ଭାଗବତଙ୍କୁ ଭେଟିଲେ ଶାହା
ମୁମ୍ବଇ : ବିଜେପି ଅଧ୍ୟକ୍ଷ ଅମିତ ଶାହା ଶୁକ୍ରବାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍) ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଛନ୍ତି। ଏଠାରେ ଚାଲିଥିବା ସଂଘର କାର୍ଯ୍ୟକାରୀ ବୈଠକ ଅବସରରେ ଭାଗବତଙ୍କ ସହ ଶାହା ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟଙ୍କ ଆଲୋଚନା କାଳରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ସ୍ଥାନ ପାଇଥିବା କୁହାଯାଇଛି। ଅଯୋଧ୍ୟାର ରାମ ମନ୍ଦିର-ବାବ୍ରି ମସଜିଦ ଜମି ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ଆସନ୍ତା ବର୍ଷ ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପରେ ରାମ ମନ୍ଦିର ନିର୍ମାଣ ପାଇଁ ଏକ ଅଧ୍ୟାଦେଶ ଆଣିବା ଲାଗି ଦାବି ଉଠିଛି। ବିଶେଷ କରି ଆରଏସଏସ୍ ଏହି ଅଧ୍ୟାଦେଶ ଆଣିବା ଲାଗି ସରକାରଙ୍କ ଉପରେ ଚାପ ପକାଇଛି। ମୋହନ ଭାଗବତ ମଧ୍ୟ ତାଙ୍କ ବିଜୟା ଦଶମୀ ବକ୍ତବ୍ୟରେ ରାମମନ୍ଦିର ନିର୍ମାଣ ନିମନ୍ତେ ସରକାରଙ୍କୁ ଆଇନ ଆଣିବା ଲାଗି କହିଥିଲେ। ବିଜେପିର ସହଯୋଗୀ ଶିବସେନା ମଧ୍ୟ ଅନୁରୂପ ଅଧ୍ୟାଦେଶ ଆଣିବା ଲାଗି ଦାବି ଉଠାଇଛି।