ପୋର୍ଟବ୍ଲେୟାର: ଆଣ୍ଡାମାନ୍ ନିକୋବର ଦ୍ୱୀପପୁଞ୍ଜରେ ଆଦିବାସୀଙ୍କ ଆକ୍ରମଣରେ ଜଣେ ଆମେରିକୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୁଲିସ ୭ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ମୃତ ଆମେରିକୀୟ ପର୍ଯ୍ୟଟକଙ୍କ ନାମ ଜନ୍ ଆଲେନ୍ ଚାଉ ବୋଲି ପୁଲିସ କହିଛି।
୨୦୧୧ ଜନଗଣନା ଆଧାରରେ ସେଠାକାର ଆଦିମ ଅଧିବାସୀଙ୍କ ସଂଖ୍ୟା ଥିଲା ମାତ୍ର ୪୦। ସେମାନେ ସମ୍ପୂର୍ଣ୍ଣ ରୂପେ ବାହ୍ୟ ଜଗତରୁ ବିଚ୍ଛିନ୍ନ। ସେମାନଙ୍କର ଚାଲିଚଳଣି, ଖାଦ୍ୟପେୟ ଆଦି ଉପରେ ଖବର ଓ ଫଟୋ ସଂଗ୍ରହ କରିବାକୁ ବିଭିନ୍ନ ସମୟରେ ପର୍ଯ୍ୟଟକ, ସାମ୍ବାଦିକ ଓ ଗବେଷକମାନେ ଯାଉଛନ୍ତି। ବାହାରୁ ଯାଉଥିବା ଅପରିଚିଙ୍କ ଦ୍ୱାରା ଆଦିମ ଅଧିବାସୀଙ୍କ ପାରମ୍ପରିକ ଜୀବନଶୈଳୀ ବିପନ୍ନ ହେଉଥିବା କେତେକ ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି। ସେହିପରି ଆଦିବାସୀଙ୍କଠାରୁ ବହିରାଗତ ପର୍ଯ୍ୟଟଙ୍କ ପ୍ରତି ବିପଦ ଆଶଙ୍କା ଓ ପ୍ରତିରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଉପକରଣ ଥିବାରୁ ସେଠାକୁ ସାଧାରଣତଃ ଯିବା ପାଇଁ ଅନୁମତି ମିଳି ନଥାଏ। କିନ୍ତୁ ସ୍ଥାନୀୟ ଅଧିକାରୀଙ୍କୁ ପ୍ରଭାବିତ କରି ବହିରାଗତମାନେ ଆଦିବାସୀଙ୍କ ସହିତ ରାତ୍ରିଯାପନ କରିବାକୁ ଯାଉଥିବାରୁ ବେଳେ ବେଳେ ଏଭଳି ଅଘଟଣ ଘଟୁଥିବା ଅଭିଯୋଗ ହେଉଛି।
ମତ୍ସ୍ୟଜୀବୀଙ୍କ ସୂଚନା ଅନୁଯାୟୀ, ଜନଙ୍କୁ ସେମାନେ ଦକ୍ଷିଣ ଆଣ୍ଡାମାନ୍ରେ ନଭେମ୍ବର ୧୬ ତାରିଖରେ ଛାଡ଼ିଥିଲେ। ସେଠାରେ ପହଞ୍ଚିବା ମାତ୍ରେ କିଛି ଲୋକ ତାଙ୍କୁ ଧନୁ ଓ ତୀରରେ ଆକ୍ରମଣ କରିଥିଲେ। ଶରବିଦ୍ଧ ହେବା ପରେ ଜନ୍ କିଛି ବାଟ ଚାଲି ଚାଲି ଯାଇଥିଲେ। କିନ୍ତୁ ପରେ ଆଦିବାସୀମାନେ ତାଙ୍କ ବେକକୁ ଫାଶରେ ବାନ୍ଧି ଟାଣି ଟାଣି ସମୁଦ୍ର କୂଳ ପର୍ଯ୍ୟନ୍ତ ଆଣିଥିଲେ। ଏହାପରେ ମତ୍ସ୍ୟଜୀବୀମାନେ ଭୟଭୀତ ହୋଇ ଚାଲି ଆସିଥିଲେ। ତା ପରଦିନ ସକାଳୁ ଜନ୍ଙ୍କ ମୃତ ଦେହ ସମୁଦ୍ର କୂଳରେ ଦେଖିବାକୁ ମିଳିଥିଲା। ମତ୍ସ୍ୟଜୀବୀମାନେ ଘଟଣା ସମ୍ପର୍କରେ ଆଲେକ୍ସ ନାମକ ସ୍ଥାନୀୟ ପୂଜକ ତଥା ଜନ୍ଙ୍କ ବନ୍ଧୁଙ୍କୁ କହିଥିଲେ। ଆଲେକ୍ସ ତୁରନ୍ତ ଜନ୍ଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ଭାରତରେ ଅବସ୍ଥାପିତ ଆମେରିକୀୟ ଦୂତାବାସକୁ ଖବର ଦିଆଯାଇଥିଲା। ଜନ୍ଙ୍କ ବିଷୟରେ ସୂଚନା ସଂଗ୍ରହ ପାଇଁ ଆମେରିକୀୟ ଦୂତାବାସ ପକ୍ଷରୁ ଚେନ୍ନାଇ ପୁଲିସ ପ୍ରଶାସନ ସହିତ ଯୋଗାଯୋଗ କରାଯାଇଥିଲା। ସ୍ଥାନୀୟ ପ୍ରଶାସନର ଉଦ୍ୟମ ସତ୍ତେ୍ୱ ଏ ପର୍ଯ୍ୟନ୍ତ ଜନ୍ଙ୍କ ଶବ ମିଳିପାରିନାହିଁ। ଆଦିମ ଅଧିବାସୀଙ୍କ ଭୟରେ ହେଲିକପ୍ଟର ସେଠାରେ ଓହ୍ଲାଇ ପାରୁନଥିବାରୁ ଶବ ଉଦ୍ଧାର ବିଳମ୍ବିତ ହେବାର ଆଶଙ୍କା କରାଯାଉଛି।
ଆଦିବାସୀଙ୍କ ଆକ୍ରମଣରେ ଆମେରିକୀୟ ପର୍ଯ୍ୟଟକ ମୃତ
Popular Categories



