BJD Bijuli 480×75 Mob

ଆମ୍ବେଦକରଙ୍କ ନାମ ସହିତ ‘ରାମଜୀ’ ଲେଖିବାକୁ ଯୋଗୀ ସରକାରଙ୍କ ନିଷ୍ପତ୍ତି

BJD Bijuli 480×75 Mob
0

ଲକ୍ଷ୍ନୌ : ଉତ୍ତରପ୍ରଦେଶର ସମସ୍ତ ସରକାରୀ କାଗଜପତ୍ରରେ ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର ବି.ଆର୍‌. ଆମ୍ବେଦକରଙ୍କ ନାମ ମଝିରେ ‘ରାମଜୀ’ ଲେଖିବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜ୍ୟପାଳ ରାମ ନାଏକଙ୍କ ସୁପାରିସ କ୍ରମେ ବୁଧବାର ରାତିରେ ନିର୍ଦେଶନାମା ଜାରି କରାଯାଇଥିବା ମୁଖ୍ୟ ଶାସନ ସଚିବ ଜିତେନ୍ଦ୍ର କୁମାର ଲକ୍ଷ୍ନୌଠାରେ ଗୁରୁବାର ପ୍ରକାଶ କରିଛନ୍ତି। ‘ରାମଜୀ’ ଆମ୍ବେଦକରଙ୍କ ପିତାଙ୍କ ନାମ। ମହାରାଷ୍ଟ୍ରରେ ପ୍ରଚଳିତ ପରମ୍ପରା ଅନୁଯାୟୀ ପିତାଙ୍କ ନାମକୁ ପୁତ୍ର ନାମ ସହିତ ବ୍ୟବହାର କରାଯାଇଥାଏ। ଦଳିତ ସାମାଜିକ ସଂସ୍କାରକ ଆମ୍ବେଦକରଙ୍କ ପୂରା ନାମ ‘ଭୀମରାଓ ରାମଜୀ ଆମ୍ବେଦକର’। କିନ୍ତୁ ସରକାରୀ ଦସ୍ତାବିଜ୍‌ରେ ତାଙ୍କ ନାମ କେବଳ ବି.ଆର୍‌. ଆମ୍ବେଦକର ବୋଲି ଉଲ୍ଲେଖ କରାଯାଇଥାଏ। କିନ୍ତୁ ଯାଗୀ ସରକାରଙ୍କ ନିଷ୍ପତ୍ତି କ୍ରମେ ଏଣିକ ‘ଭୀମରାଓ ରାମଜୀ ଆମ୍ବେଦକର’ ଉଲ୍ଲେଖ କରାଯିବ। ମାତ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଅନ୍ୟ ରାଜନୈତିକ ଦଳ ତୀବ୍ର ବିରୋଧ କରିଛନ୍ତି। ଦିଲ୍ଲୀର ବିଜେପି ସାଂସଦ ଉଦିତ୍‌ ରାଜ କହିଛନ୍ତି, ଜଣେ ବ୍ୟକ୍ତି କେଉଁ ନାମରେ ପରିଚିତ ହେବାକୁ ଚାହାନ୍ତି ତାହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ହୋଇଥାଏ। ଏଣୁ ଆମ୍ବେଦକରଙ୍କ ନାମ ପରିବର୍ତ୍ତନ କରି ଯୋଗୀ ସରକାର ଅନାବଶ୍ୟକ ଭାବେ ବିବାଦ ସୃଷ୍ଟି କରୁଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପ ନେଇ ଦଳିତ ସମ୍ପ୍ରଦାୟ ଅସନ୍ତୋଷ ପ୍ରକାଶ କରିଛି ବୋଲି ସେ ଦର୍ଶାଇଛନ୍ତି। ଅନ୍ୟପଟେ ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ବିଜେପି ସରକାର ଦଳିତଙ୍କ ଭୋଟବ୍ୟାଙ୍କକୁ ଦୃଷ୍ଟିରେ ରଖି ଆମ୍ବେଦରଙ୍କ ନାମକୁ ନେଇ ରାଜନୀତି କରୁଛି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି। କିନ୍ତୁ ଏଭଳି ଅଭିଯୋଗକୁ ଉତ୍ତରପ୍ରଦେଶ ସରକାର ଅସ୍ୱୀକାର କରିଛନ୍ତି। ଏହି ପଦକ୍ଷେପ ଗ୍ରହଣ କରିବା ପଛରେ କୌଣସି ଉଦ୍ଦେଶ୍ୟ ନିହିତ ନାହିଁ ବୋଲି କ୍ୟାବିନେଟ୍‌ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି। ଆମ୍ବେଦକରଙ୍କ ନାମ ନିର୍ଭୁଲ ଭାବେ ଲେଖିବା ନେଇ ୨୦୧୭ ଡିସେମ୍ବରରେ ରାଜ୍ୟପାଳ ରାମ ନାଏକ ଏକ ଅଭିଯାନ ଆରମ୍ଭ କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖି ଆମ୍ବେଦକରଙ୍କ ନାମର ତ୍ରୁଟିପୂର୍ଣ୍ଣ ବନାନ ଲିପିବଦ୍ଧ ହେଉଥିବା ଜଣାଇଥିଲେ। ଏହି ଅଭିଯାନର ଫଳସ୍ୱରୂପ ଏଣିକି ‘ଆମ୍ବେଦକର’ ବନାନ୍‌ ଇଂରାଜୀରେ ଅପରିବର୍ତ୍ତିତ ରହିବ; କିନ୍ତୁ ହିନ୍ଦୀ ଭାଷାରେ ଏହାର ସାମାନ୍ୟ ପରିବର୍ତ୍ତନ ହୋଇଛି। ପୂର୍ବରୁ ହିନ୍ଦୀ ଭାଷାଭାଷୀ ରାଜ୍ୟଗୁଡିକ ଆମ୍ବେଦକର ବନାନରେ ସବୁବେଳେ ତ୍ରୁଟି କରୁଥିଲେ ବୋଲି ରାଜ୍ୟପାଳ ରାମ ନାଏକ କହିଛନ୍ତି।

Leave A Reply