Patra electronics

ଆଜି ଆସିବେ ଶାହା ; ସାଲେପୁରର କୁଳିଆ ସଭାରେ ଉଦ୍‌ବୋଧନ ଦେବେ

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲଗାତାର ତିନିଥର ଓଡ଼ିଶା ଗସ୍ତ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ପୂର୍ବାହ୍ନ ସାଢ଼େ ୧୦ଟାରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସତ୍ୟଭାମାପୁର ମଧୁବାବୁଙ୍କ ସ୍ମୃତିପୀଠକୁ ଯିବେ। ଏହାପରେ ସାଢ଼େ ୧୧ଟାରେ ମଧୁବାବୁଙ୍କ ପୀଠରୁ ବାହାରି ସାଲେପୁରସ୍ଥିତ କୁଳିଆ ଏମଆରପି ପଡିଆରେ ପହଞ୍ଚିବେ। ପ୍ରାୟ ୧୨ଟା ୧୫ ମିନିଟରେ ଏମଆରପି ପଡିଆରେ ପହଞ୍ଚି ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଙ୍ଗଠନ ସମ୍ପର୍କରେ ବିଚାରବିମର୍ଶ କରିବେ। ଏହି ଅବସରରେ ସେଠାରେ ଆୟୋଜିତ ଜନସମାବେଶରେ ଶ୍ରୀ ଶାହା ଉଦବୋଧନ ଦେବେ। ଏହାକୁ ନେଇ ବିଜେପି ନେତା ଓ କର୍ମୀଙ୍କୁ ଯେତିକି ଉତ୍ସାହିତ କରିଛି ସାଲେପୁର ଓ ମାହାଙ୍ଗା ଅଞ୍ଚଳ ସେତିକି ଚଳଚଞ୍ଚଳ ହୋଇ ଉଠିଛି।
ନିକଟରେ ଗତ ମାସକ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଖୋର୍ଦ୍ଧାର ବରୁଣେଇ ପରେ ବାରିପଦା ଓ ବଲାଙ୍ଗିର ଗସ୍ତରେ ଆସିଛନ୍ତି। ବରୁଣେଇ ଜନସମାବେଶରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଯେଉଁ କଟାକ୍ଷ କରିଥିଲେ ତାହା ଦ୍ବିତୀୟ ଓ ତୃତୀୟ ଜନସମାବେଶରେ ଦେଖିବାକୁ ମିଳି ନଥିଲା। ସେହିପରି ଶ୍ରୀ ଶାହା ଚଳିତମାସ ୧୮ରେ ସାଲେପୁର ଗସ୍ତ କରିବାକୁ ଥିବାବେଳେ ଶରୀର ଅସୁସ୍ଥତା ଯୋଗୁଁ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା। ଶ୍ରୀ ଶାହା ବିଜେଡ଼ି ସରକାର ବିରୋଧରେ କିଛି କହି କର୍ମୀଙ୍କୁ ଶାହା ହେବେ ବୋଲି ଚର୍ଚ୍ଚା ହେଉଥିବାବେଳେ ବିରୋଧୀ କିନ୍ତୁ ଚିରାଚରିତ ଢ଼ଙ୍ଗରେ ଦଳପାଇଁ ‘ନୋ-ଟେନସନ’ ବୋଲି କହିଛନ୍ତି।
ଓଡ଼ିଶାବାସୀଙ୍କ ମନ ଜିଣିବାପାଇଁ ବିଜେପି ପ୍ରୟାସ ଚଳାଇଥିବାରୁ ମୋଦୀଙ୍କ ତୁହାକୁ ତୁହା ଗସ୍ତ ପରେ ଏବେ ଶାହା ଏକାଧିକ ବାର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ସାଲେପୁର ଆସିବା ପରେ ଫେବୃଆରୀ ୩ତାରିଖରେ ଜନଜାତି ମହାଧିବେଶନରେ ଯୋଗଦେବାପାଇଁ ଓଡ଼ିଶା ଗସ୍ତରେ ଆସିବେ। ଏହାବାଦ୍ ମାର୍ଚ୍ଚରେ ଦୁଇଟି ସମାବେଶ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ରହିଛି। ସାଧାରଣ ନିର୍ବାଚନ ଯେତିକି ନିକଟତର ହେଉଛି ବିଜେପି ତା’ର ୧୨୦ ଯୁକ୍ତ ମିଶନ ସଫଳ କରିବାପାଇଁ ସେତିକି ଫୋକସ ବଢ଼ାଇ ଚାଲିଛି। ରାଜ୍ୟ ବିଜେପି ପକ୍ଷରୁ ଶାହାଙ୍କ ଗସ୍ତକୁ ନେଇ ଗାଡିଠାରୁ ଘୋଡା ଓ ବାଜାଠାରୁ ବାଣ ପର୍ଯ୍ୟନ୍ତ ସବୁପ୍ରକାର ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଗାମୀ ଦିନରେ ରାଜ୍ୟ ରାଜନୀତିରେ ଏହି ଦୁଇ ମହାନ ହସ୍ତୀଙ୍କ ଗସ୍ତ ନିଶ୍ଚିତ ଭାବେ ପ୍ରଭାବ ପକାଇବ ବୋଲି ବିଜେପି ଆଶାବାଦୀ।
ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତକୁ ନେଇ ଦଳର ସବୁବର୍ଗର କର୍ମୀଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖାଦେଇଛି। ଶ୍ରୀ ଶାହା ଯେତେଥର ଓଡ଼ିଶା ଗସ୍ତରେ ଆସିଛନ୍ତି ସବୁବେଳେ କର୍ମୀଙ୍କ ମନୋବଳ ବଢ଼ାଇବାପାଇଁ ବିଭିନ୍ନ ମନ୍ତ୍ର ଫୁଙ୍କିଛନ୍ତି। ଆସନ୍ତାକାଲି ମଧ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରସଙ୍ଗରେ ଅପାରଗତାକୁ ନେଇ କିଛି କରିସ୍ମା ଦେଖାଇବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ ଜନସମାବେଶକୁ ସଫଳ କରିବାପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ,ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହେଦେଓ, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଜେପିର ବରିଷ୍ଠ ନେତୃବୃନ୍ଦ ଉଦ୍ୟମ ଚଳାଇଛନ୍ତି। ତେବେ ଗତ ୧୮ବର୍ଷ ଭିତରେ ନବୀନ ବାବୁ ଥରଟିଏ ବି ମଧୁବାବୁଙ୍କ କଥା ମନେ ପକାଇ ନଥିବାବେଳେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଆସନ୍ତାକାଲି ମଧୁବାବୁଙ୍କୁ ସମ୍ମାନ ଜଣାଇବାପାଇଁ ଯିବେ। ଏଥିରୁ ରାଜ୍ୟ ସରକାର କିଛି ବି ଶିଖିବା ଦରକାର ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ନିରଞ୍ଜନଙ୍କ ପ୍ରତିକ୍ରିୟା
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିତିନି ଥର ଓଡ଼ିଶା ଗସ୍ତରେ ଆସିଲେ, ହେଲେ ନବୀନଙ୍କ ବିରୋଧରେ ପଦୁଟିଏ ବି ନେଲେ ନାହିଁ। ବିଜେଡ଼ି ଓ ବିଜେପି ମଧ୍ୟରେ ପୂର୍ବର ମଧୁର ସମ୍ପର୍କ ଏବେି ବି ବଜାୟ ରହିଛି। କେବଳ ଲୋକଦେଖାଣିଆ ଭାବେ ଉଭୟ ଦଳ ବୟାନବାଜି କରୁଛନ୍ତି। ହେଲେ କେହି ଚାଷୀ, ଯୁବକ ଓ ମହିଳାଙ୍କ ବିକାଶ ଦିଗରେ କାର୍ଯ୍ୟ କରୁ ନାହାନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେହିପରି ବିଜେଡ଼ି ମୁଖପାତ୍ର ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଅମିତ ଶାହାଙ୍କ ଗସ୍ତ ବିଜେଡ଼ି ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ଥର ଓଡ଼ିଶା ଗସ୍ତ କରି ଫେରିଛନ୍ତି, ତାହାର କୌଣସି ପ୍ରଭାବ ରାଜ୍ୟବାସୀ ଉପଲବ୍ଧ କରିନାହାନ୍ତି। ଶାହାଙ୍କ ଏହି ଗସ୍ତ କେବଳ ତାଙ୍କ ଦଳୀୟ କର୍ମକର୍ତ୍ତାଙ୍କୁ ଖୁସି ଦେବ। ରାଜ୍ୟବାସୀଙ୍କ ହିତସାଧନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହରହ ଉଦ୍ୟମ କରୁଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଗରିବଙ୍କ ହୃଦୟ ଜିତିଥିବାବେଳେ କାଳିଆ ଯୋଜନାରେ ରାଜ୍ୟର ଚାଷୀକୁଳ ଉତ୍ସାହିତ ଥିବା ଲକ୍ଷ୍ୟ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଦିନକୁ ଦିନ ଝଟକୁଛି। ନିର୍ବାଚନ ପୂର୍ବରୁ ମୋଦୀ ଓ ଅମିତ କିମ୍ବା ରାହୁଳଙ୍କ ଗସ୍ତ କିଛି ଫରକ ପକାଇବ ନାହିଁ ବୋଲି ଶ୍ରୀ ଦାଶ କହିଛନ୍ତି।

Leave A Reply