ଭୁବନେଶ୍ୱର: ରାଜ୍ୟରେ ସରକାରୀ ଆମ୍ବୁଲାନ୍ସ ସେବାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। କେଉଁଠି ରାସ୍ତାରେ ଖରାପ ହେଉଛି ତ’ ପୁଣି କେଉଁଠି ଆମ୍ବୁଲାନ୍ସ ଭିତରେ ଥିବା ଯନ୍ତ୍ରପାତି ଅଚଳ ହୋଇପଡ଼ୁଛି। ରୋଗୀଙ୍କୁ ସେବା ଯୋଗାଇବା ପାଇଁ ଆରମ୍ଭ ହୋଇଥିଲା ମାଗଣା ୧୦୮ ଆମ୍ବୁଲାନ୍ସ ସେବା, କିନ୍ତୁ ଏବେ ସେବା ଦେବାରେ ସଫଳ ହୋଇପାରୁନି। ୮ ମାସ ହେଲା ଗଡୁଛି ରାଜ୍ୟରେ ୪୨୦ଟି ଦଦରା ଆମ୍ବୁଲାନ୍ସ। ଗତ ଡିସେମ୍ବରରୁ ଏହାର ଅବଧି ଶେଷ ହୋଇଛି। ନିର୍ଦେଶନାମା ଆଧାରରେ ୫ ବର୍ଷରେ ୫ ଲକ୍ଷ କି.ମି. ଗଡ଼ି ସାରିଲାଣି। ଏହାକୁ ଅପସାରଣ କରାଯାଇ ନୂଆ ଆମ୍ବୁଲାନ୍ସ ଆସିବା ପାଇଁ ଟେଣ୍ଡର ହୋଇଥିଲେ ହେଁ ତାହା କେବଳ କାଗଜପତ୍ରରେ ସୀମିତ ରହିଛି। ଆମ୍ବୁଲାନ୍ସ ରଙ୍ଗ ସବୁଜରୁ ଗେରୁଆ ହୋଇଥିଲେ ହେଁ ଏହାର ବ୍ୟବସ୍ଥାରେ ପରିବର୍ତ୍ତନ ହୋଇନାହିଁ। ରୋଗୀ ବା ସମ୍ପର୍କୀୟ ନୁହଁନ୍ତି ଏହାକୁ ନେଇ ଖୋଦ୍ ଆମ୍ବୁଲାନ୍ସ ଚାଳକ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି।
ଗଞ୍ଜାମ ଜିଲାରେ ଜନୈକ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ବାଟରେ ଖରାପ ହେଲା, ହସ୍ପିଟାଲ ଯିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି କେନ୍ଦ୍ରାପଡ଼ାରେ ଜଣେ ସାପ କାମୁଡ଼ା ରୋଗୀଙ୍କୁ କଟକ ନିଆଯାଉଥିବା ବେଳେ ଆମ୍ବୁଲାନ୍ସ ରାସ୍ତାରେ ଖରାପ ହୋଇଯାଇଥିଲା। ପ୍ରାୟ ୧ ଘଣ୍ଟା ପରେ ଆଉ ଏକ ଆମ୍ବୁଲାନ୍ସରେ ଜନୈକ ରୋଗୀ ହସ୍ପିଟାଲ ଯାଇଥିଲେ। କେବଳ ଏହି ଦୁଇ ଘଟଣା ନୁହେଁ, ପ୍ରତ୍ୟେକ ଦିନ ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ହେଁ ସରକାର ତତ୍ପରତା ପ୍ରକାଶ କରୁନାହାନ୍ତି । ବର୍ତ୍ତମାନ ୧୦୮ ଆମ୍ବୁଲାନ୍ସର ପରିଚାଳନା ଦାୟିତ୍ୱ ଘରୋଇ ସଂସ୍ଥା ଏମ୍ରି ଗ୍ରିନ ହେଲ୍ଥ ସର୍ଭିସେସକୁ ଦିଆଯାଇଛି। ଏହି ସଂସ୍ଥା ଅକ୍ଟୋବର ୨୦ରେ ଦାୟିତ୍ବ ନେଇଥିଲା। ଏହାର ମାସକ ପରେ ଅବଧି ଶେଷ ହୋଇଥିଲେ େହଁ ଏହାର ମରାମତି ହୋଇନାହିଁ କିମ୍ବା ବଦଳାଯାଇନାହିଁ। ପୂର୍ବଭଳି ଗଡ଼ୁଛି ଏବଂ ବାଟରେ ଅଟକୁଛି। ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ଗାଡ଼ି ଆସିପାରିନାହିଁ । ଆମ୍ବୁଲାନ୍ସ ପରିବର୍ତ୍ତନ ହୋଇ ନୂଆ ଆମ୍ବୁଲାନ୍ସ ଅନୁମୋଦନ ଦିନଠାରୁ ପ୍ରାୟ ୬୦ ଦିନ ମଧ୍ୟରେ ଗାଡ଼ି ଆସିବ ବୋଲି ଜଣାପଡ଼ିଛି। ୨୦୨୬ ଜାନୁଆରୀରେ ୧୧୨ ଗାଡ଼ିର ଅବଧି ଶେଷ ହେବ। ନିର୍ଦେଶନାମା ଅନୁସାରେ ୫ ବର୍ଷ ପୂରଣ କରିବ। ଅର୍ଥାତ ଏହି ୪୨୦ଟି ଆମ୍ବୁଲାନ୍ସ ବାଦ୍ ଆଉ ଚାରି ମାସ ପରେ ପୁଣି ୧୧୨ଟି ଆମ୍ବୁଲାନ୍ସ ଅବଧି ଶେଷ ହେବ। ସରକାର ତ୍ବରିତ ପଦକ୍ଷେପ ଗ୍ରହଣ କରି ଆମ୍ବୁଲାନ୍ସ ମରାମତି ସହିତ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଦାବି କରିଛନ୍ତି। ବର୍ତ୍ତମାନ ୮୬୦ଟି ୧୦୮ ଆମ୍ବୁଲାନ୍ସ, ୫୦୦ଟି ଜନନୀ ଏକ୍ସପ୍ରେସ ଏବଂ ୬ଟି ବୋଟ୍ ଆମ୍ବୁଲାନ୍ସ ରୋଗୀ ସେବାରେ ନିୟୋଜିତ ରହିଛି।



