ଆମେରିକାର ମାରାତ୍ମକ ମିତ୍ରତା

ଭୁବନେଶ୍ଵର: ବେଙ୍ଗାଲୁରୁଠାରେ ୨୦୨୫ ଫେବୃଆରୀ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଏରୋ-ଇଣ୍ଡିଆ ପ୍ରଦର୍ଶନୀ ହୋଇଥିଲା। ଏହି ପ୍ରଦର୍ଶନୀରେ ଆମେରିକା ଜେନେରେସନ କମ୍ବାଟ୍ ଏଆରକ୍ରାଫ୍ଟ ଥିଲା ଦର୍ଶକଙ୍କ ପାଇଁ ଆକର୍ଷଣୀୟ। ନିକଟରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ କାଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ନିଜ ପକ୍ଷରୁ ‘ଏଫ-୩୫’ କମ୍ବାଟ ଏଆରକ୍ରାଫ୍ଟ ଭାରତକୁ ଯୋଗାଣ ସମ୍ବନ୍ଧରେ ସୂଚନା ଦେଇଥିଲେ। ଭାରତୀୟ ବାୟୁସେନାରେ ଅନୁମୋଦିତ ଫାଇଟର ସ୍କ୍ବାଡ୍ରନ ସଂଖ୍ୟା ୪୨.୫ ହୋଇଥିଲାବେଳେ ଏବେ ମାତ୍ର ୩୦ଟି ଫାଇଟର ସ୍କ୍ବାଡ୍ରନ(ପ୍ରତି ସ୍କ୍ବାଡ୍ରନରେ ପ୍ରାୟ ୧୮ଟି ବିମାନ) ରହିଛି। ଏଗୁଡ଼ିକ ମଧ୍ୟରୁ ଅନେକଗୁଡ଼ିଏ ପୁରୁଣା ବିମାନ ମଧ୍ୟ ରହିଛି ଯାହାକୁ ପର୍ଯ୍ୟାୟକ୍ରମେ ବାଦ୍ ଦିଆଯିବ। ବିଶ୍ବର ଅନେକ ଦେଶ ବିଶେଷକରି ଆମେରିକା, ରୁଷିଆ, ଚୀନ୍ ଏବେ ପଞ୍ଚମ ପିଢ଼ିର ଫାଇଟର କମ୍ବାଟ ବିମାନରେ ସଜ୍ଜିତ। ଏବେ ଚୀନ ଦୁଇଟି ଅତ୍ୟାଧୁନିକ ପଞ୍ଚମ ପିଢ଼ିର ଯୁଦ୍ଧବିମାନର ପରୀକ୍ଷଣ-ଉଡ଼ାଣ କରିଥିଲା ଯାହାକୁ ବିଶ୍ବର କେତେକ ଅଗ୍ରଣୀ ଦେଶ ଏହା ଚୀନ୍ର ‘ଷଷ୍ଠ ପିଢ଼ିର ଯୁଦ୍ଧ ବିମାନ’ ବୋଲି ମତ ରଖିଛନ୍ତି। ବର୍ତ୍ତମାନ ପାକିସ୍ତାନ ଚୀନ୍ଠାରୁ ୪୦ଟି ‘ଜେ-୩୫’ ପଞ୍ଚମ ପିଢ଼ିର ଯୁଦ୍ଧବିମାନ ଆହରଣ କରିବାର ପ୍ରଚେଷ୍ଟା ଚଳାଇଥିବା ସୂଚନା ମିଳେ। ଭାରତୀୟ ବାୟୁସେନା ରୁଷିଆ ନିର୍ମିତ ବିଭିନ୍ନ କିସମର ଫାଇଟର ବିମାନ ବ୍ୟବହୃତ ହୋଇ ଆସୁଛି। ସେଗୁଡ଼ିକ ମଧ୍ୟରୁ ‘ମିଗ୍-୨୧’ ସବୁଠୁ ପୁରୁଣା। ଅନ୍ୟ ବିମାନଗୁଡ଼ିକ ମଧ୍ୟ ପୁରୁଣା ହୋଇଯିବାରୁ ସେଗୁଡ଼ିକୁ ମଧ୍ୟ ପର୍ଯ୍ୟାୟକ୍ରମେ ବାୟୁସେନାରୁ ବାଦ୍ ଦିଆଯିବ। ରୁଷିଆ ନିର୍ମିତ ‘ଏସ୍-ୟୁ-୫୭’ ପଞ୍ଚମ ପିଢ଼ିର ଯୁଦ୍ଧବିମାନ ନିର୍ମାଣ ପାଇଁ ଭାରତ ଓ ରୁଷିଆ ମଧ୍ୟରେ ଚୁକ୍ତି ହୋଇଥିଲା ୨୦୧୦ରେ; ମାତ୍ର ପରବର୍ତ୍ତୀ ସମୟରେ ରୁଷିଆର ଅଧିକ ପରିମାଣର ଅର୍ଥଦାବି, ପ୍ରଯୁକ୍ତି ବଦଳ ଉପରେ ଦୁଇ ଦେଶ ମଧ୍ୟରେ ସମ୍ମତି ନହେବାରୁ ଭାରତ ଉକ୍ତ ପ୍ରକଳ୍ପରୁ ଓହରି ଆସି ସ୍ବଦେଶୀ ଜ୍ଞାନକୌଶଳରେ ‘ଏଡଭାନ୍ସଡ ମିଡିଅମ୍ କମ୍ବାଟ ଏଆର୍କ୍ରାଫ୍ଟ’ (ଏଏମସିଏ) ନିର୍ମାଣ କରିବାର ସିଦ୍ଧାନ୍ତ ନେଇଥିଲା। ଯୁଦ୍ଧାସ୍ତ୍ର ଆହରଣରେ ଭାରତ ବିଶ୍ବର ପ୍ରଥମ ରାଷ୍ଟ୍ର ହୋଇଥିଲାବେଳେ ଏବେ ସ୍ବଦେଶରେ ଯୁଦ୍ଧାସ୍ତ୍ର ନିର୍ମାଣ ପାଇଁ ଆଗଭର ହୋଇ ଯୁଦ୍ଧବିମାନ ନିର୍ମାଣ ଉପରେ ରଖିଛି ଲକ୍ଷ୍ୟ। ‘ଏଲ.ସି.ଏ ମାର୍କ-୧.ଏ’ ୮୩ଟି ସ୍ବଦେଶରେ ନିର୍ମାଣ କରାଯିବାର ଚୁକ୍ତି ପରେ ଏହି ବିମାନର ଇଞ୍ଜିନ୍ ଆମେରିକାର ଜେନେରାଲ ଇଲେକ୍ଟ୍ରୋନିକ୍ସ ସହ ଚୁକ୍ତି ହୋଇଥିଲେ ମଧ୍ୟ ଏହାର ଯୋଗାଣରେ ବିଳମ୍ବ କାରଣରୁ ଏଚଏଏଲ ଦ୍ବାରା ବିମାନ ନିର୍ମାଣ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଛି। ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ‘ଇଣ୍ଡୋ-ସୋଭିଏତ ଫ୍ରେଣ୍ଡସିପ୍ ଟ୍ରିଟି’ କାରଣରୁ ରୁଷିଆ ବିଶ୍ବସନୀୟ ବନ୍ଧୁ ସାଜି ଆମକୁ ସମସ୍ତ ପ୍ରକାର ଯୁଦ୍ଧାସ୍ତ୍ର ଯୋଗାଇ ଦେଇଥିଲା। ସେତେବେଳେ ଆମେରିକା ପାକିସ୍ତାନ ସପକ୍ଷରେ ଥାଇ ‘ସେଭେନ୍ଥ-ଫ୍ଲିଟ୍’ ଭାରତ ବିପକ୍ଷରେ ପ୍ରେରଣ କରିଥିଲା। ଭୂ-ରାଜନୈତିକ ଦୃଷ୍ଟିରୁ ବିଶ୍ବର କୌଣସି ଦେଶ ସର୍ବକାଳୀନ ବନ୍ଧୁ ନୁହଁ ଅଥବା ସର୍ବକାଳୀନ ଶତ୍ରୁ ମଧ୍ୟ ନୁହଁ; ତଥାପି ଅଧିକାଂଶ ଭାରତୀୟ ଆମେରିକାକୁ ବିଶ୍ବାସ କରନ୍ତି ନାହିଁ। ଆମେରିକା ସର୍ବକାଳୀନ ପାଣିପାଗର ବନ୍ଧୁ ଆଦୌ ନୁହଁ ବୋଲି କେତେକ ବିଶେଷଜ୍ଞଙ୍କ ମତ।
