ୟେଦୁରାପ୍ପା ସରକାରକୁ ଦୁର୍ନୀତିଗ୍ରସ୍ତ କହି ଅଡୁଆରେ ଶାହା

0

ବେଙ୍ଗାଲୁରୁ : କର୍ଣ୍ଣାଟକର ଡାଭନଗରଠାରେ ମଙ୍ଗଳବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ଭୁଲ୍‌ବଶତଃ ଦଳୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି. ଏସ୍‌. ୟେଦ୍ଦୁରାପ୍ପା ସରକାର ସବୁଠୁ ଦୁର୍ନୀତିଗ୍ରସ୍ତ ବୋଲି କହି ଅପଦସ୍ତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଦଳର ଅନ୍ୟ ନେତୃବୃନ୍ଦଙ୍କ ସହିତ ୟେଦ୍ଦୁରାପ୍ପା ମଧ୍ୟ ଉପସ୍ଥିତ ଥିଲେ। ଯଦି ଦୁର୍ନୀତିଗ୍ରସ୍ତ ସରକାରମାନଙ୍କ ପ୍ରତିଦ୍ୱନ୍ଦ୍ୱିତା ହୁଏ ତା’ ହେଲେ ୟେଦ୍ଦୁରାପ୍ପା ସରକାର ପ୍ରଥମ ସ୍ଥାନରେ ରହିବେ ବୋଲି ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ନିକଟରେ ତାଙ୍କୁ କହିଥିବା ଶାହା ତାଙ୍କ ବକ୍ତବ୍ୟରେ କହିଥିଲେ। ବାସ୍ତବରେ ସେ ଏଠାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନାମ କହିବାକୁ ଚାହୁଁଥିଲେ। ମାତ୍ର ଶାହାଙ୍କ ପାଟିରୁ ୟେଦ୍ଦୁରାପ୍ପାଙ୍କ ନାମ ବାହାରିବା କ୍ଷଣି ମଞ୍ଚରେ ଉପସ୍ଥିତ ଥିବା ଅନ୍ୟ ଜଣେ ନେତା ଉଠି ଆସି ତାଙ୍କ କାନରେ କିଛି କହିଥିଲେ। ଶାହା ନିଜର ତ୍ରୁଟି ବୁଝି ପାରି ତୁରନ୍ତ ତାହାକୁ ସୁଧାରି ନେଇଥିଲେ। କିନ୍ତୁ ଶାହାଙ୍କ ଏଭଳି ତ୍ରୁଟିକୁ ନେଇ କଂଗ୍ରେସ ତାଙ୍କୁ ସମାଲୋଚନା କରିଛି। ବିଜେପି ଅଧ୍ୟକ୍ଷଙ୍କର ଏଭଳି ତ୍ରୁଟି ନୂଆ କଥା ନୁହେଁ ବୋଲି କଂଗ୍ରେସ ନେତା ମନ୍ତବ୍ୟ ଦେଇଛନ୍ତି। ଉଲ୍ଲେଖ ଯେ, ୨୦୦୮ରେ ୟେଦ୍ଦୁରାପ୍ପାଙ୍କ ନେତୃତ୍ୱରେ ବିଜେପି କର୍ଣ୍ଣାଟକରେ ଏହାର ପ୍ରଥମ ସରକାର ଗଠନ କରିଥିଲା। ମାତ୍ର ବେଲାରୀ ଖଣି ଦୁର୍ନୀତିରେ ୟେଦ୍ଦୁରାପ୍ପା ଛନ୍ଦି ହୋଇପଡିବା ପରେ ୨୦୧୧ ଅଗଷ୍ଟରେ ତାଙ୍କୁ କ୍ଷମତାରୁ ଓହରିବାକୁ ପଡିଥିଲା।

Leave A Reply