୍ଠରେ ଦାବିପତ୍ର ଉପସ୍ଥାପନ କରାଯାଇଥିଲା।

Leave A Reply