‘ଜେନ୍ସ ଅଲ୍ ଦି ୱାର୍ଲଡ଼୍ସ ଏଆରକ୍ରାଫ୍ଟ’ରେ ପ୍ରକାଶିତ ତଥ୍ୟ ଅନୁସାରେ ୨୦୧୨ ମସିହାରେ ଏଫ-୩୫ଏ ଲଢ଼ୁଆ ବିମାନର ମୂଲ୍ୟ ଥିଲା ଗୋଟିକର ୩୭ ମିଲିଅନ୍ ଡଲାର, ୨୦୧୭ରେ ଏହା ପହଞ୍ଚିଲା ୯୪ ମିଲିଅନ ଡଲାରରେ; ମାତ୍ର ବର୍ତ୍ତମାନର ମୂଲ୍ୟ ୧୦୦ ମିଲିଅନ ଡଲାର (ପ୍ରାୟ ୮୭୦ କୋଟି ଟଙ୍କା ଗୋଟିକର)। ଭାରତ ଫ୍ରାନ୍ସଠାରୁ ବିବିଧ ଭୂମିକା ତୁଲାଇ ପାରୁଥିବା ‘ରାଫେଲ’ ଆହରଣ କରିଛି, ଯାହାର ପ୍ରତ୍ୟେକଟିର ମୂଲ୍ୟ ୨୪୪ ମିଲିଅନ ଡଲାର। ‘ଏଫ-୩୫’ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନରେ ସଫ୍ଟଓୟାରରେ ତ୍ରୁଟି ଥାଇ ଭାରତକୁ ବିକି ନିଜ ଗୋଦାମ ଖାଲି କରିବାକୁ ଟ୍ରମ୍ପ୍ ନିଜ ବୈଦେଶିକ ଭଣ୍ଡାର ବଢ଼ାଇବାକୁ ପ୍ରଚେଷ୍ଟା ଜାରି ରଖିଥିବା କେତେକ ସାମରିକ ବିଶେଷଜ୍ଞଙ୍କ ମତ। ଆତଙ୍କବାଦ ନିରୋଧୀ କାର୍ଯ୍ୟକ୍ରମରେ ଆମେରିକାକୁ ସହଯୋଗ କରିବା ସକାଶେ ପାକିସ୍ତାନକୁ ଦିଆଯାଇଥିବା ଏଫ-୧୬ ଲଢ଼ୁଆ ବିମାନର ରକ୍ଷଣାବେକ୍ଷଣ ପାଇଁ ଟ୍ରମ୍ପ ପ୍ରଶାସନ ୩୧୭ ମିଲିଅନ ଡଲାର ଆର୍ଥିକ ସହାୟତା ମଞ୍ଜୁର କରିଛି। ଆତଙ୍କବାଦର ବାହୁଛାୟା ତଳେ ଏକ ଅସ୍ଥିର ଗଣତନ୍ତ୍ର ତଥା ଅର୍ଥନୈତିକ ଭଗ୍ନସ୍ତୂପ- ପାକିସ୍ତାନ କୌଣସି ରାଷ୍ଟ୍ର ସକାଶେ ଆଦର୍ଶ ସତୀର୍ଥ ହେବା କଥା ନୁହେଁ । ଏହାକୁ ଅନ୍ୟ ଦୃଷ୍ଟିରେ ମଧ୍ୟ ଦେଖାଯାଇ ପାରେ। ତାହା ହେଲା ‘ଏଫ-୧୬’ ବିମାନ ପରିଚାଳନା ପାଇଁ ପାକିସ୍ତାନକୁ ଆର୍ଥିକ ସହାୟତା ଯୋଗାଇ ଭାରତକୁ ଏଫ୍-୩୫ ସିକ୍ସ ବିମାନ କିଣିବାକୁ ଏକ ପ୍ରକାର ବାଧ୍ୟ କରିବା ନୁହଁ କି? ଭାରତ ସହ ସମ୍ପର୍କରେ ଉନ୍ନତି ଘଟିବା ପରେ ଆମେରିକା ଯେ ପାକିସ୍ତାନର ହାତ ସମ୍ପୂର୍ଣ୍ଣ ଛାଡ଼ିଦେବ- ଏହା ଭାବିବା ସଂପୂର୍ଣ୍ଣ ଭୁଲ। ଭାରତ ଏଫ-୩୫ ସିକ୍ସ ଯୁଦ୍ଧ ବିମାନ କିଣିବ ଅବା ତା’ର ବିକଳ୍ପ ରୁଷିଆ ନିର୍ମିତ ‘ଏସୟୁ-୫୭’ କିଣିବ ଅଥବା ଫ୍ରାନ୍ସଠାରୁ ‘ରାଫେଲ୍’ର ଅତ୍ୟାଧୁନିକ ସଂସ୍କରଣଯୁକ୍ତ ଅଧିକ ବିମାନ କ୍ରୟ କରିବ ତାହା ଭାରତ ସ୍ଥିର କରି ନାହିଁ। ଅନ୍ୟକୁ ଅକଳରେ ପକାଇ ବ୍ୟବସାୟ କରିବାରେ ଆମେରିକା ବେଶ୍ ସିଦ୍ଧହସ୍ତ। ଆମେରିକାର ଛଳନା ଏବଂ ବାସ୍ତବତାର ଭିନ୍ନ ସ୍ବରୂପ ଏବେ ଜଳଜଳ ହୋଇ ଦୃଶ୍ୟମାନ। ଭାରତର ପରମାଣୁ ପରୀକ୍ଷଣ (ପୋଖରାନ୍-୨) ପରେ ଆମେରିକା ବିଶ୍ବର ପ୍ରଥମ ରାଷ୍ଟ୍ର ଯିଏକି ଭାରତ ବିପକ୍ଷରେ ଅନେକଗୁଡ଼ିଏ ପ୍ରତିବନ୍ଧକ ଲଗାଇଥିଲା ଯେଉଁଥିରୁ କେତେକ ଆଜି ପର୍ଯ୍ୟନ୍ତ ଲାଗୁ ରହିଛି। ଟ୍ରମ୍ପଙ୍କ ଦ୍ବିତୀୟ ପାଳିର ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କ ବିସ୍ତାରବାଦୀ ଆଭିମୁଖ୍ୟ ଗାଜାଷ୍ଟ୍ରିପ୍ ଓ ୟୁକ୍ରେନର ଦୁର୍ମୂଲ୍ୟ ଖଣିଜ ସଂପଦ ଉପରେ ନିବଦ୍ଧ। ୱାଶିଂଟନର ଓଭାଲ ଅଫିସରେ ଫେବୃଆରୀ ୨୮ ତାରିଖରେ ରାଷ୍ଟ୍ରପତି ଟ୍ରମ୍ପ୍ ଓ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ଉଷ୍ମ ବିତର୍କ, ବିବାଦ, ମତାନ୍ତର ଦେଖିବାକୁ ମିଳିଲା ଏବଂ ଟ୍ରମ୍ପ ଯେଉଁଭଳି ଜେଲେନସ୍କିଙ୍କୁ ଅତି ଦୟନୀୟ ଭାବେ ଅପମାନିତ, ହତାଦର ଓ ଅପ୍ରୟୋଜନୀୟ ଭଳି ବ୍ୟବହାର କଲେ ତାହା ଦେଖି ସମଗ୍ର ବିଶ୍ବ ଚକିତ କରିଥିଲା। ଯୁଦ୍ଧ ମଝିରେ ଆମେରିକା ଅନ୍ୟ ରାଷ୍ଟ୍ରଙ୍କ ପ୍ରତି ମଧ୍ୟ ସେଭଳି ଆଚରଣ ଯେ ନ କରିବ ତାହାର ଗ୍ୟାରେଣ୍ଟି କିଏ ଅବା ଦେଇ ପାରିବ? ଟ୍ରମ୍ପ ତାଙ୍କ ଦ୍ବିତୀୟ ପାଳି ଶାସନ ଆରମ୍ଭ କରିବା ପରେ ଅତିଥି ହୋଇଥିବା ରାଷ୍ଟ୍ରଧ୍ୟକ୍ଷଗଣଙ୍କ ସହ ପ୍ରାୟତଃ ଆକ୍ରମଣାତ୍ମକ ବ୍ୟବହାର ଦେଖାଇଛନ୍ତି। ‘ପ୍ରିୟ ବନ୍ଧୁ’ ବୋଲି ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବି ଦି’ପଦ ଶୁଣାଇବାକୁ ଭୁଲି ନଥିଲେ ଟ୍ରମ୍ପ୍। ପରିସ୍ଥିତି ଦୃଷ୍ଟିରୁ ଯଦିଚ କେତୋଟି କମ୍ବାଟ ଏଆର୍ସ୍କ୍ବାଡ୍ରନରେ ଲଢ଼ୁଆ ବିମାନ ଆମ ବାୟୁସେନାରେ ସାମିଲ ହେବା ଜରୁରୀ, ତେବେ ଏହା ଆମ ନିଷ୍ପତ୍ତି ଉପରେ ନିର୍ଭରଶୀଳ। ଅନ୍ୟ ରାଷ୍ଟ୍ରର ଚାପଦ୍ବାରା ଆେମ ଆମ ସିଦ୍ଧାନ୍ତ ନେବା ପଥରୁ ବିଚ୍ୟୁତ ହେବା ଆଦୌ ଉଚିତ ନୁହଁ। ଆମେରିକା କାହାର ନୁହଁ ଏହା ବୁଝିବା ଉଚିତ ହେବ। ଆମେରିକାର କୂଟନୀତିଜ୍ଞ ହେନ୍ରୀ କିସିଞ୍ଜର ଏକଦା କହିଥିଲେ; ‘‘ଆମେରିକାର ଶତ୍ରୁ ହେବା ବିପଜ୍ଜନକ, କିନ୍ତୁ ଏହାର ମିତ୍ର ହେବା ମାରାତ୍ମକ।’’
Comments are closed.